ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ବର୍ଷିଛନ୍ତି । ଶସ୍ତା ଲୋକପ୍ରିୟତା ପାଇଁ କେଜ୍ରିୱାଲ ସମସ୍ତ ନିୟମ ଭାଙ୍ଗିବାକୁ ରାଜି ବୋଲି ଯୋଗୀ କହିଛନ୍ତି । ପ୍ରଧାନମନ୍ତ୍ରୀ କୋଭିଡ୍ ମୁକାବିଲା ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରୁଥିଲେ । ନିୟମ ଅନୁଯାୟୀ ଏହି ବୈଠକ ସାର୍ବଜନୀନ କରାଯାଏନି । ହେଲ ଏହାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସାର୍ବଜନୀନ କରି ଦେଇଥିଲେ । ଯାହାକି ବିଭିନ୍ନ ଟିଭିରେ ସିଧା ପ୍ରସାରିତ ହୋଇଥିଲା । ଏହି ସମୟରେ ଦିଲ୍ଲୀରେ ଅକ୍ସିଜେନ ଅଭାବ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟରେ ଦିଲ୍ଲୀକୁ ଆସୁଥିବା ଅକ୍ସିଜେନ ଟ୍ୟାଙ୍କର ଅଟକା ଯାଉଥିବା କଥା ମୋଦିଙ୍କ ଆଗରେ କହୁଥିଲେ କେଜ୍ରିୱାଲ । ଏହାକୁ ସାରା ଦେଶ ମଧ୍ୟ ଶୁଣିଥିଲା । ଆଉ ପ୍ରଧାନମନ୍ତ୍ରୀ ଏହି ସମୟରେ ଜାଣିପାରିଥିଲେ ଯେ ଏହି ବୈଠକର ସିଧା ପ୍ରସାରଣ ହେଉଛି । ଆଉ ହଠାତ୍ କେଜ୍ରିୱାଲଙ୍କୁ ମଝିରେ ରୋକିଥିଲେ । ଆଉ କହିଥିଲେ ନିୟମ ବାହାରକୁ ଯାଇ ଏହି ବୈଠକକୁ ମୁଖ୍ୟମନ୍ତ୍ରୀ ସିଧା ପ୍ରସାରଣ କରୁଛନ୍ତି । ଏହା ପ୍ରୋଟୋକଲ ବାହାରେ । ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିଜ ଆଚରଣ ଓ ବ୍ୟବହାର ପାଇଁ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗରେ ହାତ ଯୋଡ଼ି କ୍ଷମା ମାଗିଥିଲେ । ଆଗକୁ ଏଭଳି ଭୁଲ୍ ହେବନି ବୋଲି କେଜ୍ରିୱାଲ କହିଥିଲେ । ଏହାକୁ ନେଇ ଯୋଗୀ ଟ୍ୱିଟ୍ କରି କହିଛନ୍ତି, କେଜ୍ରିୱାଲଙ୍କ ଆଉ ଏକ କାରନାମା ସାମ୍ନାକୁ ଆସିଛି । ଆମ୍ ଆଦାମୀ ପାର୍ଟି ସରକାର ନିଜର ବିଫଳତାକୁ ଲୁଚାଇବା ପାଇଁ ଅନ୍ୟ ଉପରେ ଦୋଷ ଲଦିବାରେ ବ୍ୟସ୍ତ । ଏଭଳି କରି ଲୋକଙ୍କ ଆଗରେ ସେ ଭଲ ବୋଲି ଦେଖାଇ ହେଉଛନ୍ତି । ଏହା ରାଜନୀତିର “ଅଶ୍ଳୀଳ ଏବଂ ନିମ୍ନ ଆଚରଣ’ । ଏହାକୁ ସେ ନିନ୍ଦା କରୁଛନ୍ତି ବୋଲି କହିଛନ୍ତି । ବିଜେପି କହିଛି, କୋଭିଡ ମୁକାବିଲାରେ କେଜ୍ରିୱାଲ ସରକାର ବିଫଳ । ତେଣୁ ସେ ଏଭଳି ଭିଡିଓ ଅତି ଚତୁରତାର ସହ ସାର୍ବଜନୀନ କରି ଲୋକଙ୍କ ଆଗରେ ନିଜର ଭାବମୂର୍ତ୍ତି ଠିକ୍ କରିବାକୁ ଚେଷ୍ଟା କରିଥିଲେ । ଆଉ ଏହାକୁ ପ୍ରଧାନମନ୍ତ୍ରୀ ଠିକ୍ ସମୟରେ ଠଉରାଇପାରିଥିଲେ ।