ସରୁନି ପିପିଳିଆ-ମନୋହରପୁରକୁ ସଂଯୋଗୀ ରାସ୍ତା ନିର୍ମାଣ

Oplus_16908288
0 4

ଘଟଗାଁ :- ଘଟଗାଁ ବ୍ଲକ ପିପିଳିଆ ଛକଠାରୁ ବରେଇ ରାସ୍ତାର ୪.୮୦୦ କି.ମି. ରାସ୍ତାର ଉନ୍ନତିକରଣ ପାଇଁ କାର୍ଯ୍ୟ ନିର୍ମାଣାଧିନ ରହିଛି। ଏହି ରାସ୍ତାଟି ଏବେ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରି ରାସ୍ତାକୁ ଓସାରିଆ କରାଯାଉଛି। ରାସ୍ତା ନିର୍ମାଣ କାର୍ଯ୍ୟ ନିମନ୍ତେ ସରକାର ୪କୋଟି ୫୮ଲକ୍ଷ ୮୨ହଜାର ୫୯ଟଙ୍କା ମଞ୍ଜୁର କରିଛନ୍ତି। ଏହି ରାସ୍ତା ନିର୍ମାଣ କାର୍ଯ୍ୟ ୬ ମଇ ୨୦୨୫ରୁ  ଆରମ୍ଭ ହୋଇ ୫ ଫେବୃୟାରୀ ୨୦୨୬ ବର୍ଷେ ଅବଧି ମଧ୍ୟରେ ଶେଷ ହେବା ସୂଚନା ଫଳକରେ ସୂଚନା ରହିଛି। ଅନ୍ୟପଟରେ ରାସ୍ତା କାର୍ଯ୍ୟ କରିବା ନିମନ୍ତେ ଅନୁପ କୁମାର ସାହୁଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି।

କିନ୍ତୁ ନିର୍ମାଣକାରୀ ଠିକାଦାର ରାସ୍ତା କାମ ଅଧପନ୍ତରିଆ କରି ମନ୍ଥର ଗତିରେ କାମ କରୁଛନ୍ତି। ନିର୍ଧାରିତ ସମୟ ଭିତରେ କାର୍ଯ୍ୟ ସରୁନଥିବାରୁ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି। ଏହି ରାସ୍ତାଟି ପିପିଳିଆ ଠାରୁ ମନୋହରପୁରକୁ ସଂଯୋଗ ହୋଇ ଡାଙ୍ଗୁଆପଶି (ସୀତାବିଞ୍ଜି) ପର୍ଯ୍ୟନ୍ତ ଯାଇଛି । ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଯିବା ଆସିବା କରିଥାନ୍ତି। ଦୁଃଖର ବିଷୟ ଠିକାଦାର ରାସ୍ତା ଖୋଳି ରାସ୍ତା ଉପରେ ମେଣ୍ଟାଲ ପକାଇ ଦେଇ ମାସ ମାସ ହେବ ପିଚୁ ନକରି ଛାଡ଼ି ଦେବା ଫଳରେ ଶୁଖିଲା ପାଗ ହେଲେ ପଥଚାରୀ ଧୂଳି ଧୂଆଁରେ ଅତିଷ୍ଠ ହୋଇ ଅଣନିଶ୍ୱାସୀ ହୋଇ ପଡୁଛନ୍ତି। ରାସ୍ତା ଦୁରାବସ୍ଥା ଯୋଗୁଁ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା  ଘଟି ଧନଜୀବନ ହାନୀ ହେଉଛି। ଆଗକୁ ରଜ ପର୍ବ ଏହି ରାସ୍ତା ଦେଇ ହଜାର ହଜାର ଲୋକ ଯାତ୍ରା ଦେଖିବା ପାଇଁ ଆସିଥାନ୍ତି, କିନ୍ତୁ ରାସ୍ତା କାମ ଅଧପନ୍ତରିଆ ପଡି ରହିଥିବାରୁ ଲୋକମାନେ ନାହିଁ ନଥିବାର ସମ୍ମୁଖୀନ ହେବେ । ଏଭଳି ଅବହେଳା କାର୍ଯ୍ୟ ପାଇଁ ପିପିଳିଆ ସରପଞ୍ଚ ଗୋଲାପ ନାୟକ ଓ ପିପିଳିଆର ଯୁବ ସମାଜସେବୀ ଯଶୋବନ୍ତ ନାୟକ ଉଦବେଗ ପ୍ରକାଶ କରିବା ସହ ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କୁ ଦାୟୀ କରିଛନ୍ତି। ଅନ୍ୟ ପଟରେ ଯଥାଶୀଘ୍ର ରାସ୍ତା କାମ ଶେଷ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

Leave A Reply

Your email address will not be published.