ପାରାଦୀପ :- ବନ୍ଦର ଓ ଶିଳ୍ପ ସହର ପାରାଦୀପରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି l ଗତ ମେ ୩୦ ତାରିଖରେ ପାରାଦୀପର ପ୍ରଥମ ନାଗରିକ ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ ଙ୍କ ଘର ଉପରେ ବୋମା ମାଡ଼ ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସାତଦିନ ବିତିଯାଇଥିଲେ ମଧ୍ୟ ଏହାର ମୂଖ୍ୟ ଆସାମୀ କୁହାଯାଉଥିବା ଜ୍ୟୋତିକାନ୍ତ ପରିଡା (ବାପୁ) ଏପର୍ଯ୍ୟନ୍ତ ଧରା ପଡିନଥିଲା ବେଳେ ଏହି ଘଟଣାର ମୂଖ୍ୟ ଷଢଯନ୍ତ୍ରକାରି କୁହାଯାଉଥିବା ଅରିନ୍ଦମ ସର୍ଖେଲ ଓରଫ ବାପି ସର୍ଖେଲ ପାଖରେ ପୋଲିସ ପହଞ୍ଚି କୌଣସି ସୁରାକ ଖୋଜିବାରେ ଅସମର୍ଥ ପରି ଲାଗୁଛି l
ତେବେ ଏ ଘଟଣାକୁ ନେଇ ସହର ବାସୀ ଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି l ଏହି ପରିପ୍ରେକ୍ଷୀରେ ରବିବାର ପୂର୍ବାହ୍ନ ୧୧ ଟା ସମୟରେ ବିଭିନ୍ନ ରାଜନୈତିକ ଦଳ ର ନେତୃତ୍ୱ ଓ କର୍ମୀ ଙ୍କ ସମେତ କିଛି ସଂଗଠନ ର ସଦସ୍ୟ ସେମାନଙ୍କ ଶତାଧିକ ସମର୍ଥକ ମାନଙ୍କ ସହ ପ୍ରତିବାଦ କରି ପାରାଦୀପ ଆଦର୍ଶ ଥାନାରେ ପହଞ୍ଚି ଥିଲେ l ବିଜେପି ପାରାଦୀପ ମଣ୍ଡଳ ସଭାପତି ସୁବ୍ରତ ପ୍ରଧାନ,ବିଜେପି ନେତା ସର୍ବେଶ୍ୱର ବଳିୟାରସିଂହ,ସୁଲେମାନ ରାଜୁ, ଉଲ୍ଲାସ ବେହେରା, ପ୍ରକାଶ ସାହୁ, ପାରିଷଦ ପ୍ରତାପ ନାୟକ, ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରୀତିରେଖା ନାୟକ, ବିଜେଡି ସଭାପତି କୁମରବର ନାୟକ,ବିଜେଡି ରାଜ୍ୟ ଉପସଭାନେତ୍ରୀ ସବିତା ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଚିନ୍ମୟ ରଞ୍ଜନ ପରିଡା, ଶଙ୍କର ପ୍ରସାଦ ରାଉତ, ମହିଳା ସଭାନେତ୍ରୀ ଚପଳା ସ୍ୱାଇଁ, କଂଗ୍ରେସ ସଭାପତି କେଦାର ବିଶ୍ଵାଳ, କୁଜଙ୍ଗ,ପାରାଦୀପ ଆଞ୍ଚଳିକ କମିଟି ର ସିପିଆଇ ନେତା ସୁବାସ ମହାପାତ୍ର ଓ ପାରାଦୀପ ସିଟିଜେନ ଫୋରମ ସଭାପତି ଶଶାଙ୍କ ଆଚାର୍ଯ୍ୟ, ରବିନ୍ଦ୍ର ଜେନା, ବିବେକାନନ୍ଦ ରାଉତ ପ୍ରମୁଖ ଙ୍କ ନେତୃତ୍ୱରେ ଶତାଧିକ ଦଳୀୟ ସମର୍ଥକ ଓ ସ୍ବେଛାସେବୀ ମାନେ ପାରାଦୀପ ଆଦର୍ଶ ଥାନାରେ ପହଞ୍ଚି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଜିଂକ୍ୟ ବାବୁରାଓ ମାନେ ଙ୍କୁ ପୃଥକ ଭାବେ ଦାବୀ ପତ୍ର ପ୍ରଦାନ କରିଥିଲେ l
ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଙ୍କ ଘର ଓ ପରିବାର ଉପରେ ଆକ୍ରମଣ ପାଇଁ ନୁହେଁ, ବରଂ ପାରାଦୀପରେ କେତେଗୁଡିଏ ଘଟଣା ଓ ଏହା ପଛ ର ଷଢଯନ୍ତ୍ର ଏବଂ ଏହାର ମୁଖ୍ୟ ଖଳନାୟକ ତଥା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିକାରୀ ଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରବିବାର ଦିନ ପ୍ରମୁଖ ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କୁ ପୃଥକ ପୃଥକ ଭାବେ ଦାବିପତ୍ର ପ୍ରଦାନ କରାଯାଇଥିଲା l ଏହି ଦାବୀ ମଧ୍ୟରେ ପୌରାଧ୍ୟକ୍ଷ ଙ୍କ ବାସଗୃହ କୁ ବୋମା ମାଡ଼ କେବଳ ଯେ ଟେଣ୍ଡର ଘଟଣାକୁ ନେଇ ଘଟିଛି, ଏହା ବିଶ୍ୱାସ ଯୋଗ୍ୟ ନୁହେଁ ଏହା ପଛରେ ଷଢଯନ୍ତ୍ର ଓ ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି ଉଲ୍ଲେଖ ରହିଛି l ଏହି ବୋମା ମାଡ଼ ଘଟଣାରେ ଜ୍ୟୋତିକାନ୍ତ ପରିଡା (ବାପୁ) ଓ ଅନ୍ୟ ତିନିଜଣ ସହିତ ଆହୁରି ଅନେକ ଲୋକଙ୍କ ଭାଗିଦାରୀ ରହିଛି l
ଏହି ଆକ୍ରମଣ ପଛରେ ମୁଖ୍ୟ କାର୍ପଟଦାର ଶ୍ରମିକ ନେତା ବୋଲାଉଥିବା ଅରିନ୍ଦମ ସର୍ଖେଲ (ବାପି) ର ନିଶ୍ଚୟ ପ୍ରଚ୍ଛଦ ସହଯୋଗ ଓ ସହାୟତା ରହିଥିବା କୁହାଯାଇଛି l ଏ ଘଟଣାର ସମସ୍ତ ବ୍ଲୁପ୍ରିଣ୍ଟ ବାପି ସର୍ଖେଲ ଙ୍କ ପାରାଦୀପ କାର୍ଯ୍ୟାଳୟରେ ରଚନା ହୋଇଛି l ଘଟଣା ଘଟିବା ଦୁଇଦିନ ପୂର୍ବରୁ ବାପି ସର୍ଖେଲ ପାରାଦୀପରେ ଉପସ୍ଥିତ ଥିଲା l ଘଟଣା ଘଟିବା ସମୟରେ ବାପି ସର୍ଖେଲ ର ପାରାଦୀପ ସ୍ଥିତ କାର୍ଯ୍ୟାଳୟରେ ତାଙ୍କ ସହିତ ଏ ଘଟଣାର ମୂଖ୍ୟ ଅପରାଧୀ ବାପୁ ପରିଡା ଓ ତାର ସହଯୋଗୀ ମାନେ ଉପସ୍ଥିତ ଥିଲେ ବୋଲି ଅଭିଯୋଗ ହୋଇଛି l ବୋମା ମାଡ଼ ଘଟଣା ଘଟିବାର ପ୍ରାୟ ଏକ ଘଣ୍ଟା ପରେ ବାପି ସର୍ଖେଲ, ବାପୁ ପରିଡା ଓ ତାଙ୍କର ସହଯୋଗୀ ମାନେ ପାରାଦୀପ ରୁ ଫେରାର ହୋଇଯାଇଥିଲେ l ଯାହାକି ବାପି ସର୍ଖେଲ ର କାର୍ଯ୍ୟାଳୟରେ ଲାଗିଥିବା ସିସି ଟିଭି ଯାଞ୍ଚ କଲେ ନିଶ୍ଚିତ ଭାବେ ସତ୍ୟ ଘଟଣା ଜଣାପଡିବ l ଏଣୁ ସିସି ଟିଭି ଯାଞ୍ଚ କରାଯିବା ସହିତ ବାପି ସର୍ଖେଲ କୁ ମୂଖ୍ୟ ଷଡଯନ୍ତ୍ରକାରୀ ଭାବେ ନିଆଯାଇ ଗିରଫ କରାଯିବା ସହିତ ଫେରାର ଅଭିଯୁକ୍ତ ବାପୁ ପରିଡା କୁ ତୁରନ୍ତ ଗିରଫ କରାଯିବା ନେଇ ଦାବୀ ହୋଇଛି l ତାର କଳା ସାମ୍ରାଜ୍ୟ ଯଥା ଶ୍ରମିକ ସଙ୍ଘ ନାମରେ କମ୍ପାନୀ ଓ ବଡ଼ ଠିକାଦାର ଙ୍କ ଠାରୁ କୋଟି କୋଟି ଟଙ୍କାର ବଟି ଆଣିବା ଏବଂ ନିଜର ପତିଆରା କମ ହେଉଥିବାର ଜାଣିପାରି ଏଭଳି ଭୟଙ୍କର ଓ ଅବିଶ୍ୱସନୀୟ ଘଟଣା ଘଟଇଥିବା ବିଶ୍ୱାସ କରାଯାଉଛି l
ପାରାଦୀପରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିବା ଲକ୍ଷ୍ୟ ରଖିଛି ଏହି ଅସାମାଜିକ ସର୍ଖେଲ l ୨୦୦୦ ମସିହାରେ ବାପି ସର୍ଖେଲ ର ପାରାଦୀପରେ ଆବିର୍ଭାବ ହେବା ପରଠାରୁ ବିଗତ ୨୫ ବର୍ଷ ମଧ୍ୟରେ ପାରାଦୀପ ସହରରେ ଯେତେ ଘଟଣା ଯଥା ମୁନା ପତି ହତ୍ୟା ଘଟଣା, ଦୁର୍ଯ୍ୟୋଧନ ସ୍ୱାଇଁ ହତ୍ୟା ଘଟଣା, ଦିବାଲୋକରେ ପାରାଦୀପର ମାଉସୀ ମା ଛକରେ ଚର୍ଚ୍ଚିତ ମହେନ୍ଦ୍ର ସ୍ୱାଇଁ ହତ୍ୟା ଘଟଣା ଓ ଆକ୍ରମଣ, ବୋମାମାଡ, ବନ୍ଧୁକରୁ ଗୁଳି ଫୁଟାଇ ଆକ୍ରମଣ କରାଇବା ଭଳି ଅନେକ ଗୁଡିଏ ଘଟଣାରେ ବାପି ସର୍ଖେଲ ର ନିଶ୍ଚିତ ଭାବେ ଭୂମିକା ରହିଛି ବୋଲି ଅଭିଯୋଗ ହୋଇଛି l ପାରାଦୀପ ଯୁବକ ମାନଙ୍କୁ ନିଶାଗ୍ରସ୍ତ କରି, ବିଭିନ୍ନ ଅସାମାଜିକ ତଥା ଅପରାଧିକ ଘଟଣା ଘଟଉଛନ୍ତି ଏହି ଅପରାଧୀ l ଏତଦବ୍ୟତୀତ ରାଜ୍ୟ ବାହାରେ ଓ କେତେବେଳେ ଦୁବାଇ ରେ ରହି ଖାଲିଦ ଖାଁ ନାମକ ଜନୈକ ବ୍ୟକ୍ତି ବାପି ଓ ବାପୁ ଙ୍କ ଦ୍ୱାରା ଇଫକୋ ଓ ପିଆଇସିଟି ର ସମଗ୍ର କାମକୁ କରାୟତ କରିବା ସହିତ ଏଠାର ସମସ୍ତ ବ୍ୟବସାୟକୁ ହାତେଇବା ପାଇଁ ବିପୁଳ ଆର୍ଥିକ ସହାୟତା ଯୋଗାଇବା ସହ ମାଫିଆ ସହାୟତା ମଧ୍ୟ ଯୋଗାଇ ଦେଉଥିବା ପାରାଦ୍ୱୀପ ସିଟିଜେନ ଫୋରମ ଅଭିଯୋଗ କରିଛି lଏଣୁ ପାରାଦୀପର ସ୍ୱାର୍ଥ, ଶୃଙ୍ଖଳା, ଶାନ୍ତି ଓ ଭାଇଚାରା ପାଇଁ ଦଳମତ ନିର୍ବିଶେଷରେ ପାରାଦୀପର ସମସ୍ତ ଦଳର ପ୍ରତିନିଧି ମାନେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଜିଂକ୍ୟ ବାବୁରାଓ ମାନେ ଙ୍କୁ ଦାବିପତ୍ର ପ୍ରଦାନ କରି ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ l