ସମ୍ବଲପୁର ମହାନଗର ସ୍ୱଚ୍ଛତା ବିରୋଧରେ ତେଜିଲା ଅସନ୍ତୋଷ

କୋଟି ଟଙ୍କାର ଟେଣ୍ଡର, ସଫେଇ କର୍ମଚାରୀ ରାଜରାସ୍ତାରେ

0 3
ସମ୍ବଲପୁର:-ସ୍ୱଚ୍ଛତା ନାମରେ ଚାଲିଛି ହରିଲୁଟ।ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ମିଳିଛି ଏଭଳି ପ୍ରମାଣ। ସ୍ୱଚ୍ଛ ସହର ପାଇଁ ନିଜର ତ୍ୟାଗ ସଫେଇ କର୍ମଚାରୀଙ୍କ ଭାଗ୍ୟରେ ନାହିଁ।ଏବେ ସେମାନେ ଆନ୍ଦୋଳନ ମୁହାଁ। ‘ହେରାଲ୍ଡ’ ସଂସ୍ଥା ପରେ ଏବେ ସର୍ବାଧିକ ସଫେଇ କର୍ମଚାରୀ ରଖିଥିବା ‘ପ୍ରତ୍ୟୁଷ’ ଏଜେନ୍ସିକୁ ନେଇ ଅସନ୍ତୋଷ ତେଜିଛି। ଠିକ୍ ସମୟରେ ପାଉଣା ନମିଳିବାରୁ କର୍ମଚାରୀମାନେ କାମ ବନ୍ଦ ଚେତାବନୀ ଦେଇଛନ୍ତି। ଫଳରେ ସହରବାସୀ ହଇରାଣ ହେଉଛନ୍ତି।
           ବକେୟା ଦରମା ମିଳୁନି। ଟ୍ରାକ୍ଟର ଚକ ଆଗକୁ ବଢ଼ୁନି।ସୂଚନା ଅନୁସାରେ, ନିଗମ ଅଧୀନରେ ଥିବା ୪୧ଟି ୱାର୍ଡ ମଧ୍ୟରୁ ୨୩ଟି ୱାର୍ଡର ସଫେଇ ଦାୟିତ୍ୱ ‘ପ୍ରତ୍ୟୁଷ’ ଏଜେନ୍ସି ନେଇଛି। ଏଠାରେ ୬୮୨ ଜଣ ସଫେଇ କର୍ମଚାରୀ କାମ କରୁଛନ୍ତି। ଜୋନ୍-୧ ପାଇଁ ବାର୍ଷିକ ୭କୋଟି ୨୦ ଲକ୍ଷ ଓ ଜୋନ୍-୨ ପାଇଁ ୬ କୋଟି ୮୪ ଲକ୍ଷ ଟଙ୍କା ହିସାବରେ ମୋଟ ୧୪.୦୪ କୋଟି ଟଙ୍କା ଠିକା ସଂସ୍ଥା ସମ୍ବଲପୁର ମହାନଗର ନିଗମରୁ ନେଉଛି। ତଥାପି ସଫେଇ କର୍ମଚାରୀ ନିଜର ପ୍ରାପ୍ୟ ନପାଇ ରାଜରାସ୍ତାକୁ ଓଲ୍ଲାଇବା ଏକ ବଡ଼ ବ୍ୟତିକ୍ରମ ବୋଲି ସମାଲୋଚନା ହେଉଛି।
         ସେହିପରି ସହରରୁ ଡମ୍ପିଂ ୟାର୍ଡକୁ ଆବର୍ଜନା ନେଉଥିବା ୪୦ଟି ଟ୍ରାକ୍ଟର ମଧ୍ୟରୁ ୧୮ଟି ଏହି ସଂସ୍ଥା ଅଧୀନରେ। ନିକଟରେ ଡିଜେଲ ସଙ୍କଟ ଦର୍ଶାଇ ଟ୍ରାକ୍ଟର ଚଳାଚଳ ବନ୍ଦ କରିଦିଆଯିବାରୁ ସହରର ବିଭିନ୍ନ ସ୍ଥାନରେ ଅଳିଆ ପଚି ସଢ଼ି ପୁତ୍ତି ଗନ୍ଧମୟ ପରିବେଶ ସୃଷ୍ଟି କଲାଣି।ସବୁଠୁ ଆଶ୍ଚର୍ଯ୍ୟର କଥା, ଗତବର୍ଷ ଅକ୍ଟୋବର ମାସରୁ ‘ପ୍ରତ୍ୟୁଷ’ ଏଜେନ୍ସିର ଟେଣ୍ଡର ଅବଧି ଶେଷ ହୋଇସାରିଛି। ତଥାପି ନୂତନ ଟେଣ୍ଡର ନକରି ରାଜନୈତିକ ଛତ୍ରଛାୟାରେ ଥିବା ଏହି ସଂସ୍ଥାର କାର୍ଯ୍ୟକାଳ ବାରମ୍ବାର ବଢ଼ାଯାଉଛି।ଗତ ୧୨ବର୍ଷ ହେଲା ବାବୁ ରାଜରେ ଚାଲିଛି ନିଗମ।
         ସମ୍ବଲପୁର ମହାନଗର ନିଗମ ଘୋଷଣା ହେଲା ପରେ ବି ଆଜିଯାଏଁ ନିର୍ବାଚନ ହୋଇନାହିଁ। ଦୀର୍ଘ ୧୨ ବର୍ଷ ହେଲା ନିର୍ବାଚିତ ପ୍ରତିନିଧି ନାହାନ୍ତି। ଫଳରେ ମନଇଛା ସଫେଇ କାର୍ଯ୍ୟ ଚାଲିଛି। ମହାନଗର ନିଗମ ପରେ ୱାର୍ଡ ବଡ଼ ହୋଇଥିଲେ ବି ସେହି ଅନୁପାତରେ କର୍ମଚାରୀ ନିଯୁକ୍ତି ହେଉନାହାନ୍ତି। କମ୍ କର୍ମଚାରୀଙ୍କୁ ଖଟାଇ ଅଧିକ କର୍ମଚାରୀଙ୍କ ପଇସା ଉଠାଣ ହେଉଥିବା ଚର୍ଚ୍ଚା ହେଉଛି। ସଫେଇ କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ପୋଷାକ  ସାମଗ୍ରୀ ଓ ଗାଡି ମଧ୍ୟ ଦିଆଯାଉନାହିଁ।ଏହା କେବଳ ଦେଖିବାକୁ ମିଳୁନି ବରଂ ସଫେଇ କର୍ମଚାରୀ ଅଭିଯୋଗ କରିଛନ୍ତି।ଯାହାକି ବର୍ଷା ଆଗରୁ ବିପଦର ସତର୍କ ଘଣ୍ଟି ଭଳି।
ବର୍ଷା ଋତୁ ମୁଣ୍ଡ ଉପରେ ଥିବା ବେଳେ ମେ’ ମାସ ସୁଦ୍ଧା ସରିବାକୁ ଥିବା ନାଳ ସଫେଇ କାମ ଏଯାଏଁ ହୋଇନାହିଁ। ନାଳରେ ମଶା ତେଲ କି ବ୍ଲିଚିଂ ପଡୁନି। ଘର ଘର ବୁଲି ଗାଡି ଅଳିଆ ସଂଗ୍ରହ କରୁନଥିବାରୁ ଲୋକେ ବାଧ୍ୟ ହୋଇ ରାସ୍ତାରେ ଆବର୍ଜନା ଫିଙ୍ଗୁଛନ୍ତି। କୃତ୍ରିମ ବନ୍ୟା ଓ ସ୍ୱାସ୍ଥ୍ୟ ସଙ୍କଟ ଆଶଙ୍କା ବଢିଛି।
          ଏନେଇ ସ୍ଥାନୀୟ ଠିକାଦାରଙ୍କୁ ସଫେଇ ଠିକା ଦେବା ପାଇଁ ଦାବି ତୀବ୍ର ହେଲାଣି।ଏହି ପରିପ୍ରେକ୍ଷୀରେ ଠିକାଦାର ସଂଘ ପକ୍ଷରୁ ନିଗମ କମିସନର ରେହାନ ଖତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି। ବାହାର ସଂସ୍ଥା ବଦଳରେ ସ୍ଥାନୀୟ ଠିକାଦାରଙ୍କୁ ଅଗ୍ରାଧିକାର ଦେବାକୁ ସେମାନେ ଦାବି କରିଛନ୍ତି। ବାହାର ଠିକାଦାର କେବଳ ଲାଭ ଦେଖୁଛନ୍ତି, ସ୍ଥାନୀୟ ଅଭିଯୋଗ ଶୁଣୁନାହାନ୍ତି ବୋଲି ସଂଘ କହିଛି। ନୂଆ କରି ଆରମ୍ଭ ହୋଇଥିବା ‘ପିଙ୍କ୍ ଟୟଲେଟ୍’ ଓ ମହାନଦୀ ଘାଟ ସଫେଇ ପାଇଁ ମଧ୍ୟ ଦାବି ହୋଇଛି। ନିଗମ କର୍ତ୍ତୃପକ୍ଷ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନନେଲେ ଆଗାମୀ ଦିନରେ ସମ୍ବଲପୁର ଏକ ବଡ଼ ସ୍ୱାସ୍ଥ୍ୟ ସଙ୍କଟ ଦେଇ ଗତି କରିବ ବୋଲି ସାଧାରଣରେ କେବଳ ଆଶଙ୍କା ପ୍ରକାଶ ପାଇନି ବରଂ ମହାନଗର ନିଗମ ନିର୍ବାଚନ ପାଇଁ  ସରକାର ପଥ ପରିଷ୍କାର ନକଲେ ବିଜେଡି ପରି ସରକାରୀ ଦଳ ବିଜେପିକୁ ଏହା ବଡ଼ ଭାରି ପଡିବ ବୋଲି ସତର୍କ ସୂଚନା ମିଳୁଛି।
Leave A Reply

Your email address will not be published.