ସାଲେପୁର: – ସାଲେପୁର ଉପକଣ୍ଠ କୁସମ୍ବୀ ଅହମଦିୟା ମୁସଲିମ ଜାମା ମସଜିଦ ପ୍ରାଙ୍ଗଣରେ ସପ୍ତମ ଜିଲ୍ଲାସ୍ତରୀୟ ମଜଲିସ ଖୁଦ୍ଦାମୁଲ ଓ ଅତଫାଲୁଲ ଅହମଦିୟା କଟକ, ଢେଙ୍କାନାଳ ଓ କେନ୍ଦ୍ରାପଡାର ବାର୍ଷିକ ଇଜତେମା ଉଦଯାପିତ ହୋଇଛି । ଏହି ଉଦଯାପନୀ ଉତ୍ସବରେ ସଭାପତିତ୍ବ କରିଥିଲେ ଅଖିଳ ଭାରତ ମଜଲିସ ଖୁଦ୍ଦାମୁଲ ଅହମଦିୟାର ଉପସଭାପତି ସୟଦ ସଇଦୁଦ୍ଦିନ । ପବିତ୍ର କୋରାନ ପାଠ ଆବିଦୁର ରହମାନ କରିଥିଲେ । ମଜଲିସ ଖୁଦ୍ଦାମୁଲ ଅହମଦିଆର ଶପଥ ପାଠ ଅଖିଳ ଭାରତ ମଜଲିସ ଖୁଦ୍ଦାମୁଲ ଅହମଦିୟାର ଉପସଭାପତି ସୟଦ ସଇଦୁଦ୍ଦିନ କରାଇଥିଲେ ।
ଉର୍ଦ୍ଦୁ ନଜମ ସଂଗୀତ ଶେଖ ୟୁସୁଫ ପରିବେଷଣ କରିଥିଲେ । କୁସମ୍ବୀ- ସୁଙ୍ଗୁଡା ଗ୍ରାମର ଅହମଦିୟା ଜାମା ମସଜିଦକୁ ୧୦୦ ବର୍ଷ ପୂର୍ତ୍ତୀ ଅବସରରେ ମୌଲାନା ମକସୁଦ ଅଲ୍ଲି ମସଜିଦ ଓ ସଂଗଠନର ଇତିହାସ ଉପରେ ଆଲୋକପାତ କରିଥିଲେ । ସଭାପତି ଇଜତେମା କମିଟି ଶେଖ ଅନସ ଅହମଦ ଧନ୍ୟବାଦ ଅର୍ପଣ କରିଥିଲେ ।
ସଭାପତିତ୍ବ ଭାଷଣରେ ଅଖିଳ ଭାରତ ମଜଲିସ ଖୁଦ୍ଦାମୁଲ ଅହମଦିୟାର ଉପସଭାପତି ସୟଦ ସଇଦୁଦ୍ଦିନ କହିଲେ, ଏକାଗ୍ରତା ଓ କଠିନ ପରିଶ୍ରମ ହିଁ ସଫଳତା ଆଣିଥାଏ । ଏହି ଦୁଇ ଦିବସରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ହେବା ସହ ଧାର୍ମିକ ପ୍ରତିଯୋଗିତାରେ ପବିତ୍ର କୋରାନ ପାଠ, ଉର୍ଦ୍ଦୁ ଓ ଓଡିଆ ନଜମ, ବକ୍ତୃତା, କୁଇଜ, ଦେଖ ଓ ଲେଖ, ଲିଖିତ ପରିକ୍ଷା ହୋଇଥିଲା । କୃତ୍ତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ତଥା ସମ୍ମାନୀତ ଅତିଥିଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରତିଯୋଗିତାର ଫଳାଫଳ ଓ ବାର୍ଷିକ କାର୍ଯ୍ୟରୋପୋର୍ଟ ଆଧାର ଅନୁଯାୟୀ ଚଳିତ ବର୍ଷ ମଜଲିସ ଖୁଦ୍ଦାମୁଲ ଅହମଦିୟା ପଙ୍କାଳ ଜିଲ୍ଲା ଚାମ୍ପିଆନ ହୋଇଛି ।

ଏହି ପ୍ରତିଯୋଗିତାରେ ବିଚାରପତି ଭାବେ ଜିଲ୍ଲା କଟକ, ଢେଙ୍କାନାଳ ଓ କେନ୍ଦ୍ରାପଡାର ଜିଲ୍ଲା ମୌଲାନା ଇନଚାର୍ଜ ଶେଖ ଇସହାକ, କଟକ ସହରର ମୌଲାନା ଫଜଲ ହକ ଖାନ, ଢେଙ୍କାନାଳର ମୌଲାନା ଅକବର ଖାଁ, ବାଙ୍କୀ-ନରଗାଙ୍ଗର ମୌଲାନା ଇଫତେଖାର ଅହମଦ ଖାଁ, କରଡାପଲ୍ଲୀର ମୌଲାନା କରାମତ ଅହମଦ, ଓକଫେ ଜଦିଦ ପ୍ରତିନିଧି କମାଲୁଦ୍ଦିନ ଖାଁ, ମୌଲାନା ସୟଦ ଫଜଲେ ନଇମ, ମୌଲାନା ଅବଦୁର ରହମାନ ଦର୍ଦ୍ଦ, ସୁଙ୍ଗୁଡାର ମୌଲାନା ମକସୁଦ ଅଲ୍ଲି ଏବଂ ସୟଦ ଅତାଉଲ ଓହାବ ଯୋଗ ଦେଇଥିଲେ ।

ଏହି ବାର୍ଷିକ ଇଜତେମା ଉପଲକ୍ଷେ ଅହମଦିୟା ମୁସଲିମ ହୁମାନିଟି ଫାଷ୍ଟ ବିଭାଗ ତରଫରୁ ହମିଓପ୍ୟାଥି ଓ ଏଲୋପ୍ୟାଥିର ମାଗଣା ଚିକିତ୍ସା ଶିବିର ଖୋଲାଯାଇଥିଲା ।