କଠୋର ହେଲେ ନିର୍ବାଚନ କମିଶନର

0 171

ନିର୍ବାଚନ ଫଳାଫଳରେ ଉତ୍ସବ ମନାଇ ପାରିବେନି

ନୂଆଦିଲ୍ଲୀ, ୨୭ ।୪: ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରା କଟୁ ଭାଷାରେ ସମାଲୋଚିତ ହେବା ପରେ ମଙ୍ଗଳବାର ନିର୍ବାଚନ କମିଶନର (ଇସି) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମେ ୨ରେ ଚାରି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ହେଲେ କୋଭିଡ୍ ପାଇଁ କୌଣସି ଦଳ ରୋଡ ଶୋ’ କିମ୍ୱା ଏକାଠି ହୋଇ ସେଲିବ୍ରେସନ କରିପାରିବେ ନାହିଁ ବୋଲି ନିର୍ବାଚନ କମିଶନର କହିଛନ୍ତି । ଏହି ନିୟମ କଡ଼ାକଡ଼ି ଭାବରେ ପାଳନ ହେବ ବୋଲି ନିର୍ବାଚନ କମିଶନର କହିଛନ୍ତି । ଗତକାଲି ମାଡ୍ରାସ ହାଇକୋର୍ଟ କହିଥିଲେ, ଦେଶରେ କରୋନାର ଦ୍ୱିତୀୟ ଲହର ବ୍ୟାପିବା ପଛରେ ନିର୍ବାଚନ କମିଶନ ଦାୟୀ । ଯଦି ନିର୍ବାଚନ ବେଳେ ରାଜନୀତିକ ଦଳଙ୍କୁ ବଡ଼ ବଡ଼ ରାଲି କରିବାକୁ ନିର୍ବାଚନ କମିଶନ ଅନୁମତି ଦେଇନଥାନ୍ତେ ତାହାଲେ ଆଜି କରୋନାର ଦ୍ୱିତୀୟ ଲହର ଏତେ ମାରାତ୍ମକ ହୋଇନଥାନ୍ତା । ତେଣୁ ନିର୍ବାଚନ କମିଶନର ଏଭଳି ପରିସ୍ଥିତି ପାଇଁ ଏକାକୀ ଦାୟୀ । ତାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଅଣାଯିବା ଦରକାର । ହାଇକୋର୍ଟ ଏଭଳି କହିବାର ଗୋଟିଏ ଦିନ ପରେ ନିର୍ବାଚନ କମିଶନ ନିର୍ବାଚନ ଫଳାଫଳ ଘୋଷଣା ପରେ ବିଜୟ ଉତ୍ସବ ଉପରେ ରୋକ୍ ଲଗାଇଛନ୍ତି । ପ୍ରଧାନବିଚାରପତି ସଞ୍ଜୀବ ବାନାର୍ଜୀ ଏବଂ ଜଷ୍ଟିସ ସେନ୍ଥିଲକୁମାରଙ୍କ ବେଞ୍ଚ ଶୁଣାଣି କରିବା ବେଳେ ନିର୍ବାଚନଙ୍କ ଉପରେ ବର୍ଷିଥିଲେ । ମେ ୨ରେ ଭୋଟ୍ ଗଣତି ରହିଛି । ତେଣୁ କୋଭିଡ କଟକଣାକୁ ଦୃଷ୍ଟିରେ ରଖି କଣ ନିୟମ ତିଆରି ହୋଇଛି ସେ ବାବଦରେ ଏକ ରିପୋର୍ଟ କୋର୍ଟରେ ଉପସ୍ଥାପନ କରିବାକୁ ନିର୍ବାଚନ କମିଶନରଙ୍କୁ କହିଛନ୍ତି । ନହେଲେ ଭୋଟ୍ ଗଣତି ଉପରେ ହାଇକୋର୍ଟ ରୋକ୍ ଲଗାଇବେ ବୋଲି କହିଛନ୍ତି । ତେବେ ଏହି ଶୁଣାଣି ସମୟରେ ତାମିଲନାଡୁର ପରିବହନ ମନ୍ତ୍ରୀ ଏମଆର ବିଜୟଭାସଖର କହିଥିଲେ ରାଜ୍ୟରେ କୋଭିଡ୍ ପରିସ୍ଥିତି ପାଇଁ ଦାୟୀ । ସେହିପରି ହାଇକୋର୍ଟଙ୍କ ଶୁଣାଣି ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଦେଶରେ କୋଭିଡ୍ ମାମଲା ବୃଦ୍ଧି ପଛରେ ନିର୍ବାଚନ କମିଶନଙ୍କୁ ଦାୟୀ କରିଛନ୍ତି । ରାଜ୍ୟରେ ନିର୍ବାଚନ ଚାଲିଥିବାରୁ ନିର୍ବାଚନ କମିଶନ ବାହାରୁ ଅନେକ ପୁଲିସ ଏବଂ ସୁରକ୍ଷାକର୍ମୀ ଆଣି ନିୟୋଜିତ କରିଛନ୍ତି । ହେଲେ ସେମାନଙ୍କର କୋଭିଡ ପରୀକ୍ଷା ହୋଇନି ବୋଲି ମମତା କହିଛନ୍ତି । ଏଭଳି କହି ମମତା ଏବେ ନିର୍ବାଚନ ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କୁ କରୋନାର ବାହାକ ବୋଲି କହିଛନ୍ତି ।

Leave A Reply

Your email address will not be published.