ସରକାରୀ ତାଲିକା ବାଦ୍ ବି ଅନେକ ମୃତ!
ନୂଆଦିଲ୍ଲୀ, ୨୭ ।୪ : ମହାମାରୀ କରୋନା ଯୋଗୁ ଦେଶର ରାଜଧାନୀ ଦିଲ୍ଲୀରେ ହାହାକାର ସ୍ଥିତି ସୃଷ୍ଟି ହୋଇଛି । କରୋନା ଯୋଗୁ କେବଳ ଲୋକେ ସଂକ୍ରମିତ ହେଉନାହାନ୍ତି ବରଂ ପ୍ରାଣ ମଧ୍ୟ ହରାଉଛନ୍ତି । ଦୈନିକ ଦିଲ୍ଲୀରେ ରେକର୍ଡ ସଂଖ୍ୟକ ଲୋକ ପ୍ରାଣ ହରାଉଥିବା ସରକାର ଘୋଷଣା କରୁଛନ୍ତି । ହେଲେ ସରକାରଙ୍କ ଘୋଷଣା ବାହାରେ ମଧ୍ୟ ଅନେକ ଲୋକ କରୋନାରେ ଆଖି ବୁଜୁଛନ୍ତି । କରୋନାରେ ଲୋକ ଆଖି ବୁଜୁଥିଲେ ହେଁ ଏହାର ତଥ୍ୟ ସରକାରଙ୍କ ପାଖରେ ନାହିଁ । ଜାତୀୟ ଗଣମାଧ୍ୟମ ଏନଡିଟିଭି ଦିଲ୍ଲୀର ପୌରପାଳିକା ଅଫିସ ଓ ଏକାଧିକ ଶ୍ମଶାନ ଘାଟରେ ଯାଞ୍ଚ କରିବା ପରେ ୧୧୫୮ କରୋନା ମୃତ୍ୟୁର ତଥ୍ୟ ସରକାରଙ୍କ ଦସ୍ତାବିଜ୍ରୁ ଗାଏବ ହୋଇଯାଇଥିବା ଜାଣିବାକୁ ପାଇଛି । ୧୧୫୮ ଜଣ ଲୋକ କରୋନାରେ ପ୍ରାଣ ହରାଇଥିଲେ ହେଁ ସରକାରଙ୍କ ତାଲିକାରେ ଏମାନଙ୍କ ନାଁ ନାହିଁ । ମ୍ୟୁନିସିପାଲ କର୍ପୋରେସନ ଅଫ ଦିଲ୍ଲୀ ଦ୍ୱାରା ପରିଚାଳିତ ୨୬ଟି ଶ୍ମଶାନ ଘାଟର ଦସ୍ତାବିଜକୁ ଯାଞ୍ଚ କରାଯାଇଥିଲା । ଏହି ସମୟରେ ଜଣାପଡ଼ିଥିଲା ଯେ ଏପ୍ରିଲ ୧୮ରୁ ୨୪ ମଧ୍ୟରେ ମୋଟ ୩୦୯୬ଟି ଶବ ଶ୍ମଶାନ ଘାଟଗୁଡ଼ିକରେ ସକ୍ରାର କରାଯାଇଛି । ତେବେ ସମାନ ସମୟରେ ଦିଲ୍ଲୀ ସରକାର ଜାରି କରିଥିବା ମୋଟ କରୋନା ମୃତ୍ୟୁ ତାଲିକାରେ ୧୯୩୮ ଜଣଙ୍କ ତଥ୍ୟ ରହିଛି । ଏହାର ଅର୍ଥ ୧୧୫୮ ଜଣ କରୋନାରେ ପ୍ରାଣ ହରାଇଥିଲେ ହେଁ ସରକାର ଏହାକୁ ତାଙ୍କ ତାଲିକାରେ ସାମିଲ କରିନାହାନ୍ତି । ଏମସିଡି କେବଳ ହସ୍ପିଟାଲରୁ କରୋନାରେ ପ୍ରାଣ ହରାଇ ଶ୍ମଶାନ ଘାଟକୁ ଆସୁଥିବା ଶବଗୁଡ଼ିକ ଗଣତି କରିଥାଏ । ଏମସିଡି ଏଯାଏ ୩୦୯୬ ଜଣ କରୋନାରେ ପ୍ରାଣ ହରାଇଥିବା କହୁଥିଲେ ହେଁ ଦିଲ୍ଲୀ ସରକାର ଏହାକୁ ୧୯୩୮ ଦର୍ଶାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କରୋନାରେ ଆକ୍ରାନ୍ତ ହୋଇ ଘରେ ପ୍ରାଣ ହରାଉଥିବା ଲୋକଙ୍କୁ ମଧ୍ୟ ସରକାର ତାଙ୍କ କରୋନାଜନିତ ମୃତ୍ୟୁ ତାଲିକାରେ ସ୍ଥାନ ଦେଉନାହାନ୍ତି । ଜଣେ ବ୍ୟକ୍ତି କରୋନାରେ ପ୍ରାଣ ହରାଇବା ପରେ ପରିବାର ଲୋକ ସକ୍ରାର ପାଇଁ ଶବକୁ ଗାଜିପୁର ଶ୍ମଶାନ ଘାଟକୁ ଆଣିଥିଲେ । ଏଠାରେ ପ୍ରବଳ ଭିଡ଼ ହୋଇଥିବାରୁ ପରିବାର ଲୋକ ଧାଡ଼ି ବାନ୍ଧି କାଗଜପତ୍ର କାମ କରିବାକୁ ଛିଡ଼ା ହୋଇଥିଲେ । ଏହି ସମୟରେ ଜଣେ ଅଧିକାରୀ କହିଥିଲେ ଯେ ଯେଉଁ ଲୋକମାନେ ଘରେ କରୋନାରେ ପ୍ରାଣ ହରାଉଛନ୍ତି, ସେମାନଙ୍କୁ କୋଭିଡ୍ ଶବ ସକ୍ରାର ତାଲିକାରେ ସାମିଲ କରାଯିବ ନାହିଁ । ଅଧିକାରୀ ଜଣଙ୍କ ଆହୁରି କହିଛନ୍ତି, ଏଠାକୁ ଆସୁଥିବା ଶବକୁ ଆମେ କରୋନା କିମ୍ବା ସ୍ୱାଭାବିକ ମୃତ୍ୟୁ ତାଲିକାରେ ସ୍ଥାନ ଦେଉଛୁ । ଯଦି କେହି ହସ୍ପିଟାଲରେ ପ୍ରାଣ ହରାଉଛି, ତା’ହେଲେ ଆମେ ଜାଣୁଛୁ ଯେ ସେମାନେ କରୋନାରେ ପ୍ରାଣ ହରାଇଛନ୍ତି । କିନ୍ତୁ ଘରେ ପ୍ରାଣ ହରାଉଥିବା ଲୋକମାନେ କରୋନାରେ ଯୋଗୁ ଆଖି ବୁଜିଛନ୍ତି କି ଅନ୍ୟ କୌଣସି କାରଣ ପାଇଁ ସେକଥା ଆମେ ଜାଣିପାରୁନାହୁଁ । ତେଣୁ ସେଭଳି ଲୋକଙ୍କ ନାଁ ସ୍ୱାଭାବିକ ମୃତ୍ୟୁ ତାଲିକାରେ ରଖାଯାଉଛି । ଯଦି କୌଣସି ବ୍ୟକ୍ତିଙ୍କ ପରିବାର ଲୋକ ବାରମ୍ବାର କରୋନା ଯୋଗୁ ତାଙ୍କର ପ୍ରିୟଜନ ପ୍ରାଣ ହରାଇଛନ୍ତି ବୋଲି କହୁଛନ୍ତି, ତା’ହେଲେ ଶ୍ମଶାନଘାଟରେ ସେମାନଙ୍କୁ ସନ୍ଦିଗ୍ଧ ତାଲିକାରେ ରଖାଯାଇ ସକ୍ରାର କରାଯାଉଛି । ଏହି ସମୟରେ କୋଭିଡ୍ ଗାଇଡଲାଇନ ପାଳନ କରାଯାଉଛି ବୋଲି ସେ କହିଛନ୍ତି । ଏପରି ଭାବେ ଶହଶହ ଲୋକଙ୍କ ଶବ ସକ୍ରାର କରାଯାଇଛି । ଏହାର ଅର୍ଥ ସରକାରଙ୍କ କରୋନା ମୃତ୍ୟୁ ତାଲିକା ତୁଳନାରେ ଆହୁରି ଅଧିକ ଲୋକ କରୋନା ପ୍ରାଣ ହରାଉଛନ୍ତି ।