ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଭେଟି ଉଚ୍ଛେଦ ହେଲା ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା

0 176

ଭୁବନେଶ୍ୱର, ୧୫ା୧୦(ଡିକେ ନ୍ୟୁଜ): ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ମୁଖ୍ୟମନ୍ତ୍ରୀ କାଲି ୭୭ ବର୍ଷରେ ପାଦ ଦେବେ । ତେବେ ଜନ୍ମଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ଏକ ବଡ଼ ଘୋଷଣା କରିଛନ୍ତି । ଯାହା ରାଜ୍ୟର ୫୭ ହଜାରରୁ ଉର୍ଦ୍ଧ୍ୱ ପରିବାରେ ଖୁସିର ଲହର ଖେଳାଇ ଦେଇଛି । ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି । ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହେବା ପରେ ୫୭ ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ । ରାଜ୍ୟ ତହବିଲରୁ ଏନେଇ ଖର୍ଚ୍ଚ ହେବ ୧୩ ଶହ କୋଟି ଟଙ୍କା । ଆଜି ଅପରାହ୍ନ ୪.୩୦ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଚୁକ୍ତିଭିତ୍ତିକ ନିଯକ୍ତି ବ୍ୟବସ୍ଥା ଉଚ୍ଛେଦ ନେଇ ନିଷ୍ପତ୍ତି ହୋଇଥିଲା । ଯାହାକୁ ମୁଖ୍ୟମନ୍ତ୍ରୀ ସନ୍ଧ୍ୟା ୬.୩୦ରେ ଘୋଷଣା କରିଥିଲେ । ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶାବାସୀଙ୍କ ଆଶୀର୍ବାଦରେ ସେ ୨୦୦୦ ମସିହାରେ ଓଡିଶା ମା\’ର ସେବାର ସୁଯୋଗ ପାଇଥିଲେ । ମହାବାତ୍ୟା ପର ସ୍ଥିତି ଓ ଦୁର୍ବଳ ଆର୍ଥିକ ଅବସ୍ଥା ତାଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା । ସେତେବେଳେ ରାଜ୍ୟ ଓଭର ଡ୍ରାଫ୍ଟରେ ଚାଲୁଥିଲା । ନିତିଦିନ ଖର୍ଚ୍ଚ ପାଇଁ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା । ତେବେ ଓଡିଶା ଅର୍ଥନୀତି ପାଇଁ ଏହା
ଏକ କଳା ସମୟ ଥିଲା । ଏହି ସମୟରେ ରାଜକୋଷ ଖାଲି ଥିଲା । ଅର୍ଥନୀତି ଉପରେ ବହୁତ ଚାପ ଥିଲା । ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, କୃଷି, ଜଳସେଚନ ଆଦି ବିଭିନ୍ନ କ୍ଷେତ୍ରରେ ଆମେ ବହୁତ ପଛୁଆ ଥିଲୁ । ବନ୍ୟା, ବାତ୍ୟା ମରୁଡି ଲାଗି ରହିଥିବା ଗରିବୀ ମଧ୍ୟ ବହୁ ଅଧିକ ଥିଲା । ସୀମିତ ସମ୍ବଳ ଭିତରେ ଏସବୁ କ୍ଷେତ୍ରରେ ଉନ୍ନତି ଆଣିବା ଥିଲା ଆମ ପାଇଁ ସବୁଠାରୁ ବଡ ପ୍ରାଥମିକତା ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେତେବେଳେ ନିଯୁକ୍ତି ପୁରାପୁରି ବନ୍ଦ ଥିଲା । ପୋଷ୍ଟ ସବୁ ଉଚ୍ଛେଦ କରିବାକୁ ପଡୁଥିଲା । ଏହା ମୋ ପାଇଁ ବହୁତ କଷ୍ଟକର ଥିଲା । ମୋ ରାଜ୍ୟର ପିଲାମାନେ ନିଯୁକ୍ତି ନ ପାଇ ହଇରାଣ ହେଉଥିଲେ । ଏହା ମୋତେ ବହୁତ ଦୁଃଖ ଦେଉଥିଲା । ପ୍ରତିଦିନ ମୋ ମନରେ ଚିନ୍ତା ଥିଲା, କେବେ ପରିସ୍ଥିତିରେ ଉନ୍ନତି ଆସିବ ଏବଂ ଆମ ପିଲାମାନେ ରେଗୁଲାର ନିଯୁକ୍ତି ପାଇବେ । ଆପଣମାନଙ୍କର ସହଯୋଗ ଓ ମହାପ୍ରଭୁଙ୍କ ଆଶୀର୍ବାଦ ହିଁ ଆମର ସବୁଠାରୁ ବଡ ଶକ୍ତି । ଉତ୍ତମ ଆର୍ଥିକ ପରିଚାଳନା ଓ ସୁଶାସନ ଜରିଆରେ ହିଁ ଧିରେ ଧିରେ ପରିସ୍ଥିତିରେ ଉନ୍ନତି ଆସିଲା । ୨୦୧୩ରୁ ଆମେ ଚୁକ୍ତିଭିତ୍ତିକ ନିଯୁକ୍ତି ଆରମ୍ଭ କଲୁ । ଏହା ମଧ୍ୟ ମୋ ପାଇଁ ଏକ କଷ୍ଟକର ନିଷ୍ପତ୍ତି ଥିଲା । ଏବେ ଆମ ଅର୍ଥନୀତିରେ ଉନ୍ନତି ଆସିଛି । ବିକାଶ କ୍ଷେତ୍ରରେ ଓଡିଶା ସାରା ଦେଶରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି । ଗତ ବର୍ଷ ଆମେ ଏହି ଚୁକ୍ତିଭିତ୍ତିକ ନିଯୁକ୍ତିକୁ ପରିବର୍ତ୍ତନ କରି ଇନିସିଆଲ ଆପଏଣ୍ଟି କରିଥିଲୁ ବୋଲି ସେ କହିଛନ୍ତି । ଏଥିସହିତ ଆଜିଠୁ ରାଜ୍ୟରେ ଏହି ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିସହିତ ସରକାରୀ କର୍ମଚାରୀମାନେ ସମସ୍ତେ ଭଲ କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ନିଷ୍ଠାର ସହ ଲୋକଙ୍କ ସେବା କରିବାକୁ ନବୀନ ନିବେଦନ କରିଛନ୍ତି । ଦାୟିତ୍ୱ ପାଳନ କରିବା ବେଳେ, ୫-ଟି ଉପକ୍ରମ, ଟିମ୍ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପ୍ୟାରେନ୍ସି ଓ ଟ୍ରାନ୍ସଫରମେସନ୍‌କୁ ଅନୁସରଣ କରନ୍ତୁ । ସରକାରଙ୍କ ପରିଚୟକୁ ଆହୁରି ଉଜ୍ଜଳ କରନ୍ତୁ ଏବଂ ଓଡିଶାର ରୂପାନ୍ତରରେ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖନ୍ତୁ ବୋଲି ନବୀନ କହିଛନ୍ତି ।

Leave A Reply

Your email address will not be published.