ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ବଢ଼ିବ ମୁମ୍ବାଇ ଓଡ଼ିଶା ଭବନର କଳେବର

0 201

ମୁମ୍ବାଇ, ୧୯ା୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁମ୍ବାଇସ୍ଥିତ ଓଡିଶା ଭବନର ସଂପ୍ରସାରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଭବନରେ ୨୮ ଗୋଟି ଏସି ରୁମ ଓ ୪ ଟି ଏସି ଡର୍ମିଟୋରୀ ରହିଛି । ଏହି ସବୁ ରୁମ ମଧ୍ୟରୁ ୧୬ ଗୋଟି ୨ ଶଯ୍ୟା ବିଶିଷ୍ଟ ଏସି ରୁମ ଓ ୨ ଟି ଏସି ଡର୍ମିଟୋରୀ ମୁମ୍ବାଇରେ କ୍ୟାନ୍ସର ଭଳି ଦୂରାରୋଗ୍ୟ ବ୍ୟାଧିର ଚିକିତ୍ସା ନିମନ୍ତେ ଆସୁଥିବା ଓଡିଆ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ସରକାରଙ୍କ ତରଫରୁ ରିହାତି ମୂଲ୍ୟରେ ଯୋଗାଇ ଦିଆଯାଉଥିବା ଏହି ରହଣି ସୁବିଧା ଦ୍ୱାରା ଓଡିଶାର ଆର୍ôଥକ ଦୁର୍ବଳ ଶ୍ରେଣୀର ରୋଗୀମାନେ ବିଶେଷ ଭାବେ ଉପକୃତ ହୋଇ ଆସୁଛନ୍ତି । ତେବେ ମୁମ୍ବାଇ ଓଡିଶା ଭବନରେ ରୋଗୀମାନଙ୍କ ପାଇଁ ଅଧିକ ରୁମର ବ୍ୟବସ୍ଥା କରିବାକୁ ଓଡିଶାର ଜନସାଧାରଣ ତଥା ମୁମ୍ବାଇସ୍ଥିତ ବିଭିନ୍ନ ଓଡିଆ ସଂଗଠନ ତରଫରୁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା । ସେମାନଙ୍କର ଦାବୀକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ -ଟି) ଭି. କେ. ପାଣ୍ଡିଆନ, ନିର୍ମାଣ ବିଭାଗ ଓ ଇଡ୍‌କୋର ଅଧିକାରୀ ବୃନ୍ଦ ତଥା ମୁମ୍ବାଇସ୍ଥିତ ବିଭିନ୍ନ ଓଡିଆ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଓଡିଶା ଭବନ, ମୁମ୍ବାଇର ଏହି ସଂପ୍ରସାରଣ ପୂର୍ଣ୍ଣ ହେଲେ ମୁମ୍ବାଇ ଭଳି ବ୍ୟୟବହୁଳ ସହରରେ ଅଧିକ କ୍ୟାନ୍ସର ପୀଡିତଙ୍କୁ ସ୍ୱଳ୍ପ ମୂଲ୍ୟରେ ରହଣି ଯୋଗାଇ ଦିଆଯାଇ ପାରିବ । ଏଥି ନିମନ୍ତେ ଓଡିଶାର ଜନସାଧାରଣ ତଥା ମୁମ୍ବାଇସ୍ଥିତ ବିଭିନ୍ନ ଓଡିଆ ସଂଗଠନ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ କାର୍ଯ୍ୟରେ ମୁମ୍ବାଇ ଆସୁଥିବା ସରକାରୀ ଅଧିକାରୀ ଓ ଜନସାଧାରଣଙ୍କୁ ମୁମ୍ବାଇ ଭଳି ମେଟ୍ରୋ ସହରରେ ସୁଲଭ ମୂଲ୍ୟରେ ରହଣି ଯୋଗାଇଦେବା ଉଦ୍ଦେଶ୍ୟରେ ଓଡିଶା ଭବନ, ମୁମ୍ବାଇ କାର୍ଯ୍ୟକରୁଛି ।

Leave A Reply

Your email address will not be published.