ବିହାରକୁ ଗଞ୍ଜେଇ ଚାଲାଣ ବେଳେ ଜଣେ ମହିଳାଙ୍କ ସମେତ ୭ ଗିରଫ, ୩ଟି କାର ଜବତ

0 218

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଅଡବା ଓ ମୋହନା ବ୍ଲକର ଦୁର୍ଗମ ଅଞ୍ଚଳରୁ ପୃଥକ ପୃଥକ ଭାବେ ୩ ଗୋଟି କାର ଯୋଗେ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇକୁ ବିହାର ଚାଲାଣ ବେଳେ ପୋଲିସ ଦ୍ୱାରା ଜବତ ହୋଇଛି । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୭ଜଣ ଗିରଫ ହୋଇଛନ୍ତି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାପାଳ ଅନୁପମ ସାହା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ଗଞ୍ଜେଇ ଚାଷ ତଥା ଚାଲାଣକୁ ରୋକିବା ପାଇଁ ବ୍ୟାପକ ଖାନତଲାସି ଅଭିଯାନ ଚାଲୁ ରହିଛି । ଦୈନନ୍ଦିନ ଜିଲ୍ଲାରେ ଗୋଟିଏ ନା ଗୋଟିଏ ଗଞ୍ଜେଇ ମାମଲା ସାମନାକୁ ଆସୁଛି । ଏହି ପରିପ୍ରେକ୍ଷୀରେ ମୋହନା ଥାନା ଅନ୍ତର୍ଗତ କମଳାପୁର ଛକ ଠାରେ ଗତକାଲି ପୋଲିସ ପକ୍ଷରୁ ପେଟ୍ରୋଲିଂ ସମୟରେ ଏକ କାରୁ ୧କୁଇଣ୍ଟାଲ ୩୦ କେଜି ୭୦୦ଗ୍ରାମ ଚୋରା ଗଞ୍ଜେଇ ଜବତ ହୋଇଥିବାର ଜଣାପଡିଛି । ଏହି ଚୋରା ଗଞ୍ଜେଇ ଚାଲାଣ କରୁଥିବା ବିହାର ରାଜ୍ୟର ପ୍ରବୀଣ କୁମାର ଓ ଶଙ୍କର ରାୟଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଏମାନେ ଚାଲାଣ ପାଇଁ ବ୍ୟବହୃତ କରିଥିବା କାର ନଂ ଡବ୍ଲ୍ୟୁବି ୨୪କେ ୮୨୪୬ ଗାଡିଟିକୁ ଜବତ କରାଯାଇଛି । ଏହି ଗାଡିରୁ ୫ଗୋଟି ଜରି ବ୍ୟାଗରେ ଗଞ୍ଜେଇ ଜବତ କରାଯାଇଛି । ଏହି ଚଢାଉରେ ମୋହନା ଥାନା ଏସ୍.ଆଇ. ସୁନୀଲ ଦଳେଇ ଏବଂ ତାଙ୍କର ଟିମ ଉପସ୍ଥିଥିଲେ । ଏନେଇ ମୋହନା ଥାନାରେ ୫୦/୨୧ ନମ୍ବରରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ମୋହନା ଥାନା ସୂତ୍ରରୁ ପ୍ରକାଶ । ସେହିପରି ଅଡବା ଥାନା ଅଞ୍ଚଳରେ ଏସ୍ଆଇ ହୃଷିକେଶ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍ ରାତିରେ ପେଟ୍ରୋଲିଂ କରୁଥିବା ବେଳେ ବିହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପେଟ୍ରୋଲିଂ ଟିମ୍ର ହାବୁଡରେ ପଡିଥିଲେ । ଏନେଇ ଅଡବା ପୋଲିସ ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୩୦କେଜି ୨୦୦ ଗ୍ରାମ ଗଞ୍ଜେଇ ସହ ୨ଟି କାର ଜବତ କରାଯାଇଛି । ଗିରଫ ମାନେ ହେଲେ ବିହାର ରାଜ୍ୟର ଆଜାଦ କୁମାର, ରାମ ଦଲିଲ ରାୟ, ଜଳେଶ୍ୱର ରାୟ, ଭୀମରାୟ ଓ ମହିଳା ହେଲେରୁ ରୁବିଦେବୀ । ଏନେଇ ଅଡବା ଥାନାରେ ୩୬/୨୧ରେ ଏକ ମାମଲା ରୁଜୁ କରାଯାଇଥିବାର ଅଡବା ଥାନା ଏସ୍.ଆଇ. ଉକ୍ରଳରଂଜନ ଦାସଙ୍କ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.