ବାୟୁ ପ୍ରଦୂଷଣ ରୋକାଯାଉ

0 193

ଦିଲ୍ଲୀ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର । ଏଭଳି ତଥ୍ୟ ଆସିବା ପରେ ସମସ୍ତଙ୍କୁ ଏହା ଚିନ୍ତାରେ ପକାଇ ଦେଇଛି । ସୁଇସ୍ ସଂଗଠନ ପକ୍ଷରୁ ଜାରି କରାଯାଇଥିବା ଏୟାର କ୍ୱାଲିଟି ରିପୋର୍ଟ ୨୦୨୦ରେ ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀ ମଧ୍ୟରେ ଦିଲ୍ଲୀର ନାଁ ଆଗରେ ରହିଛି । ସେହିପରି ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ଟୁରିଷ୍ଟ ସହର ମଧ୍ୟରେ ଭାରତରେ କେବଳ ୨୨ଟି ରହିଛି । ୱାର୍ଲ୍ଡ କ୍ୟାପିଟାଲ ସିଟି ର୍ୟାଙ୍କିଙ୍ଗ୍ରେ ଦିଲ୍ଲୀ ସବୁଠୁ ଆଗରେ ଥିବାବେଳେ ଏହାପଛକୁ ଢ଼ାକା ଏବଂ ଉଲାନବଟାର ରହିଛି । ୨୦୧୯ ଅପେକ୍ଷା ୨୦୨୦ରେ ଦିଲ୍ଲୀରେ ବାୟୁ ଗୁଣବତ୍ତାରେ ଅବଶ୍ୟ ୧୫ ପ୍ରତିଶତ ସୁଧାର ଆସିଛି । ଏହାସତ୍ତେ୍ୱ ଭାରତର ରାଜଧାନୀ ସବୁଠାରୁ ପ୍ରଦୂଷିତ ସହର ତାଲିକାରେ ୧୦ମ ସ୍ଥାନରେ ରହିଛି । ଖାଲି ସେତିକି ନୁହେଁ ସବୁଠାରୁ ପ୍ରଦୂଷିତ ରାଜଧାନୀର ମାନ୍ୟତାକୁ ମଧ୍ୟ ବଜାୟ ରଖିଛି । ଯାହା ଆମ ପାଇଁ ଲଜ୍ଜାଜନକ ଘଟଣା । ବାୟୁ ପ୍ରଦୂଷଣ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । କେଜରିୱାଲ ସରକାର ପୂର୍ବରୁ ଇଭେନ୍ ଏବଂ ଓଡ୍ ନମ୍ବର ଅନୁଯାୟୀ ଗାଡ଼ି ଚଳାଇବାକୁ ମଧ୍ୟ ନିୟମ ପ୍ରଣୟନ କରିଥିଲେ । ମାତ୍ର ତାହା କୌଣସି ପ୍ରଭାବ ପକାଇଲା ନାହିଁ । ଯଥା ପୂର୍ବଂ ତଥା ପରଂ ଭଳି କିଛିଦିନ ଏହି ନିୟମ ବଳବତ୍ତର ରହିବା ପରେ ପୂର୍ବଭଳି ସବୁ ଖୋଲାମେଲା ହୋଇଗଲା । ଖାଲି ଆମ ଦେଶରେ ଗାଡ଼ିସଂଖ୍ୟା ବୃଦ୍ଧି ଘଟୁନାହିଁ । ଅନେକ ବିକାଶଶୀଳ ଦେଶରେ ଆମଠାରୁ ଅଧିକ ଗାଡ଼ି ମୋଟର ବ୍ୟବହାର ହେଉଛି । ମାତ୍ର ସେଠାରେ ପ୍ରଦୂଷଣର ମାତ୍ରା କମ୍ ରହୁଥିବା ବେଳେ ଆମ ଦେଶର ରାଜଧାନୀର ଅବସ୍ଥା କାହିଁକି ଏଭଳି ହେଉଛି ତାହା ନିଶ୍ଚୟ ଆଲୋଚନାର ବିଷୟ । ଗୋଟେ ଜିନିଷ ହେଲା ସଚେତନତା । ଯଦି ଆମେ ଗାଡ଼ିର ପଲ୍ୟୁସନକୁ ଠିକ୍ ଭାବେ ଯାଞ୍ଚ କରି ବିହୀତ ପଦକ୍ଷେପ ଗ୍ରହଣ କରନ୍ତେ ବହୁଳ ପରିମାଣରେ ସବୁଜ ବନାନୀ ସୃଷ୍ଟି କରନ୍ତେ ତେବେ ଏହି ପ୍ରଦୂଷଣରୁ ଆମେମାନେ ମୁକ୍ତି ପାଇପାରନ୍ତେ । କିନ୍ତୁ ବାସ୍ତବିକ ସବୁଜ ବନାନୀ ନାଁରେ କୋଟି କୋଟି ଟଙ୍କା ଚଳୁ ହେଉଥିବା ଦେଖିବାକୁ ମିଳୁଛି । କେଉଁଠି ଗଛ ପାଣି ଅଭାବରୁ ମରିଯାଉଛି ତ ଆଉ କେଉଁଠି ଗଛକୁ ଗାଈଗୋରୁ ଖାଇସାରିଲେଣି । ଆଉ କେଉଁଠି ଗଛ ନଲାଗି କୋଟି କୋଟି ଟଙ୍କା କାଗଜ କଲମରେ ଦର୍ଶାଇ ଚଳୁ ହୋଇଗଲାଣି । ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ନୂତନ ଜଙ୍ଗଲ ସୃଷ୍ଟି ଏକମାତ୍ର ପନ୍ଥା ହୋଇଥିବାବେଳେ ଆମେ ଏହାକୁ ଅଣଦେଖା କରୁଛେ । ଏପରି ଦିନ ଆସିବ ଯେଉଁଦିନ କି ପ୍ରଦୂଷିତ ବାୟୁ ପାଇଁ ହଜାର ହଜାର ସଂଖ୍ୟାରେ ଲୋକେ ରୋଗାକ୍ରାନ୍ତ ହେବା ସହିତ ପ୍ରାଣ ମଧ୍ୟ ଚାଲିଯିବ । ତେଣୁ ବେଳହୁଁ ସାବଧାନ ଭଳି ଏବେଠାରୁ ସେଥିପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ ।

Leave A Reply

Your email address will not be published.