ନୂତନ ବରଷ -୨୦୨୩ , ଆମରି କାମନା

0 242

ଆସ ଆସ ନୂଆଁ ବରଷ ଆସ ତୁମ ଶୁଭ ଆଗମନକୁ ଅନାଇ
ରହିଅଛୁ ମନେ ହୋଇ ହରଷ,
ନୂଆଁ ତିଥି ନୂଆଁ ଦିବସ ମାସ ତୁମରି ନାମରେ ହୋଇ ପରିଚିତ
ରଖିବେ ତାଙ୍କରି କୀରତି ଯଶ ।(୧)
ଜଗନ୍ନାଥ ଆମ ଜଗତ ସାଇଁ ଗ୍ରହ ନକ୍ଷତ୍ରଙ୍କ ଗତିବିଧି ସବୁ
ଚକାନୟନରେ ରହିଛି ଚାହିଁ
ଦାରୁବ୍ରହ୍ମ ସ୍ଥିର ଗୋସାଇଁ ଶୁଭା ଶୁଭ ଦାତା ଜଗତ କରତା
କାମନା ବାସନା ତା ନେତ୍ର ଦୁଇ ।(୨)
କାମନାରେ କରିଲେ ସେବା ମନର ବାସନା ପୂରଣ କରିଣ
ନିବାରିବେ ଦୁଷ୍ଟଗ୍ରହ ବିପତ୍ତି
ସଦା ତାର ସେବକ ସେବା ଷାଠିଏ ପଉଟି ଭୋଗ ବାଣ୍ଟି କହେ
ଆନନ୍ଦରେ ସର୍ବେ ଯାଅରେ ମାତି ।(୩)
ରୁଦ୍ରରୂପ ଆମ ଶ୍ରୀଲିଙ୍ଗରାଜ ଜଗତ ଜନଙ୍କ ଦୁଃଖ ବିମୋଚନେ
ନାନାରୂପେ ସେହୁ ସବୁଠି ପୂଜ୍ୟ
ଯୋଗେଶ୍ୱର ମହାଦେବ ଶଙ୍କର ସଦାଶିବ ହର ନାମକୁ ଧ୍ୟାୟୀଲେ
ଗ୍ରହ ଦୋଷ ମୁକ୍ତ ବଡ ସହଜ ।(୪)
ଦୁର୍ଗତି ନାଶିନୀ ଦେବୀ ଭବାନୀ ରାମଚଣ୍ଡି ଦୁର୍ଗା ବିରଜା ଚର୍ଚ୍ଚିକା
ସମଲାଇ ନାମ ବିଖ୍ୟାତ ପୁଣି
ମାତାଙ୍କ ଚରଣେ କଲେ ଭକତି ଦୁଃଖ ବିପତ୍ତି ଯିବ ଦୂର ହୋଇ
ସଙ୍କଟରୁ ସଦା ରଖିବେ ଜାଣି ।(୫)
ବିଘ୍ନ ବିନାଶକ ଦେବ ଗଣେଶ ଉମା ମହେଶଙ୍କ ଆଶିଷ ବଳରେ
ବାଧା ବିଘ୍ନମାନ କରନ୍ତି ନାଶ
ରିପୁଗଣ ଷଡ଼ରୂପେ ନିବାସ ଗଜାନନ ପଦ କରିଲେ ବନ୍ଦନ
ଅଚିରେ ହୋଇବେ ସେ ସବୁ ନାଶ ।(୬)
ଗ୍ରହରାଜ ଦେବ ଦିବାକର ସତ୍ୟଧର୍ମ ପାଳି ଜଗତେ ବିହରେ
ଭଲ ମନ୍ଦ ତାଙ୍କ ନାହିଁ ବିଚାର
ସବୁଠାରେ ତାଙ୍କ ସମାନ ଭାବ ତାଙ୍କ ନୀରାଜନେ ଜନ୍ମେ ସମଜ୍ଞାନ
ଗ୍ରହଦୋଷ ରୋଗ ପାଉ ନିସ୍ତାର ।(୭)
ନବ ଶତାଦ୍ଦୀର ନବ ବରଷ ନୂତନ ଦିବସେ ମନର ହରଷେ
କାମନା ହେଉ ସଭିଙ୍କ ଆଶିଷ
ସୁଖ ଶାନ୍ତି ଲଭୁ ସଦା ମାନସ ପର ଦୋଷ ଦୁର୍ବଳତାକୁ ବରଜି
କର୍ମ ସାଧନାରେ ରହୁ ମାନସ ।(୮)

ଶ୍ରୀ ନୀଳାଚଳ ତ୍ରିପାଠୀ
ଏମ୍‌.ବି-୫୭
ବଡ଼ଗଡ଼ ବ୍ରିଟ୍‌ କଲୋନୀ
ଭୁବନେଶ୍ୱର-୧୮

Leave A Reply

Your email address will not be published.