ସଭ୍ୟତାର ଆରମ୍ଭରୁ ନଦୀ କେବଳ ଜଳଧାରା ନୁହେଁ, ମଣିଷର ଜୀବନ, ଜୀବିକା, ସଂସ୍କୃତି ଓ ପରିବେଶର ମୂଳ ଆଧାର ହୋଇ ଆସିଛି। କିନ୍ତୁ ଆଜି ସୁନ୍ଦରଗଡ, ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲାର ହଜାର ହଜାର ଲୋକଙ୍କ ଜୀବନରେଖା ଭାବେ ପରିଚିତ ଭେଡେନ ନଦୀ ନିଜ ଅସ୍ତିତ୍ୱ ପାଇଁ ସଂଗ୍ରାମ କରୁଛି। ଏହି ନଦୀର ବର୍ତ୍ତମାନ ସ୍ଥିତି କେବଳ ଏକ ପରିବେଶଗତ ସଙ୍କଟ ନୁହେଁ, ବରଂ ଆଗାମୀ ଦିନରେ ଏକ ଗୁରୁତର ସାମାଜିକ, ଆର୍ଥିକ ଓ ପରିବେଶୀୟ ବିପର୍ଯ୍ୟୟର ସଙ୍କେତ।
ସୁନ୍ଦରଗଡ ଜିଲ୍ଲାର ବଣାଇଁ ଉପଖଣ୍ଡରୁ ଉତ୍ପତ୍ତି ଲାଭ କରିଥିବା ଭେଡେନ ନଦୀ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡ, ରେଙ୍ଗାଲି ବ୍ଲକ ଓ ସଦର ଅଞ୍ଚଳ ଦେଇ ପ୍ରବାହିତ ହୋଇ ଝାରସୁଗୁଡା ଜିଲ୍ଲାର ସଦର ଓ କୋଲାବିରା ବ୍ଲକକୁ ଜୀବନଦାନ କରି ଶେଷରେ ଖେରୁଆଳ ନିକଟରେ ଇବ୍ ନଦୀରେ ମିଶିଯାଏ। ଏହି ନଦୀ ଉପରେ ନିର୍ଭର କରି ଅନେକ ଗ୍ରାମର କୃଷି, ପାନୀୟ ଜଳ, ପଶୁପାଳନ ଓ ମତ୍ସ୍ୟଜୀବୀ ସମୁଦାୟର ଜୀବିକା ଚାଲିଥାଏ।

କିନ୍ତୁ ଚଳିତ ବର୍ଷ ଫେବୃଆରୀ ମାସରୁ ନଦୀର ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ଯେଉଁ ନଦୀରେ ବର୍ଷସାରା ପ୍ରଚୁର ଜଳ ରହୁଥିଲା, ସେହି ନଦୀ ଆଜି ଶୁଖିଲା ବାଲୁକା ପଠାରେ ପରିଣତ ହେବାକୁ ବସିଛି। ନଦୀର ବିଭିନ୍ନ ସ୍ଥାନରେ ଥିବା ଗଭୀର ଦରହଗୁଡ଼ିକ ମଧ୍ୟ ଜଳଶୂନ୍ୟ ହୋଇପଡ଼ିଛି।
ମହାଦେବପାଲିର ପ୍ରସିଦ୍ଧ ରାଣୀ ଦରହ, ଯେଉଁଠାରେ ଅତୀତରେ ହାତୀ ବୁଡ଼ିଯିବା ପରି ଗଭୀର ପାଣି ବର୍ଷସାରା ରହୁଥିଲା, ଆଜି ସମ୍ପୂର୍ଣ୍ଣ ଶୁଖିଯାଇଛି। ସେହିପରି ବୁଦୁଲାପାଲି-ଦଳପତପାଲି ମଧ୍ୟରେ ଥିବା ବିହାର ବାଏଲ ଦରହ, ବାଗଡ଼ିଆ ଦରହ, ଲଏଡା ଦରହ, ସେନା ଦରହ, ଘୁଘର ଦରହ ଓ ସମଲେଇ ଦରହର ଅବସ୍ଥା ମଧ୍ୟ ସଙ୍କଟଜନକ। ଏହି ଦରହଗୁଡ଼ିକ କେବଳ ଜଳଭଣ୍ଡାର ନୁହେଁ, ବରଂ ଜଳଜୀବ, ପକ୍ଷୀ ଓ ସ୍ଥାନୀୟ ଜୈବ ବିବିଧତାର ଆଶ୍ରୟସ୍ଥଳ ଥିଲା।
କାହିଁକି ଶୁଖିଯାଉଛି ଭେଡେନ ନଦୀ ?
ଭେଡେନ ନଦୀର ବର୍ତ୍ତମାନ ସ୍ଥିତି ପଛରେ ଅନେକ ମାନବସୃଷ୍ଟ ଓ ପ୍ରାକୃତିକ କାରଣ ରହିଛି।
ପ୍ରଥମତଃ, ଚଳିତ ବର୍ଷ ସ୍ୱଳ୍ପ ବର୍ଷା ହେବା ଯୋଗୁଁ ନଦୀ ପୂର୍ଣ୍ଣଗର୍ଭା ହୋଇପାରିନଥିଲା। ବର୍ଷା ଜଳର ଅଭାବ ଫଳରେ ନଦୀର ଜଳସ୍ତର ଆରମ୍ଭରୁ ହିଁ ନିମ୍ନ ରହିଥିଲା।
ଦ୍ୱିତୀୟତଃ, ନଦୀ ଉପରେ ନିର୍ମିତ ବିଭିନ୍ନ ଚେକ୍ ଡ୍ୟାମ ଓ ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ଅତ୍ୟଧିକ ପରିମାଣରେ ଜଳ ଉତ୍ତୋଳନ କରାଯାଉଛି। ଏହା ନଦୀର ସ୍ୱାଭାବିକ ପ୍ରବାହକୁ ପ୍ରଭାବିତ କରୁଛି।
ତୃତୀୟତଃ, ନଦୀରେ ଅବିଚାରିତ ବାଲି ଉତ୍ତୋଳନ ଏକ ବଡ଼ ସମସ୍ୟା। ନଦୀ ପଠା ଶୁଖିଯିବା ପରେ ଭାରୀ ହାଇୱା ଓ ଯନ୍ତ୍ରପାତି ନଦୀ ଭିତରେ ଚଳାଚଳ କରୁଛି। ଏହା ନଦୀର ପ୍ରାକୃତିକ ଗଠନକୁ କ୍ଷତିଗ୍ରସ୍ତ କରୁଛି ଏବଂ ଜଳଧାରଣ କ୍ଷମତାକୁ ହ୍ରାସ କରୁଛି।
ଚତୁର୍ଥତଃ, ନଦୀତଟବର୍ତ୍ତୀ ଅଞ୍ଚଳରେ ଥିବା ଶିଳ୍ପ କାରଖାନାର ବର୍ଜ୍ୟଜଳ, ସ୍ଲରୀ ଏବଂ ପାଉଁଶ ପୋଖରୀର ଅବଶିଷ୍ଟ ବର୍ଷାଜଳ ସହ ଧୋଇ ନଦୀରେ ମିଶୁଛି। ଏହା ନଦୀର ତଳଭାଗକୁ କ୍ରମଶଃ ପୋତି ଦେଉଛି।ସଂକୁଚିତ ହେଉଛି ନଦୀର ଗର୍ଭ।
ଏକ ସମୟରେ ୫୦ ରୁ ୬୦ ଫୁଟ ଗଭୀର ଥିବା ଭେଡେନ ନଦୀର ଗଭୀରତା ଆଜି ୩୦ ରୁ ୪୦ ଫୁଟକୁ ଖସି ଆସିଛି ବୋଲି ସ୍ଥାନୀୟ ଲୋକ ମତ ଦେଉଛନ୍ତି। ବ୍ୟାପକ ମୃତ୍ତିକା କ୍ଷୟ ଓ ପଲି ଜମା ହେବା ଫଳରେ ଦରହଗୁଡ଼ିକ ପୋତି ହୋଇ ଛୋଟ ହେବାରେ ଲାଗିଛି। ଫଳରେ ସେମାନଙ୍କର ଜଳଧାରଣ କ୍ଷମତା ହ୍ରାସ ପାଉଛି।ନଦୀ କୂଳ ଭାଙ୍ଗିବା, ପଲି ଜମିବା ଓ ଅନିୟନ୍ତ୍ରିତ ମାନବ ହସ୍ତକ୍ଷେପ ଫଳରେ ନଦୀ ଧୀରେ ଧୀରେ ଗଭୀରତା ହରାଇ ଓସାରିଆ ହେଉଛି। ଏହି ଧାରା ଜାରି ରହିଲେ ଆଗାମୀ କିଛି ବର୍ଷ ମଧ୍ୟରେ ନଦୀ ତାହାର ମୂଳ ସ୍ୱରୂପ ହରାଇବାର ଆଶଙ୍କାକୁ ଅସ୍ୱୀକାର କରାଯାଇପାରିବ ନାହିଁ।
ବିପଦରେ କୃଷି, ପଶୁପାଳନ ଓ ଜୀବିକା
ଭେଡେନ ନଦୀ କେବଳ ଜଳର ଉତ୍ସ ନୁହେଁ, ଏହା ହଜାର ହଜାର କୃଷକଙ୍କ ଜୀବନର ଆଧାର। ନଦୀ ତଟବର୍ତ୍ତୀ ଅଞ୍ଚଳରେ ଡାଳୁଆ ଧାନ ଚାଷର ପରିମାଣ ବୃଦ୍ଧି ପାଇଥିବା ବେଳେ ନଦୀରେ ଜଳ କମିଯିବା ଭବିଷ୍ୟତରେ କୃଷି ଉତ୍ପାଦନକୁ ଗୁରୁତର ଭାବେ ପ୍ରଭାବିତ କରିବ।
ଏହା ସହିତ ପଶୁପାଳନ, ମତ୍ସ୍ୟଚାଷ ଓ ଦୈନନ୍ଦିନ ଜଳ ଆବଶ୍ୟକତା ମଧ୍ୟ ସଙ୍କଟରେ ପଡ଼ିବ। ଜଳର ଅଭାବ ଫଳରେ ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ମଧ୍ୟ ଗୁରୁତର ହୋଇପାରେ।
ଜୈବ ବିବିଧତା ଉପରେ ଭୟଙ୍କର ପ୍ରଭାବ।
ନଦୀ ଶୁଖିଯିବାର ସବୁଠାରୁ ଭୟଙ୍କର ପ୍ରଭାବ ପଡ଼ିବ ଜୈବ ବିବିଧତା ଉପରେ। ମାଛ, କଙ୍କଡ଼ା, ଜଳଚର ପ୍ରାଣୀ, ପକ୍ଷୀ ଓ ନଦୀକୂଳବର୍ତ୍ତୀ ଉଦ୍ଭିଦଗୁଡ଼ିକର ଅସ୍ତିତ୍ୱ ବିପଦରେ ପଡ଼ିବ। ନଦୀ ହେଉଛି ଏକ ଜୀବନ୍ତ ପରିବେଶ ବ୍ୟବସ୍ଥା। ଏହାର କ୍ଷୟକ୍ଷତି ସମଗ୍ର ପରିବେଶୀୟ ସନ୍ତୁଳନକୁ ବିପର୍ଯ୍ୟସ୍ତ କରିପାରେ।
କଣ ହୋଇପାରେ ସମାଧାନ ?
ଭେଡେନ ନଦୀକୁ ବଞ୍ଚାଇବା ପାଇଁ କେବଳ ସରକାର ନୁହେଁ, ସାଧାରଣ ଲୋକ, ପରିବେଶବିତ୍, ଶିଳ୍ପ ସଂସ୍ଥା ଓ ସ୍ଥାନୀୟ ପ୍ରଶାସନଙ୍କ ସମନ୍ୱିତ ପଦକ୍ଷେପ ଆବଶ୍ୟକ।
ଅବୈଧ ଓ ଅନିୟନ୍ତ୍ରିତ ବାଲି ଉତ୍ତୋଳନ ଉପରେ କଡ଼ା ନିୟନ୍ତ୍ରଣ।
ନଦୀରେ ଜମା ହୋଇଥିବା ପଲି ଓ ଆବର୍ଜନା ଅପସାରଣ।
ବର୍ଷାଜଳ ସଂରକ୍ଷଣ ପାଇଁ ଉପଯୁକ୍ତ ସ୍ଥାନରେ ଛୋଟ ଛୋଟ ଚେକ୍ ଡ୍ୟାମ ନିର୍ମାଣ।
ନଦୀତଟରେ ବୃକ୍ଷରୋପଣ ଓ ମୃତ୍ତିକା କ୍ଷୟ ରୋକିବା ପଦକ୍ଷେପ।
ଶିଳ୍ପ ପ୍ରତିଷ୍ଠାନଗୁଡ଼ିକର ବର୍ଜ୍ୟଜଳ ନିଷ୍କାସନ ଉପରେ କଡ଼ା ନଜରଦାରୀ।
ନଦୀ ପୁନରୁଦ୍ଧାର ପାଇଁ ଏକ ସ୍ୱତନ୍ତ୍ର ସମନ୍ୱିତ ମାଷ୍ଟର ପ୍ଲାନ ପ୍ରସ୍ତୁତି।
ଭେଡେନ ନଦୀର ବର୍ତ୍ତମାନ ସ୍ଥିତି ଏକ ସତର୍କ ସଙ୍କେତ। ଯଦି ଆଜି ଏହାକୁ ଗୁରୁତ୍ୱ ଦିଆନଯାଏ, ତେବେ ଆସନ୍ତା ପିଢ଼ି ହୁଏତ ଭେଡେନ ନଦୀକୁ କେବଳ ଇତିହାସର ପୃଷ୍ଠାରେ ଖୋଜିବ। ତିନି ଜିଲ୍ଲାର ଜୀବନ, ଜୀବିକା, ପରିବେଶ ଓ ଜୈବ ବିବିଧତା ସହ ଜଡ଼ିତ ଏହି ନଦୀକୁ ବଞ୍ଚାଇବା ଏବେ ସମୟର ସବୁଠାରୁ ବଡ଼ ଆବଶ୍ୟକତା।
ନଦୀ କେବଳ ପାଣି ନୁହେଁ, ଏହା ଏକ ଅଞ୍ଚଳର ଅସ୍ତିତ୍ୱ। ଭେଡେନ ବଞ୍ଚିଲେ ତିନି ଜିଲ୍ଲାର ଭବିଷ୍ୟତ ବଞ୍ଚିବ; ଭେଡେନ ହାରିଗଲେ ହାରିଯିବ ଏକ ସମ୍ପୂର୍ଣ୍ଣ ପରିବେଶ ବ୍ୟବସ୍ଥା। ତେଣୁ ଏବେ ହିଁ ସମୟ—ସଚେତନ ହେବାର, ସଂରକ୍ଷଣ କରିବାର ଓ ଭେଡେନ ନଦୀକୁ ପୁନର୍ଜୀବିତ କରିବାର ସମୟ ଆସିଛି।