ଅବକାରୀ ବିଭାଗର ଚଢ଼ାଉ ୫୨ କିଲୋଗ୍ରାମ ଗଞ୍ଜେଇ ସହିତ ୬ ଅଭିଯୁକ୍ତ ଗିରଫ, ୨ କାର ଜବତ

ଅବକାରୀ ବିଭାଗର ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି

0 44
ଖୋର୍ଦ୍ଧା :- ଖୋର୍ଦ୍ଧା ଜିଲ୍ଲାରେ ଅବୈଧ ମାଦକ ଦ୍ରବ୍ୟ କାରବାର ବିରୋଧରେ ଚାଲିଥିବା ଅବକାରୀ ବିଭାଗର ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି। ଗତ କିଛି ଦିନ ଧରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଞ୍ଜେଇ ଚାଲାଣ ନେଇ ଗୁପ୍ତ ସୂଚନା ପାଇବା ପରେ ଅବକାରୀ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ  ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଅଭିଯାନରେ ଦୁଇଟି ପୃଥକ ସ୍ଥାନରେ ଚଢ଼ାଉ କରି ମୋଟ ୫୨ କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
               
           ଜବତ ଗଞ୍ଜେଇର ବଜାର ମୂଲ୍ୟ ପ୍ରାୟ ୫ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ଆକଳନ କରିଛି। ସୂଚନନୁଯାୟୀ , କନ୍ଧମାଳ ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଭୁବନେଶ୍ୱର ଅଭିମୁଖେ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ନିର୍ଭରଯୋଗ୍ୟ ଖବର ମିଳିଥିଲା। ଏହାପରେ ଖୋର୍ଦ୍ଧା ଅବକାରୀ ଷ୍ଟେସନ ଏବଂ ବେଗୁନିଆ ଅବକାରୀ ଷ୍ଟେସନର ଅଧିକାରୀମାନେ ମିଳିତ ଭାବେ ଏକ ସୁପରିକଳ୍ପିତ ଅଭିଯାନର ରୂପରେଖା ପ୍ରସ୍ତୁତ କରିଥିଲେ। ରାଜପଥ ଓ ପ୍ରମୁଖ ଯାତାୟାତ ପଥରେ ଗାଡ଼ି ଗୁଡିକ ଯାଞ୍ଚ କଡ଼ାକଡ଼ି କରାଯାଇଥିଲା।
         ପ୍ରଥମ ଘଟଣାରେ ୫୭ ନମ୍ବର ଜାତୀୟ ରାଜପଥର ପିତାପଲ୍ଲୀ ନିକଟରେ ଅବକାରୀ ଅଧିକାରୀମାନେ ଏକ ସନ୍ଦିଗ୍ଧ ମାରୁତି କାର ନମ୍ବର ଓଡି-୦୨- ସିସି -୭୩୫୬ କୁ ଅଟକାଇ ତଲାସି କରିଥିଲେ। ତଲାସି ସମୟରେ ଗାଡ଼ି ଭିତରେ ଚତୁରତାର ସହ ଲୁଚାଇ ରଖାଯାଇଥିବା ୩୦ କିଲୋଗ୍ରାମ ଗଞ୍ଜେଇ ଠାବ କରାଯାଇଥିଲା। ଏହା ସହିତ ତିନୋଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଥିଲା। ଘଟଣାସ୍ଥଳରୁ ସୁଭେନ ବଘାର (୨୦) ସଲିମ ହାତୀ (୨୫) ଏବଂ ସୁରେନ୍ଦ୍ର କହଁର (୩୫)ଙ୍କୁ ଗିରଫ କରାଯାଇଥିଲା। ପଚରାଉଚରା ବେଳେ ସେମାନେ କନ୍ଧମାଳରୁ ଗଞ୍ଜେଇ ଆଣି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଯୋଗାଣ କରିବାକୁ ଯାଉଥିବା ନେଇ ସୂଚନା ମିଳିଥିବା ଜଣାପଡ଼ିଛି।
          ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ବେଗୁନିଆ ଅବକାରୀ ଷ୍ଟେସନକୁ ଆଉ ଏକ ଗୁପ୍ତ ସୂଚନା ମିଳିଥିଲା। ସୂଚନା ଅନୁସାରେ ଖୋରଧା ସଦର ଥାନା ଅନ୍ତର୍ଗତ ଡାଳତୋଳା ଛକ ଦେଇ ଆଉ ଏକ ଗଞ୍ଜେଇ ବୋଝେଇ କାର ଯାଉଥିଲା। ତୁରନ୍ତ ଅଧିକାରୀମାନେ ସେଠାରେ ଗାଡି ଗୁଡ଼ିକ  ଯାଞ୍ଚ ଆରମ୍ଭ କରିଥିଲେ। କିଛି ସମୟ ପରେ ଏକ ମାରୁତି ସୁଜୁକି ଅଲ୍ଟୋ କାର ଓଡ଼ି -୦୭- ଵିଏ-୦୬୨୧ କୁ ଅଟକାଇ ତଲାସି କରାଯାଇଥିଲା। ଗାଡ଼ି ଭିତରୁ ୨୨ କିଲୋଗ୍ରାମ ଗଞ୍ଜେଇ ଏବଂ ଏକ ମୋବାଇଲ ଫୋନ ଜବତ କରାଯାଇଥିଲା। ଏହି ମାମଲାରେ ସୁବ୍ରତ ଦିଗାଲ (୩୦) ସୁଧୀର ଦିଗାଲ (୩୬) ଓ ଶ୍ରୀଧର ଦିଗାଲ (୪୦)ଙ୍କୁ ଗିରଫ କରାଯାଇଛି। ଉଭୟ  ଘଟଣାରେ ଜବତ ହୋଇଥିବା ଗଞ୍ଜେଇ, ଦୁଇଟି କାର ଓ ଚାରିଟି ମୋବାଇଲ ଫୋନକୁ ଅବକାରୀ ବିଭାଗ ଜବତ କରିଛି। ଅଭିଯୁକ୍ତମାନଙ୍କ ବିରୋଧରେ ଏନ.ଡି.ପି.ଏସ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଏହି ଗଞ୍ଜେଇ ଚାଲାଣ ପଛରେ କୌଣସି ବଡ଼ ରାକେଟ କିମ୍ବା ଆନ୍ତଃଜିଲ୍ଲା ନେଟୱାର୍କ କାର୍ଯ୍ୟ କରୁଛି କି ନାହିଁ, ସେନେଇ ମଧ୍ୟ ଅବକାରୀ ବିଭାଗ ଖୋଳତାଡ଼ ଆରମ୍ଭ କରିଛି।
          ଆଜି ଖୋରଧା ଜିଲ୍ଲା ଅବକାରୀ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଅବକାରୀ ଅଧୀକ୍ଷକ ସୁମତି ତ୍ରିପାଠୀ ଗଣମାଧ୍ୟମକୁ ଏହି ସୂଚନା ଦେଇ କହିଥିଲେ ଯେ, ଜିଲ୍ଲାରେ ଅବୈଧ ନିଶା କାରବାରକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ଅବକାରୀ ବିଭାଗ ନିରନ୍ତର ଭାବେ ଚଢ଼ାଉ ଜାରି ରଖିଛି। ମାଦକ ଦ୍ରବ୍ୟ ଚାଲାଣ ସହ ଜଡିତ ବ୍ୟକ୍ତିମାନଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ ଏବଂ ଯୁବପିଢ଼ିକୁ ନିଶା କବଳରୁ ରକ୍ଷା କରିବା ପାଇଁ ଏଭଳି ଅଭିଯାନ ଆଗାମୀ ଦିନରେ ଆହୁରି ତୀବ୍ର କରାଯିବ। ଏହି ସଫଳ ଅଭିଯାନକୁ ନେଇ ଅବକାରୀ ବିଭାଗର କାର୍ଯ୍ୟକୁ ସାଧାରଣ ମହଲରେ ପ୍ରଶଂସା କରାଯାଉଥିବା ବେଳେ ମାଦକ କାରବାର ବିରୋଧରେ ଜିଲ୍ଲା ପ୍ରଶାସନର ଶୂନ୍ୟ ସହନଶୀଳ ନୀତି ପୁଣି ଥରେ ସ୍ପଷ୍ଟ ହୋଇଛି।
Leave A Reply

Your email address will not be published.