ରାୟଗଡା :- ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ତଳପାଡିଖାଲ ଗ୍ରାମରେ ଜଣେ ଜୀବିତ ବୃଦ୍ଧଙ୍କୁ ସରକାରୀ କାଗଜପତ୍ରରେ ମୃତ ଦର୍ଶାଇ ତାଙ୍କ ଜମି ହଡପ କରାଯାଇଥିବା ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବୃଦ୍ଧ ଦିଉଡୁ ମାଝୀଙ୍କ ୪୯ ସେଣ୍ଟ୍ ଜମିକୁ ତାଙ୍କ ପୁତୁରା ସାନୀ ମାଝୀ ଚଞ୍ଚକତା କରି ନିଜ ନାମରେ ପଟ୍ଟା କରାଇନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ତତ୍କାଳୀନ ରାଜସ୍ୱ ନିରୀକ୍ଷକଙ୍କ ଭୂମିକା ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ସୂଚନା ଅନୁଯାୟୀ, ତଳପାଡିଖାଲ ଗ୍ରାମର ପ୍ଲଟ୍ ନଂ–୨୨ ଓ ପ୍ଲଟ୍ ନଂ–୧୦୦ରେ ଦିଉଡୁ ମାଝୀ ଓ ତାଙ୍କ ବଡ଼ ଭାଇ ଡିରିବି ମାଝୀଙ୍କ ନାମରେ ମୋଟ ୪୯ ସେଣ୍ଟ୍ ଜମି ରହିଥିଲା। ଡିରିବି ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଉଡୁ ମାଝୀ ଏବେ ମଧ୍ୟ ଜୀବିତ ଅଛନ୍ତି। ହେଲେ ସାନୀ ମାଝୀ ଉତ୍ତରାଧିକାରୀ ସତ୍ତ୍ୱ ଦର୍ଶାଇ ମ୍ୟୁଟେସନ୍ କେସ୍ ନଂ–୫୬୬/୨୦୨୪ ମାଧ୍ୟମରେ ସମ୍ପୂର୍ଣ୍ଣ ଜମିକୁ ନିଜ ନାମରେ କରାଇ ନେଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ମ୍ୟୁଟେସନ୍ ପ୍ରକ୍ରିୟା ସମୟରେ ତତ୍କାଳୀନ ରାଜସ୍ୱ ନିରୀକ୍ଷକ କେଶବ ସାହୁ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। କିନ୍ତୁ ତାଙ୍କ ରିପୋର୍ଟରେ ଦିଉଡୁ ମାଝୀଙ୍କୁ ମୃତ ଦର୍ଶାଯାଇଥିଲା। ଏହାକୁ ଆଧାର କରି ସାନୀ ମାଝୀ ଜମିକୁ ନିଜ ନାମରେ ପଟ୍ଟା କରାଇ ନେଇଥିବା କୁହାଯାଉଛି।
ଘଟଣା ସମ୍ପର୍କରେ ଜାଣିବା ପରେ ଦିଉଡୁ ମାଝୀ କାଶୀପୁର ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ରାୟଗଡା ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିଜ ଜମି ଫେରାଇ ଦେବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।
ଅନ୍ୟପଟେ, ରାୟଗଡା ଉପଜିଲ୍ଲାପାଳ ରମେଶ କୁମାର ଜେନା କହିଛନ୍ତି ଯେ ଘଟଣାର ତଦନ୍ତ କରାଯିବ ଏବଂ ଯଦି କୌଣସି ସରକାରୀ କର୍ମଚାରୀଙ୍କ ଅବହେଳା କିମ୍ବା ଦୁର୍ନୀତି ସାମ୍ନାକୁ ଆସେ, ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଇ ଜମି ହସ୍ତାନ୍ତର ଭଳି ଘଟଣା କାଶୀପୁର ଅଞ୍ଚଳରେ ପ୍ରଶାସନିକ ବ୍ୟବସ୍ଥା ଓ ରାଜସ୍ୱ ବିଭାଗର କାର୍ଯ୍ୟଶୈଳୀ ଉପରେ ଗୁରୁତର ପ୍ରଶ୍ନଚିହ୍ନ ସୃଷ୍ଟି କରିଛି।