ହାଟଡିହି ବ୍ଲକରେ ହରିଶ୍ଚନ୍ଦ୍ର ଯୋଜନାରେ ମହାଦୁର୍ନୀତି

ମୃତ ବ୍ୟକ୍ତିଙ୍କ ଶବସତ୍କାର ପାଇଁ ଆସିଥିବା ଅର୍ଥକୁ ବି ଛାଡିଲେନି

Oplus_16908288
0 5
ହାଟଡିହି:- ମୃତ ସମ୍ପର୍କୀୟଙ୍କ ଶେଷକୃତ୍ୟ ସମ୍ପନ୍ନ କରିବାକୁ ଅସମର୍ଥ ଗରିବ ହିତାଧିକାରୀଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବସବାସ କରୁଥିବା ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ଯଥାକ୍ରମେ ୩ ଓ ୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି | ଗରିବ ଲୋକଟିର ମୃତ୍ୟୁ ପରେ ତା’ର ଶେଷକୃତ୍ୟ ସମ୍ମାନର ସମ୍ପନ୍ନ ଉଦ୍ଦେଶ୍ୟରେ ତା’ର ସମ୍ପର୍କୀୟଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।
                              –  ହିତାଧିକାରୀଙ୍କୁ ମିଳିନି ସହାୟତା
                              – ସରକାରୀ ଚାକିରିଆଙ୍କୁ ଯୋଜନାରେ ସାମିଲ କରି ଅର୍ଥହଡପ 

 

ଆବେଦନକାରୀ ନିଜର ଆଧାରକାର୍ଡ଼, ଆୟ ପ୍ରମାଣପତ୍ର, ଫଟୋ, ମୋବାଇଲ୍ ନଂ, ସ୍ଥାୟୀ ବାସସ୍ଥାନ ପ୍ରମାଣପତ୍ର, ରାସନ୍ କାର୍ଡ଼ ସହ ସମ୍ପର୍କୀୟଙ୍କ ମୃତ୍ୟୁର ୧୫ ଦିନ ମଧ୍ୟରେ ପଞ୍ଚାୟତ କାର୍ଯ୍ୟାଳରେ ଆବେଦନ କରିବା ନିୟମ ରହିଛି । ହରିଶ୍ଚନ୍ଦ୍ର ସହାୟତା ତୁରନ୍ତ ଯୋଗାଇ ଦେବା ନିମନ୍ତେ ଓଡିଶାର ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ୧୫ ହଜାର ଟଙ୍କା ଲେଖାଏଁ କ୍ରାନ୍ତି ପାଣ୍ଠି ଭାବେ ମହଜୁଦ ରହିଛି | ସରପଞ୍ଚ ମାନେ ଉକ୍ତ ପାଣ୍ଠିରୁ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମେ ଆର୍ଥିକ ସହାୟତା ପ୍ରଦାନ କରି ୧୫ ଦିନ ମଧ୍ୟରେ ଅନଲାଇନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସାହାଯ୍ୟ ପାଣ୍ଠିରୁ ପଞ୍ଚାୟତର ବ୍ୟାଙ୍କଖାତାକୁ ଭରଣା କରିବା ପାଇଁ ନିର୍ଦ୍ଦେଶନାମା ରହିଛି | ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଅର୍ଥ ମିଳି ସାରିଥିଲେ ମଧ୍ୟ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏହି ଅର୍ଥ ମୃତକଙ୍କ ସମ୍ପର୍କୀୟଙ୍କୁ ପ୍ରଦାନ ନକରି ହଡପ କରିଥିବା ଅଭିଯୋଗ ହୋଇଛି । ସମସ୍ତ ସରକାରୀ ନିୟମକୁ ବେଖାତିର କରି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଶାଳଣିଆଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସରପଞ୍ଚ ସରକାରୀ ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଛି । ଦୀର୍ଘ ମାସ ପରେ ଏହି ସହାୟତା ରାଶି ନମିଳିବାରୁ ମୃତକଙ୍କ ସମ୍ପର୍କୀୟ ବାରମ୍ବାର ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତୁମ ଟଙ୍କା ଆସିନାହିଁ, ଯେତେବେଳେ ଆସିବ ତୁମକୁ ଦିଆଯିବ କହି ଦିନ ଗଡ଼ାଇ ଚାଲିଥିଲେ | କିନ୍ତୁ, ହରିଶ୍ଚନ୍ଦ୍ର ସହାୟତା ଯୋଜନାର ସରକାରୀ ୱେବସାଇଟରୁ ଦୁର୍ନୀତିର ପର୍ଦାଫାଶ ହୋଇଛି । କାହାର ୪ ମାସ ତ କାହାର ୩ ମାସ ପୂର୍ବରୁ ହରିଶ୍ଚନ୍ଦ୍ର ସହାୟତା ରାଶି ଉଠାଯାଇଥିଲେ ମଧ୍ୟ ଏହି ଅର୍ଥ ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ ପ୍ରଦାନ କରାଯାଇନାହିଁ | ସେହିପରି ଅଯୋଗ୍ୟ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ଅର୍ଥ ପ୍ରଦାନ କରାଯାଇଛି | ସୂଚନା ଅନୁଯାୟୀ ଶାଳଣିଆଁ ପଞ୍ଚାୟତରେ ୨୦୨୬ ମସିହା ଜାନୁଆରୀ ୧ ତାରିଖରୁ ଏଯାବତ ୧୩ଜଣ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ସରକାରୀ କାଗଜପତ୍ରରେ ଦର୍ଶାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ହିତାଧିକାରୀଙ୍କୁ ସେମାନଙ୍କର ଟଙ୍କା ପ୍ରଦାନ କରାଯାଇନାହିଁ । ଶାଳଣିଆଁ ଗ୍ରାମର କୃଷ୍ଣଚନ୍ଦ୍ର ଶଙ୍ଖୁଆଙ୍କ ମୃତ୍ୟୁ ପରେ ପୁଅ ଅମୁଲ୍ୟ ଶଙ୍ଖୁଆଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ଅପ୍ରେଲ ୧୫ରେ ୩ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଦର୍ଶାଇ ଟଙ୍କା ଉଠାଯାଇଥିଲେ ମଧ୍ୟ ଅମୁଲ୍ୟଙ୍କୁ ହରିଶ୍ଚନ୍ଦ୍ର ଟଙ୍କା ପ୍ରଦାନ କରାଯାଇ ନାହିଁ । ସେହିପରି ବିଷ୍ଣୁପୁର ଗ୍ରାମର ସୁଶାନ୍ତ କୁମାର ଯେନାଙ୍କ ଏକମାତ୍ର ପୁତ୍ର ସାଇ ପ୍ରକାଶ ଯେନା (୧୩) ସୁନ୍ଦରପାଳସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ଜଳକଳଙ୍ଗ ଗ୍ରାମରେ ଥିବା ଏକ ଘରୋଇ କୋଚିଙ୍ଗ ସେଣ୍ଟରର ହଷ୍ଟେଲରେ ରହୁଥିଲେ । ୨୦୨୫ ମସିହା ସେପ୍ଟେମ୍ବର ୩୦ ତାରିଖ ହଷ୍ଟେଲ ପାଖରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ସୁଶାନ୍ତ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେ ହରିଶ୍ଚନ୍ଦ୍ର ସହାୟତା ପାଇଁ ପଞ୍ଚାୟତରେ ଆବେଦନ କରିଥିଲେ | ସରକାରୀ ନିୟମ ଅନୁଯାଇ ଯୋଗ୍ୟ ହିତାଧିକାରୀଙ୍କୁ ସମ୍ପର୍କୀୟଙ୍କ ମୃତ୍ୟୁ ପରେ ଅବିଳମ୍ବେ ୩ ହଜାର ଟଙ୍କା ପ୍ରଦାନ କରିବା କଥା କିନ୍ତୁ ସୁଶାନ୍ତଙ୍କୁ ସହାୟତା ପ୍ରଦାନ କରାଗଲା ନାହିଁ । ପରବର୍ତ୍ତୀ ସମୟରେ (୧୫.୦୪.୨୦୨୬) ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତକୁ ଉକ୍ତ ଅର୍ଥ ପ୍ରଦାନ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସୁଶାନ୍ତଙ୍କୁ ହରିଶ୍ଚନ୍ଦ୍ର ସହାୟତା ରାଶି ପ୍ରଦାନ କରାଯାଇନଥିବା ସେ ଅଭିଯୋଗ କରିଛନ୍ତି । ଶାଳଣିଆଁ ଗ୍ରାମର ଆଖଜି ଯେନାଙ୍କ ପରିବାରକୁ ଏପର୍ଯ୍ୟନ୍ତ ୩ ହଜାର ଟଙ୍କା ପ୍ରଦାନ କରାଯାଇନଥିବା ବେଳେ ତାଙ୍କ ନାତି ଚିତ୍ତରଞ୍ଜନ ଯେନାଙ୍କୁ ୨୪.୦୨.୨୦୨୬ରେ ହରିଶ୍ଚନ୍ଦ୍ର ଅର୍ଥ ପ୍ରଦାନ କରାଯାଇଥିବା ଦର୍ଶାଇ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଉକ୍ତ ଅର୍ଥକୁ ହଡ଼ପ କରିଥିବା ଜଣାପଡିଛି । ଉକ୍ତ ପଞ୍ଚାୟତର ବ୍ରାହ୍ମଣୀକାଳ ଗ୍ରାମର ପରୀକ୍ଷିତ ସ୍ୱାଇଁଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଟିପୁ ସ୍ୱାଇଁଙ୍କୁ ହରିଶ୍ଚନ୍ଦ୍ର ସହାୟତା ରାଶି ପ୍ରଦାନ କରାଯାଇଥିବା ଦର୍ଶାଯାଇଛି । ପରୀକ୍ଷିତ ସ୍ୱାଇଁ ସରକାରୀ ଶିକ୍ଷକ ଭାବେ କର୍ଯ୍ୟକରୀ ଅବସର ଗ୍ରହଣ କରିଥିଲେ, ତେଣୁ ନିୟମ ଅନୁଯାୟୀ ତାଙ୍କ ସମ୍ପର୍କୀୟ ଏହି ଯୋଜନାରେ ସହାୟତା ପାଇବା ପାଇଁ ଅଯୋଗ୍ୟ ଅଟନ୍ତି | କିନ୍ତୁ, ଜଣେ ଅଯୋଗ୍ୟ ହିତାଧିକାରୀଙ୍କୁ କିଏ ଯୋଗ୍ୟ ଦର୍ଶାଇ ତାଙ୍କୁ ହରିଶ୍ଚନ୍ଦ୍ର ସହାୟତା ରାଶି ପ୍ରଦାନ କଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ପ୍ରକାଶ ଥାଉକି ୨୦୨୨ ମସିହାରେ ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତର ହରିଶ୍ଚନ୍ଦ୍ର ଅର୍ଥ ହଡପ ଅଭିଯୋଗରେ ତତ୍କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ ନରହରି ନାୟକ ଜେଲ ଯିବା ସହ ଚାକିରିରୁ ନିଲମ୍ବିତ ହୋଇଥିଲେ । ସରପଞ୍ଚ ଓ ଗ୍ରାମରୋଜଗାର ସେବକଙ୍କ ବିରୁଦ୍ଧରେ ସୋସ ଥାନାରେ ମାମଲା ରୁଜ୍ଜୁ ହୋଇଥିଲା |
ତେଣୁ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ହିତାଧିକାରୀଙ୍କୁ ସେମାନଙ୍କ ସହାୟତା ରାଶି ପ୍ରଦାନକରିବାକୁ ସାଧାରଣରେ ଦାବି ହୋଇଛି ।
Leave A Reply

Your email address will not be published.