ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତ ପାଇଁ ଗର୍ବର ମୁହୂର୍ତ୍ତ: ପଥୁରୀପଡା ଗ୍ରାମର ବୋହୁ ସଙ୍ଗୀତା ସେଠୀ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳ

0 1

​ନୟାଗଡ଼:- ନୟାଗଡ଼ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତର ପଥୁରୀପଡା ଗ୍ରାମ ପାଇଁ ଆସିଛି ଏକ ଗୌରବମୟ ଖବର। ଗ୍ରାମର ବୋହୁ ଶ୍ରୀମତୀ ସଙ୍ଗୀତା ସେଠୀ ଓଡ଼ିଶା ପ୍ରଶାସନିକ ସେବା (OCS/OAS) ପରୀକ୍ଷାରେ ସଫଳତା ହାସଲ କରି ରାଜ୍ୟସ୍ତରରେ ୧୧୩ତମ ସ୍ଥାନ ଅଧିକାର କରିଛନ୍ତି। ଏହି ସଫଳତା ସମଗ୍ର ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି। ନିକଟରେ ରାଜ୍ୟସ୍ତରରେ ଘୋଷିତ ହୋଇଥିବା ଓଡ଼ିଶା ସିଭିଲ ସର୍ଭିସେସ୍ (OCS) ପରୀକ୍ଷା ଫଳାଫଳରେ ୨୦୦ ଜଣ ପ୍ରାର୍ଥୀ ଚୟନ ହୋଇଛନ୍ତି।

ଶ୍ରୀମତୀ ସଙ୍ଗୀତା ସେଠୀ, ସ୍ୱର୍ଗତ ଚରଣ ସେଠୀ ଓ ଶ୍ରୀମତୀ ପ୍ରମିଳା ସେଠୀଙ୍କ କନ୍ୟା ଅଟନ୍ତି। ସେ ବର୍ତ୍ତମାନ ପଥୁରୀପଡା ଗ୍ରାମର ଶ୍ରୀ ବଂଶୀଧର ପ୍ରଧାନଙ୍କ ଧର୍ମପତ୍ନୀ।ସଙ୍ଗୀତାଙ୍କ ଶିକ୍ଷାଗତ ଯାତ୍ରା ମଧ୍ୟ ଅତ୍ୟନ୍ତ ପ୍ରେରଣାଦାୟକ। ସେ କେସିଙ୍ଗାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ପରେ କେସିଙ୍ଗା ମହାବିଦ୍ୟାଳୟରୁ ସ୍ନାତକ ଶିକ୍ଷା ଗ୍ରହଣ କରି ଭବାନୀପାଟଣା ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର (M.A. Economics) ଡିଗ୍ରୀ ହାସଲ କରିଥିଲେ। ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ପାଇଁ ପରିବାରବର୍ଗ, ଗ୍ରାମବାସୀ, ବୁଦ୍ଧିଜୀବୀ ଓ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଅଭିନନ୍ଦନର ସୁଅ ଛୁଟିଛି। ତାଙ୍କର କଠିନ ପରିଶ୍ରମ, ଦୃଢ଼ ମନୋବଳ ଏବଂ ଅଧ୍ୟବସାୟ ଯୁବପିଢ଼ି ପାଇଁ ଏକ ଅନୁକରଣୀୟ ଉଦାହରଣ ସୃଷ୍ଟି କରିଛି। ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତର ଜଣେ ବୋହୁ ଭାବେ ସଙ୍ଗୀତା ସେଠୀଙ୍କ ଏହି ସଫଳତା ସମଗ୍ର ନୟାଗଡ଼ ଜିଲ୍ଲା ପାଇଁ ଗର୍ବର ବିଷୟ ହୋଇଥିବାବେଳେ ଭବିଷ୍ୟତରେ ସେ ରାଜ୍ୟ ପ୍ରଶାସନରେ ଜନସେବା ମାଧ୍ୟମରେ ନୂତନ ଦୃଷ୍ଟାନ୍ତ ସୃଷ୍ଟି କରିବେ ବୋଲି ସମସ୍ତେ ଆଶା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.