ପାରାଦୀପ – ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ ଙ୍କ ଘର ଉପରକୁ ଗତ ୨୯ ତାରିଖ ସନ୍ଧ୍ୟାରେ ପେଟ୍ରୋଲ ବୋମା ଫିଙ୍ଗି ଶିଳ୍ପ ନଗରୀ ପାରାଦୀପରେ ଆତଙ୍କ ଖେଳି ଯାଇଥିବା ବେଳେ ଏହି ଘଟଣା ଆଇନଶୃଙ୍ଖଳା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛି l ପାରାଦୀପ ବନ୍ଦର ରାଜ୍ୟ ସମେତ ଦେଶ ଭିତରେ ମଧ୍ୟ ଏକ ନମ୍ବର ବନ୍ଦରର ମାନ୍ୟତା ପାଇଥିବା ବେଳେ ବର୍ତ୍ତମାନ ପାରାଦୀପ ଦେଶରେ ବଡ଼ ଇଣ୍ଡଷ୍ଟ୍ରିଆଲ ହବ ହେବାକୁ ଯାଉଛି l ରାଜ୍ୟ ଓ କେନ୍ଦ୍ର ସରକାର ପାରାଦୀପ ର ବିକାଶ କୁ ନେଇ ବହୁତ ବିକାଶ ର ସ୍ବପ୍ନ ଦେଖୁଛନ୍ତି ବୋଲି କହୁଥିବା ବେଳେ ବର୍ତ୍ତମାନ ର ଏହି ଘଟଣା ଶିଳ୍ପ ଅନୁକୂଳ ବାତାବରଣ କୁ ନଷ୍ଟ କରିବାର ସଂକେତ ଦେଇଛି l
ଏହି ଘଟଣାରେ ପୋଲିସ ଯେଉଁ କିଛି ଅପରାଧୀ ଙ୍କୁ ଥାନାରେ ଅଟକ ରଖିଛି ସେମାନେ ସମସ୍ତ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗଷ୍ଟର ବାପୁ ପରିଡା ଗ୍ୟାଙ୍ଗ ର ସଦସ୍ୟ ବୋଲି ଅଭିଯୋଗ କରିଛି କଂଗ୍ରେସ l ଏ ସମ୍ପର୍କରେ ପାରାଦୀପ କଂଗ୍ରେସ କାର୍ଯ୍ୟାଳୟରେ ସୋମବାର ସନ୍ଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପାରାଦୀପ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ନେତା ନିରଞ୍ଜନ ନାୟକ ସୂଚନା ଦେଇ କହିଥିଲେ ଯେ ଏହି ଗ୍ୟାଙ୍ଗଷ୍ଟର ୨୦୦୫ ମସିହାରେ ସେତେବେଳର ବିଜେଡି ଯୁବନେତା ମୁନା ପତି ହତ୍ୟା କାଣ୍ଡରେ ସଂଶ୍ଲିଷ୍ଟ ହୋଇ ଜେଲ ଯାଇଥିଲା l ସେହିପରି ୨୦୦୩ ମସିହାରେ ବିଜେଡି ଓ ପାରାଦୀପ ବଣିକ ସଙ୍ଘ ସଭାପତି କିଶୋରୀ ପରିଡା ଙ୍କୁ ବଜାର ଉପରେ ଦିବାଲୋକରେ ଗୋଡେଇ ଗୋଡେଇ ହାଣି ସେହି କେଶ ରେ ଜେଲ ମଧ୍ୟ ଯାଇଥିଲା l ପାରାଦୀପରେ ଏମିତି ୧୫ ରୁ ଉର୍ଦ୍ଧ ଅପରାଧିକ ଘଟଣାରେ ଏହି ଗ୍ୟାଙ୍ଗଷ୍ଟର ସଂଶ୍ଲିଷ୍ଟ l ବର୍ତ୍ତମାନ ପାରାଦୀପ କୁ ଜେଏସଡବ୍ଲୁ ପ୍ରକଳ୍ପ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ର ପୁଞ୍ଜି ନିବେଶ କରିବା ଆରମ୍ଭ କଲାଣି l
ଆଇଓସିଏଲ ର ନାଫତା କ୍ରାକର ଖୁବ ଶିଘ୍ର ୭୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ଯାଉଛି l ଖୁବ ଶୀଘ୍ର ପାରାଦୀପରେ ଏକ ଏୟାରପୋର୍ଟ ମଧ୍ୟ ହେବାକୁ ଯାଉଛି ଏବଂ ଏହି ୫ ବର୍ଷ ମଧ୍ୟରେ ଆହୁରି ଅନେକ ଶିଳ୍ପର ସମ୍ଭାବନା କୁ ନେଇ ପାରାଦୀପ ଦେଶର ବୃହତ ଶିଳ୍ପ ନିର୍ମାଣ ହେବାକୁ ଯାଉଛି l ବର୍ତ୍ତମାନ ହୋଇଥିବା ବୋମା ମାଡ଼ ଘଟଣାରେ ସନ୍ଦେହ କରାଯାଉଥିବା ଗ୍ୟାଙ୍ଗଷ୍ଟର ର ପୃଷ୍ଠପୋଷକ ହେଉଛି ବାପି ସରଖେଲ ଏବଂ ଏ କଥା ସମସ୍ତ ପାରାଦୀପ ବାସୀ ଜାଣନ୍ତି l ଏଠାରେ ଉଲ୍ଲେଖ ଥାଉକି ପାରାଦୀପରେ ଯେତେ ଅପରାଧ ଘଟିଛି ୨୦୦୦ ମସିହା ରେ ପାରାଦୀପ କୁ ବାପି ସରଖେଲ ଆସିଲା ପରେ ବୋଲି ଅଭିଯୋଗ କରିଛି କଂଗ୍ରେସ l ମୁନା ପତି ହତ୍ୟା ଘଟଣାରେ ସେତବେଳର ପୋଲିସ ବାପି ସରଖେଲ କୁ ସନ୍ଦେହ ରେ ପାରାଦୀପ ନ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା l ୨୦୦୭ ମସିହାରେ ରିଫାଇନେରୀ ପ୍ରକଳ୍ପ ପାଇଁ ୬୦ କୋଟିର ପୁଞ୍ଜି ନିବେଶ କାର୍ଯ୍ୟ ଆରମ୍ଭ କରାଗଲା l ସେତେବେଳେ ବାପି ସରଖେଲ ପାରାଦୀପ, କୁଜଙ୍ଗ ଓ କେନ୍ଦ୍ରାପଡା ଅଞ୍ଚଳରୁ ବିଭିନ୍ନ ଅପରାଧୀ ଯୁବକ ଙ୍କୁ ଆଣି ଏକ ସଂଗଠନ କରି ଆଇଓସିଏଲ ରେ ବିଭିନ୍ନ କମ୍ପାନୀ କୁ ପ୍ରୋଟେକ୍ସନ ଦେବା ଆଳରେ ଶହ ଶହ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହେଲା l ଯାହାକି ସେତେବେଳେ ବିଧାନସଭା ରେ ବାପି ସରଖେଲ କୁ ନେଇ ତୁମ୍ବି ତୁଫାନ ହୋଇଥିଲା l ସେତେବେଳରେ ଢ଼ିଙ୍କିଆରେ ଷ୍ଟିଲ ପ୍ଲାଣ୍ଟ ବସାଇବାକୁ ଆସିଥିବା ପୋସ୍କୋ କମ୍ପାନୀକୁ ପ୍ରୋଟେକ୍ସନ ଦବାକୁ ଯାଇ ଦୁର୍ଯ୍ୟୋଧନ ସ୍ୱାଇଁ କୁ ହତ୍ୟା କରିବା ଘଟଣାରେ ବାପି ସାରଖେଲ ଜେଲ ଯାଇଥିଲା l ସେହିପରି ଭାବେ ୨୦୧୬ ମସିହାରେ ଷ୍ଟିଭେଡୋର୍ସ ବିବାଦ କୁ ନେଇ ସିୱେଜ କମ୍ପାନୀ ର ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ଙ୍କୁ ହତ୍ୟା ଅଭିଯୋଗରେ ଜେଲ ଯାଇଥିଲା ସରଖେଲ l
୨୦୨୩ ମସିହାରେ ବାପି ସରଖେଲ ଗ୍ୟାଙ୍ଗଷ୍ଟର ବାପୁ ପରିଡା କୁ ନେଇ ଏନଆରଏଲ କମ୍ପାନୀ କୁ ପ୍ରୋଟେକ୍ସନ ଦେଇ ଶହ ଶହ କୋଟି ଟଙ୍କା ମୁନାଫା ନେଉଥିବା ବେଳେ ଏହାକୁ ସେତେବେଳର ସ୍ଥାନୀୟ ବିଜେଡି ନେତା ମାନେ ଏବଂ ଜଣେ ଯୁବ ଶ୍ରମିକ ନେତା ବିରୋଧ କରିବାରୁ ବାପି ସରଖେଲ ଗ୍ୟାଙ୍ଗଷ୍ଟର ବାପୁ ପରିଡା କୁ ଲଗାଇ ତାରିଣୀଗଡାରେ ଏକ କମ୍ପାନୀ ଗେଷ୍ଟହାଉସ ରେ ଗୁଳିକାଣ୍ଡ ଘଟାଇ ସେହି ଯୁବ ଶ୍ରମିକ ନେତାଙ୍କୁ ଫସାଇ ଦିଆଯାଇଥିଲା l ମହେନ୍ଦ୍ର ସ୍ୱାଇଁ ମୃତ୍ୟୁ ଘଟଣା ରେ ସମ୍ପୃକ୍ତ ଥିବା ବାପି ସରଖେଲ ଯେଉଁପରି ଢଙ୍ଗରେ ହତ୍ୟାକାଣ୍ଡ ଘଟିବାର କିଛିସମୟ ପରେ ପାରାଦୀପ ରୁ ଗାୟବ ହୋଇଯାଇଥିଲା, ଠିକ ସମାନ ଢଙ୍ଗରେ ପୌରାଧ୍ୟକ୍ଷ ଙ୍କ ଘରେ ବୋମା ମାଡ ହବାର କିଛି ସମୟ ପରେ ବାପି ସରଖେଲ ପାରାଦୀପ ରୁ ଫେରାର ହୋଇଗଲା l ତେଣୁ ପୋଲିସ ଘଟଣାର ସଠିକ ତଦନ୍ତ କରି ପାରାଦୀପରେ ଅଶାନ୍ତ ସୃଷ୍ଟି କରୁଥିବା ବାପି ସରଖେଲ ଓ ତାଙ୍କର ଅପରାଧୀ ସହଯୋଗୀ ଙ୍କୁ ତୁରନ୍ତ ଗିରଫ କରିବାକୁ ଶ୍ରୀ ନାୟକ ଓ ପାରାଦୀପ ନଗର ସଭାପତି କେଦାରନାଥ ବିଶ୍ଵାଳ ଦାବୀ କରିଛନ୍ତି l
ଯଦି ଏ ଦିଗରେ ପୋଲିସ ପ୍ରଶାସନ ଆବଶ୍ୟକ ପଦକ୍ଷପ ନ ନିଏ ତେବେ ପାରାଦୀପ ନଗର କଂଗ୍ରେସ ଆନ୍ଦୋଳନାତ୍ମକ ପଦକ୍ଷେପ ନବାକୁ ବାଧ୍ୟହେବ l ଏହି ସାମ୍ବାଦିକ ସମ୍ମିଳନୀରେ ନଗର ସଭାପତି କେଦାରନାଥ ବିଶ୍ଵାଳଙ୍କ ସମେତ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l
ସୂଚନାଥାଉକି, ଗତ ରବିବାର ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୌରାଧ୍ୟକ୍ଷ ଙ୍କ ଘର ଉପରକୁ ବୋମା ମାଡ଼ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ନିନ୍ଦା କରିବା ଶହ ଦୋଷୀ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ କରିଥିଲେ l ସେହିପରି ପାରାଦୀପ ବାର ଆସୋସିଏସନ ପକ୍ଷରୁ ଏହାର ଉପସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ଵାଳ ଙ୍କ ବାସଭନ ଉପରେ ଆକ୍ରମଣକାରୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅତିରିକ୍ତ ଜିଲ୍ଲାପାଳ ଓ ପୋଲିସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି l