ବାଲିଚନ୍ଦ୍ରପୁର :- ଆମ ଦେଶ ଭାରତ ବର୍ଷ ସ୍ୱାଧିନ ହେବାର ୭୮ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗାଁ ମାନଙ୍କରେ ବସବାସ କରୁଥିବା ଗରିବ ଜନସାଧାରଣ ମାନେ କୈାଣସି ସୁବିଧା ସୁଯୋଗ ପାଇପାରୁନାହାନ୍ତି । ଏହି ଭଳି ଏକ ଅବହେଳିତ ଗାଁ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଚାରିନଙ୍ଗଳ ପଂଚାୟତର ଗହରନଗର ଗ୍ରାମ ।

ଏହି ଗ୍ରାମରେ ଦୀର୍ଘ ୧୦୦ବର୍ଷରୁ ଉଦ୍ଧ୍ୱର୍ ୨୫ଗୋଟ ଦଳିତ ପରିବାରର ୧୦୦ରୁ ଉଦ୍ଧ୍ୱର୍ ଲୋକ ବସବାସ କରନ୍ତି । ଏହି ଗ୍ରାମଟି ଏକ ଟାପୁ ସଦୃଶ । ଏହି ଗ୍ରାମର ଚାରିପଟେ ଚାଷଜମି ଅବସ୍ଥିତ । ଗ୍ରାମ ଠାରୁ ୮୦୦ମିଟର ଦୁରରେ ଥିବା ମୁଖ୍ୟ ରାସ୍ତାକୁ ଯିବା ପାଇଁ ଚାଷ ଜମିର ଅଣ ଓସାରିଆ ହିଡ ଉପରେ ଯିବା ଆସିବା କରିବାକୁ ପଡେ । ଯେଣତେଣ ଉପାୟରେ ଖରାଦିନେ ଚଳିଯାଇଥାଏ କିନ୍ତୁ ସବୁଠାରୁ ବଡ ସମସ୍ୟା ଦେଖାଦେଇଥାଏ ବର୍ଷାଦିନେ । ବର୍ଷା ହେଲେ ଗ୍ରାମର ଚାରିପଟେ ଥିବା ଚାଷଜମିରେ ପାଣି ଜମି ହିଡ ସବୁ କାଦୁଅ ପଚର ପଚର ହୋଇଯାଇଥାଏ । ଏହି ସମୟରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ପଢିବା ପାଇଁ ଯିବା ପାଇଁ ହଇରାଣ ହେଉଥିବାବେଳେ ରୋଗୀ ଓ ଗର୍ଭବତୀ ମହିଳାମାନେ ଡାକ୍ତରଖାନା ଯିବା ପାଇଁ ବହୁ ସମସ୍ୟାର ସମ୍ମୁଖିନ ହୁଅନ୍ତି । ରାତି ହେଉ ବା ଦିନ ହେଉ ଡାକ୍ତରଖାନା ଯିବା ପାଇଁ ରୋଗୀମାନଙ୍କୁ ଖଟିଆରେ ମୁଣ୍ଡାଇ ମୁଖୟ ରାସ୍ତାକୁ ଯିବାକୁ ପଡିଥାଏ । ବର୍ଷା ଦିନେ ଗାଁକୁ ଆମ୍ବୁଲାନ୍ସ ନା ଚାରି ଚକିଆ କି ଦୁଇ ଚକିଆ ଯାନ ଯାଇପାରେନାହିଁ । ବୃଦ୍ଧ ବୃଦ୍ଧାମାନେ ସରକାରୀ ଭତ୍ତା ପାଇଁ ପଂଚାୟତ ଅଫିସକୁ ଯିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୁଅନ୍ତି । ବର୍ଷା ଋତୁରେ ବର୍ଷା ପାଣି ଚାରି ପଟେ ଜମି ରହୁଥିବାରୁ ପାନୀୟ ଜଳ ସଂକ୍ରମିତ ହୋଇ ଗ୍ରାମରେ ଝାଡା,ବାନ୍ତି,ଜ୍ୱର ଏବଂ ଅନ୍ୟାନ୍ୟ ବହୁ ରୋଗରେ ଗ୍ରାମବାସୀମାନେ ପୀଡିତ ହୋଇଥିବାର ଦେଖିବାକୁ ମିଳିଥାଏ ।

୨୦୨୩ମସିହାରେ ତତ୍କାଳୀନ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂରାଠୋରଙ୍କୁ ଗ୍ରାମବାସୀମାନେ ଭେଟି ଏକ ସ୍ଥାୟୀ ରାସ୍ତା କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କିଛି ଫଳପ୍ରଦ ହୋଇପାରିନାହିଁ । ଏହି ଗ୍ରାମର ଘନଶ୍ୟାମ ଜେନା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସାହିର ଅସୁବିଧା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଜଣାଇଥିଲେ,କିନ୍ତୁ ତାହା ମଧ୍ୟ କିଛି ସୁଫଳ ମିଳିପାରିଲା ନାହିଁ । ଆଜି ଗ୍ରାମର ୩୦ରୁ ଉଦ୍ଧ୍ୱର୍ ଗ୍ରାମବାସୀ ମାନ୍ୟବର ଜିଲ୍ଲାପାଳ ଙ୍କ ପାଖରେ ନିଜର ଗୁହାରି ଶୁଣାଇବାକୁ ଯାଇଥିଲେ ମଧ୍ୟ ଅଭିଯୋଗ ପ୍ରକୋଷ୍ଠରେ ପ୍ରବଳ ଭିଡ ହେତୁ ଦେଖାକରିପାରିନଥିଲେ । ଗ୍ରାମରୁ ମୁଖ୍ୟ ରାସ୍ତାକୁ କିପରି ଏକ ସ୍ଥାୟୀ ରାସ୍ତା ନିର୍ମାଣ କରାଯାଇପାରିବ ସେ ବିଷୟରେ ଗ୍ରାମର ସହଦେବ ଜେନା,ଘନଶ୍ୟାମ ଜେନା,ପ୍ରଫୁଲ୍ଲ ଜେନା,ଶ୍ୟାମସୁନ୍ଦର ଜେନା,ମହେଶ୍ୱର ମଳିକ,ବିଜୟ ମଳିକ,ଗୀତା ଜେନା,ମାତାଜୀ ଜେନା ଏବଂ ୧୦୦ରୁ ଉଦ୍ଧ୍ୱର୍ ଗ୍ରାମବାସୀ ଦାବି ଜଣାଇଛନ୍ତି ।