ପଖାନ କଟା ଟେଙ୍କ ସଫା ଓ ଉନ୍ନତିକରଣ ନାଁ ରେ ବ୍ୟାପକ ଦୁର୍ନୀତି ଓ ଅର୍ଥ ଆତ୍ମସାତ ଅଭିଯୋଗ, ଉଚ୍ଚସ୍ତରୀୟ ତଦନ୍ତ ଦାବୀ

0 4

ଖଡ଼ିଆଳ :- ସରକାର ଜଳାଶୟ ଗୁଡିକର ସୌନ୍ଦର୍ଯ୍ୟକରଣ ଓ ପୁନଃରୁଦ୍ଧାର ପାଇଁ ବିପୁଳ ପରିମାଣର ପାଣ୍ଠି ଅନୁଦାନ ଦେଉଥିବା ବେଳେ ବାସ୍ତବରେ ତାହା କାର୍ଯ୍ୟକାରୀ ନ ହୋଇ ସେଥିରେ ବ୍ୟାପକ ଦୁର୍ନୀତି ଓ ଅର୍ଥ ଆତ୍ମସାତ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଆସିଛି l ଏପରି ଏକ ଅଭିଯୋଗ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡା ଗ୍ରାମ ପଞ୍ଚାୟତର ପଖାନ କଟା ଟେଙ୍କ ପୋଖରୀ ସଫା ଓ ଉନ୍ନତିକରଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ଅର୍ଥ ଆତ୍ମସାତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ସୂଚନାନୁସାରେ କେନ୍ଦୁମୁଣ୍ଡା ଗ୍ରାମର ପଖାନ କଟା ଟେଙ୍କ ସଫା ଓ ଉନ୍ନତିକରଣ ପାଇଁ ଚତୁର୍ଥ ଏସଏଫସି ଅନୁଦାନ ରେ ମୋଟ ଅନୁଦାନ ପାଣ୍ଠି ଏକ ଲକ୍ଷ ଅଠାଶୀ ହଜାର ତେର ଟଙ୍କା (୧, ୮୮, ୦୧୩) ଓ ପଞ୍ଚମ ଏସଏଫସି ଅନୁଦାନରେ ମୋଟ ଅନୁଦାନ ପାଣ୍ଠି ଏକ ଲକ୍ଷ ଟଙ୍କା (୧୦୦୦୦୦) ଆର୍ଥିକ ବର୍ଷ ୨୦୨୩-୨୪ ରେ ସର୍ବମୋଟ ଦୁଇ ଲକ୍ଷ ଅଠାଶୀ ହଜାର ତେର ଟଙ୍କା (୨, ୮୮, ୦୧୩) ଟଙ୍କା ଅନୁଦାନ ଏକା ସାଙ୍ଗେ ମିଳି ଥିବା ଦୁଇ ଗୋଟି ସୂଚନା ଫଳକରୁ ସ୍ପଷ୍ଟ ସୂଚନା ଜଣାପଡୁଛି l ଗ୍ରାମବାସୀ ଙ୍କ ଅଭିଯୋଗ ଅନୁସାରେ ଅଳ୍ପ କାମ କରି ପୂର୍ଣ୍ଣ ବିଲ କରି ଲକ୍ଷ୍ୟାଧିକ ଟଙ୍କା ହରିଲୁଟ କରାଯାଇଛି l ମାତ୍ର ଦିନେ କିଛି ଘଣ୍ଟା ଜେସିବି ରେ ସଫା କାମ କରାଯାଇଥିବା ବେଳେ ଆଉ କିଛି ଦିନ ସ୍ଥାନୀୟ ଲୋକ ଙ୍କୁ ନେଇ ସଫା କାର୍ଯ୍ୟ କରାଯାଇଥିଲା l ହେଲେ ଅଳ୍ପ ଦିନ କାର୍ଯ୍ୟ କରାଯାଇ ଥିବା ବେଳେ ଶ୍ରମିକ ମାନଙ୍କ ପାରିଶ୍ରମିକ ବାବଦ ଓ ଜେସିବି କୁ ପାଖାପାଖି ୬୦ ରୁ ୭୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବ ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି l ହେଲେ ପାଖାପାଖି ତିନି ଲକ୍ଷ ଟଙ୍କା ଉକ୍ତ ଟେଙ୍କ ସଫା ଓ ଉନ୍ନତିକରଣ ପାଇଁ ବ୍ୟାୟାବରାଦ ହୋଇଥିବା ବେଳେ ବାକି ଅର୍ଥ କୁ ହରିଲୁଟ କରାଯାଇ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l କାମ ସମ୍ପୂର୍ଣ୍ଣ ନ କରି ସରକାରୀ ପାଣ୍ଠି ରୁ ଲକ୍ଷ ଲକ୍ଷ ଅନୁଦାନ ଟଙ୍କା ଉଠା ଯାଇଥିବା ଅଭିଯୋଗ ହେଉଛି l ପୋଖରୀରେ କୌଣସି ପ୍ରକାର ମାଟି ଖୋଲା ଯାଇ ନ ଥିବା ବେଳେ ସରକାରୀ କାଗଜପତ୍ର ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଉଠା ଯାଇଥିବା ଅଭିଯୋଗ ହୋଇଛି l ଯନ୍ତ୍ରୀ ଓ ଠିକାଦାର ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ହୋଇ ଜନସାଧାରଣ ଙ୍କ ହିତ ପାଇଁ ଉଦ୍ଧିଷ୍ଟ ସରକାରୀ ପାଣ୍ଠି କୁ କାମ ନ କରି ଟଙ୍କା ଆତ୍ମସାତ କରାଯାଇ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ପୋଖରୀ ସମ୍ପୂର୍ଣ୍ଣ ସଫା କରାଯାଇ ନ ଥିବା ବେଳେ ଅଳ୍ପ ଯାହା କରାଯାଇଛି ସେହି ପଙ୍କ ଓ ଆବର୍ଜନା ସେମିତି ପୋଖରୀ ଭିତରେ ପଡ଼ି ରହି ଥିବା ଦେଖିବାକୁ ମିଳିଛି l ସମ୍ପୂର୍ଣ୍ଣ କାମ ନ କରି ସରକାରୀ ଅର୍ଥ ଆତ୍ମସାତ ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି l ଏହାର ସରଜମିନ ତଦନ୍ତ କରି ପ୍ରକୃତ ସତ୍ୟାସତ୍ୟ ଲୋକଲୋଚନ କୁ ଆଣିବାକୁ ଗ୍ରାମବାସୀ ଦାବୀ କରିଛନ୍ତି l କୌଣସି ଆଖି ଦୃଶିଆ କାମ ନ କରି ଲକ୍ଷ ଲକ୍ଷ ଟଙ୍କାର ବିଲ ପାସ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସହ ତଦନ୍ତ ଦାବୀ କରାଯାଇଛି l ମିଥ୍ୟା ବିଲ କରି ସରକାରୀ ଅର୍ଥ ଲୁଟ କରିଥିବା ସମ୍ପୃକ୍ତ ସରକାରୀ ଯନ୍ତ୍ରୀ ଓ ଠିକାଦାର ଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରି ଛନ୍ତି l କାମ ନ କରି ଟଙ୍କା ଆତ୍ମସାତ କରିଥିବା ସମ୍ପୃକ୍ତ ଯନ୍ତ୍ରୀ, ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ଠାରୁ ଉକ୍ତ ଟଙ୍କା ଆଦାୟ କରାଯାଉ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି l ସରକାରୀ ଯୋଜନାର ଅର୍ଥ ହରିଲୁଟ ହେଉଥିବା ଦ୍ୱାରା ଗ୍ରାମାଞ୍ଚଳର ଜଳାଶୟ ଗୁଡିକର ଅବସ୍ଥା ଶୋଚନୀୟ ହୋଇ ପଡିଛି l ଏନେଇ ସମ୍ପୃକ୍ତ କାର୍ଯ୍ୟ ଦାୟିତ୍ୱ ରେ ଥିବା କନିଷ୍ଟ ଯନ୍ତ୍ରୀ ଲିଲେଶ୍ୱର ମାଝୀ ଙ୍କୁ ପଚାରିବାରୁ ଅଳ୍ପ କାମ କରାଯାଇଥିବା ଘଟଣାକୁ ସ୍ୱୀକାର କରିଥିବା ବେଳେ ବିଲ ହୋଇ ନ ଥିବା କହିଥିଲେ l ଜିଲ୍ଲାପାଳ ମହୋଦୟ ଏଥିପ୍ରତି ଗୁରୁତ୍ୱ ଦେବା ସହ ଏହାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି l

Leave A Reply

Your email address will not be published.