ଟଳିଲା ବିପଦ: ଓଡ଼ିଶାକୁ ନାହିଁ ବାତ୍ୟା ଆଶଙ୍କା, ୨୪ ଓ ୨୫ ତାରିଖରେ ପ୍ରବଳ ଛେଚିବ

0 196

ଭୁବନେଶ୍ୱର, ୨୦ା୧୦(ଡିକେ ନ୍ୟୁଜ): ଅକ୍ଟୋବରରେ ବାତ୍ୟାକୁ ନେଇ ଭୟଭୀତ ହୋଇପଡ଼ିଥିବା ରାଜ୍ୟବାସୀଙ୍କୁ ମିଳିଛି ଆଶ୍ୱସ୍ତିମୂଳକ ଖବର । ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁ·ପ କ୍ଷେତ୍ର ପ୍ରଭାବରେ ବାତ୍ୟା ସୃଷ୍ଟି ହେବା ସ୍ପଷ୍ଟ ହୋଇଛି । ହେଲେ ଓଡ଼ିଶା ଉପରେ ଏହି ବାତ୍ୟାର ସେପରି କିଛି ପ୍ରଭାବ ପଡ଼ିବ ନାହିଁ । ଏହା ଓଡ଼ିଶା ଉପକୂଳ ସ୍ପର୍ଶ କରିବାର ସମ୍ଭାବନା ନାହିଁ । ଓଡ଼ିଶା ଉପକୂଳ ପାଖାପାଖି ଗତି କରି ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଉପକୂଳ ଆଡ଼କୁ ମୁହାଁଇବ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଫଳରେ ଆଶ୍ୱସ୍ତ ହୋଇଛନ୍ତି ରାଜ୍ୟବାସୀ । ଏନେଇ ଆଇଏମଡ଼ି ଡିଜି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁ·ପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ନିକଟସ୍ଥ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ଏହି ଅବପାତ ସୃଷ୍ଟି ହେବ । ତାହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି ଜାରି ରଖିବ । ଏହା ୨୩ ତାରିଖ ବେଳକୁ ଗଭୀର ଅବପାତରେ ପରିଣତ ହେବ । ୨୪ ତାରିଖରେ ଏହା ଦିଗ ପରିବର୍ତ୍ତନ କରି ଉତ୍ତର ଆଡ଼କୁ ମୋଡ଼ ବଦଳାଇବ ଏବଂ ଏକ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବ । ଏହା ପରେ ଉତ୍ତରଉତ୍ତର ପୂର୍ବ ଦିଗ ଆଡ଼କୁ ଗତି କରିବ । ଏଥିସହ ସେ କହିଛନ୍ତି, ଏହି ବାତ୍ୟା ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ନାହିଁ । ଓଡ଼ିଶା ଉପକୂଳ ପାଖାପାଖି ଗତି କରି ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଉପକୂଳ ଆଡ଼କୁ ମୁହାଁଇବ । ୨୫ ତାରିଖରେ ଏହା ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଉପକୂଳ ନିକଟ ସମୁଦ୍ରରେ ପହଞ୍ଚିବ । ଏହାର ସବୁଠୁ ଅଧିକ ପ୍ରଭାବ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଉପରେ ରହିବାର ସମ୍ଭାବନା ରହିଛି । ତେବେ ଏବେଠୁ ଏହାର ତୀବ୍ରତା ଜଣାପଡ଼ିନି । ଡିପ୍ରେସନରେ ପରିଣତ ହେଲେ ଏହାର ରୂପରେଖ ଅଧିକ ସ୍ପଷ୍ଟ ହେବ । ଏହା ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ୨୪ ଓ ୨୫ରେ ବର୍ଷା ହେବ । ବାତ୍ୟା ପ୍ରଭାବରେ ୨୧ ପାଖରୁ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ । ତେଣୁ ଏହି ସମୟରେ ମତ୍ସ୍ୟଜୀବୀ ସମୁଦ୍ରକୁ ଯିବା ଉଚିତ ନୁହେଁ । ଯେଉଁମାନେ ଯାଇଛନ୍ତି କୂଳକୁ ଫେରି ଆସିବା ଉଚିତ । ଓଡ଼ିଶା ଉପକୂଳ ନିକଟରେ ୨୩ ବେଳକୁ ସମୁଦ୍ର ଅଶାନ୍ତ ରହିବ । ପବନର ବେଗ ବି ଧୀରେ ଧୀରେ ୪୦-୫୦ କିମି ବେଗରେ ପବନ ବହିବ । ଏଥିଯୋଗୁ ପ୍ରଭାବିତ ହେବାକୁ
ଥିବା ୭ ଊପକୂଳ ଜିଲ୍ଲାକୁ ଚିଠି ଲେଖି ସତର୍କ କରାଇଛନ୍ତି ଏସ୍‌ଆରସି । ସେହି ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର । ଦୀପାବଳି ଛୁଟି ବାତିଲ କରି ୨୩ ଏବଂ ୨୪ରେ ଜିଲ୍ଲା ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.