ଖୁବ୍‌ଶୀଘ୍ର ଓଡ଼ିଶା ଆସିବ ବିଜୁବାବୁଙ୍କ ଡାକୋଟା

0 185

ଭୁବନେଶ୍ୱର, ୨୦ା୧୦(ଡିକେ ନ୍ୟୁଜ): ଓଡ଼ିଶା ଫେରିବ ବିଜୁବାବୁଙ୍କ ସନ୍ତକ ଡାକୋଟା । ଭାରତୀୟ ବିମାନ ପ୍ରାଧିକରଣ ଏଥିପାଇଁ ସବୁଜ ସଙ୍କେତ ଦେଇଛି । ଭୁବନେଶ୍ୱର ବିମାନ ବନ୍ଦରର ୧.୧ ଏକର ଜମିରେ ଏହି ବିମାନକୁ ରଖାଯିବ । କୋଲକାତାର ନେତାଜୀ ସୁଭାଷ ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଡାକୋଟାକୁ ଅଣାଯାଇ ଭୁବନେଶ୍ୱର
ଏୟାରପୋର୍ଟରେ ସ୍ମାରକୀ ଭାବେ ରଖାଯିବ । ଡାକୋଟାର ପାରିପାଶ୍ୱର୍ିକ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ଅନୁମତି ମିଳିଛି । ଏହାର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ କରିବେ ରାଜ୍ୟ ସରକାର । କିନ୍ତୁ ବ୍ୟବସାୟିକ କାର୍ଯ୍ୟକଳାପ କରିପାରିବେ ନାହିଁ ବୋଲି ସର୍ତ୍ତ ରହିଛି । ଡାକୋଟାକୁ ଆଣିବା ପାଇଁ ଦୁଇବର୍ଷ ତଳୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲେ ହେଁ କରୋନା ଯୋଗୁ ସେତେଟା ଆଗେଇ ପାରିନଥିଲା । ମାତ୍ର ଭାରତୀୟ ବିମାନ ପ୍ରାଧିକରଣର ସବୁଜ ସଙ୍କେତ ପରେ ଟେଣ୍ଡର ପ୍ରକ୍ରିୟାକୁ ଜୋରଦାର କରାଯିବ । କୋଲକାତା ନେଜାତୀ ସୁଭାଷ ଚନ୍ଦ୍ର ବୋଷ ବିମାନ ବନ୍ଦରରେ ବହୁବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ଓ ଦୁଇ ଦୁଇଟି ବାତ୍ୟାର ସମ୍ମୁଖୀନ ହୋଇଛି ଏହି ବିମାନ । ଶୀଘ୍ର ଏହାକୁ ଓଡ଼ିଶାକୁ ନ ଆଣିଲେ ଏହାର ଅବସ୍ଥା ଆହୁରି ଖରାପ ହୋଇଯିବ ବୋଲି ଐତିହାସିକମାନେ ମତ ଦେଇଛନ୍ତି । ବିଜୁବାବୁଙ୍କ ଡାକୋଟା କେବଳ ରାଜ୍ୟ ପାଇଁ ନୁହେଁ, ବରଂ ସମଗ୍ର ଦେଶ ପାଇଁ ଏକ ସ୍ୱତନ୍ତ୍ର ପରିଚୟ । ଯାହାକୁ ଫେରାଇ ଆଣିବା ପାଇଁ ଆରବିଏକ୍ସ ସର୍ତ୍ତାବଳୀ ଅନୁସାରେ ଟେଣ୍ଡର ପ୍ରକ୍ରିୟା କରାଯାଇଛି । ୬୪ ଫୁଟ୍‌ ୮ ଇଞ୍ଚ ଲମ୍ବ ଏହି ଡାକୋଟାର ଉଭୟ ଡେଣାର ଦୈର୍ଘ୍ୟ ୯୫ ଫୁଟ୍‌ ୨ ଇଞ୍ଚ ଏବଂ ଉଚ୍ଚତା ୧୬ ଫୁଟ୍‌ ୧୧ ଇଞ୍ଚ ରହିଛି । ତେଣୁ ଏହାକୁ ଆଣିବାକୁ ହେଲେ ବିମାନର କିଛି ଅଂଶ
ଖୋଲିବାକୁ ପଡ଼ିବ । ଏଥିପାଇଁ ୪୦ରୁ ୫୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦ରୁ ୧୨ଟି ବିମାନ ଥିଲେ ହେଁ ସେଥିମଧ୍ୟରୁ ଡାକୋଟା ହେଉଛି ତାଙ୍କର ସବୁଠାରୁ ପ୍ରିୟ । ୧୯୪୭ ମସିହା ଜୁଲାଇ ୨୧ ତାରିଖରେ ଏହି ଡାକୋଟା ଦ୍ୱାରା ଇଣ୍ଡୋନେସିଆର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ସୁରକ୍ଷିତ ଭାବେ ଭାରତକୁ ଆଣିଥିଲେ ବିଜୁବାବୁ । ତେଣୁ ଏହି ଡାକୋଟା ଓଡ଼ିଶା ଫେରି ଆସିଲେ ଏହା ବିଜୁବାବୁଙ୍କ ପାଇଁ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।

Leave A Reply

Your email address will not be published.