ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ଏବଂ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଭରସାଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ତଥା ଝଡ଼ଜନିତ ବ୍ୟାଘାତକୁ ହ୍ରାସ କରିବା ପାଇଁ ଜୋରଦାର ପ୍ରସ୍ତୁତି କରିଛି। ବିଗତ ଏକ ବର୍ଷ ମଧ୍ୟରେ ଭିତ୍ତିଭୂମିକୁ ସୁଦୃଢ଼ କରିବା, ସମ୍ବଳ ନିୟୋଜନକୁ ଅପ୍ଟିମାଇଜ୍ କରିବା ଏବଂ ଜରୁରୀକାଳୀନ ସେବାରେ ଉନ୍ନତି ଆଣିବା ଉପରେ କମ୍ପାନୀ ଗୁରୁତ୍ୱ ଦେଇଛି। ଯାହା ଫଳରେ ପ୍ରତିକୂଳ ପାଣିପାଗରେ ମଧ୍ୟ ଉପଭୋକ୍ତାଙ୍କୁ ଉତ୍ତମ ବିଜୁଳି ସେବା ଦିଆଯାଇପାରିବ। ୨୦୨୪ ଆର୍ଥିକ ବର୍ଷରେ ଟିପିଏସ୍ଓଡିଏଲର କାର୍ଯ୍ୟ ପରିସରଭୁକ୍ତ ଅଞ୍ଚଳରେ ୯୯୬ଟି କାଳବୈଶାଖୀ ଝଡ ହୋଇଥିବା ବେଳେ ୨୦୨୫ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୬୬୨ ଥିଲା । ଏଭଳି ପାଣିପାଗଜନିତ ଆହ୍ୱାନକୁ ଦକ୍ଷତାର ସହ ପରିଚାଳନା କରିବା ପାଇଁ ଟିପିଏସ୍ଓଡିଏଲ୍ ୫୯୦୦ରୁ ଅଧିକ ଗ୍ରାଉଣ୍ଡ ଷ୍ଟାଫଙ୍କୁ ଅତ୍ୟାବଶ୍ୟକ ଉପକରଣ ଏବଂ ସୁରକ୍ଷା ଉପକରଣ ସହିତ ନିୟୋଜିତ କରି ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି । ଏହା ବ୍ୟତୀତ ଜରୁରୀକାଳୀନ ପରିସ୍ଥିତିରେ ମୁତୟନ ପାଇଁ ୮୦୦ କର୍ମଚାରୀଙ୍କୁ ପ୍ରସ୍ତୁତ ରଖାଯାଇଛି। ବିଶେଷ କରି ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳରେ ଠିକ୍ ସମୟରେ ସାମଗ୍ରୀ ପରିବହନ ସୁନିଶ୍ଚିତ କରିବା ପାଇଁ କମ୍ପାନୀ ପକ୍ଷରୁ ଓଡ଼ିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ ଫୋର୍ସ (ଓଡ୍ରାଫ୍) ଏବଂ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରଖି କାମ କରାଯାଉଛି। ଏହାର ସୁଦୃଢ଼ ରେସପନ୍ସ ରଣନୀତିର ଏକ ଅଂଶ ଭାବରେ ଟିପିଏସ୍ଓଡିଏଲ୍ ପ୍ରତ୍ୟେକ ସର୍କଲରେ ୬ଟି ମୋବାଇଲ ସବଷ୍ଟେସନ ମୁତୟନ କରିଛି। ବିଦ୍ୟୁତ ବିଚ୍ଛିନ୍ନତା ସମୟରେ ତ୍ୱରିତ ପଦକ୍ଷେପ ନେବା ପାଇଁ ୨୫ଟି ଆସ୍କା ଲାଇଟ୍ ଏବଂ ୧୯ଟି ଡିଜି ସେଟ୍ ସହ ଜରୁରୀକାଳୀନ ରେସପନ୍ସ ଟିମ୍ ଗଠନ କରାଯାଇଛି। ପ୍ରାପ୍ତ ସତର୍କ ସୂଚନା ଆଧାରରେ ଡିଭିଜନ ସ୍ତରରେ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍ ସକ୍ରିୟ କରାଯାଇ ତୁରନ୍ତ ପଦକ୍ଷେପ ନିଆଯାଉଛି। ସାମଗ୍ରୀ ଓ ଉପକରଣ ମହଜୁଦ ରଖିବା ଉପରେ ଗୁରୁତ୍ବ ଦିଆଯାଉଛି। ୫ଟି ମୁଖ୍ୟ ଷ୍ଟୋର୍ ବ୍ୟତୀତ ଟିପିଏସ୍ଓଡିଏଲ୍ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ୧୬ଟି ଅସ୍ଥାୟୀ ଷ୍ଟୋର୍ ସୃଷ୍ଟି କରିଛି। ସେକ୍ସନ ସ୍ତରରେ ବିଦ୍ୟୁତ ଖୁଣ୍ଟ, କଣ୍ଡକ୍ଟର, ଟ୍ରାନ୍ସଫର୍ମର, ଏଲଟି ଏବି କେବୁଲ ଭଳି ଜରୁରୀକାଳୀନ ଉପକରଣ ଷ୍ଟକ୍ ରଖାଯାଇଛି, ଯାହା ତ୍ୱରିତ ପଦକ୍ଷେପକୁ ସୁନିଶ୍ଚିତ କରୁଛି। ୩୩ କେଭି ଓ ୧୧ କେଭି ଲାଇନରେ ଭୂତଳ ତ୍ରୁଟି ଚିହ୍ନଟ ପାଇଁ ଏକ କେବୁଲ ଫଲ୍ଟ ଲୋକେଟର ମଧ୍ୟ ନିୟୋଜିତ କରାଯାଇଛି। ଝଡ଼ ସମୟରେ ଗଛ କିମ୍ବା ଡାଳ ପଡ଼ି ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ନ ହେବା ପାଇଁ ଗଛ ଡାଳ କାଟିବା ଦାୟିତ୍ଵ ଏଜେନ୍ସିକୁ ଦିଆଯାଇଛି। ଦ୍ରୁତ ବେଗରେ ବହୁଥିବା ପବନରୁ ନେଟୱର୍କକୁ ସୁରକ୍ଷିତ କରିବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନଗୁଡ଼ିକରେ ୪,୪୯୦ ଟି ଇଣ୍ଟରପୋଜିଂ ଖୁଣ୍ଟ ଲଗାଯାଇଛି, ଯାହା ଲାଇନ ସ୍ଥିରତାକୁ ସୁଦୃଢ଼ କରିଛି । ବ୍ରହ୍ମପୁରରେ ଥିବା କମ୍ପାନିର ୨୪ ଘଣ୍ଟିଆ ସେଣ୍ଟ୍ରାଲାଇଜ୍ଡ ପାୱାର ସିଷ୍ଟମ କଣ୍ଟ୍ରୋଲ ସେଣ୍ଟର ସ୍ଥାୟୀ ବିଜୁଳି ଯୋଗାଣକୁ ବଜାୟ ରଖିବା ପାଇଁ ତଦାରଖ ସହ ଶୀଘ୍ର ତ୍ରୁଟି ଚିହ୍ନଟ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରୁଅଛି। ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଓଡ଼ିଶାବାସୀଙ୍କ ପ୍ରତି ଆମର ପ୍ରତିବଦ୍ଧତା କେବଳ ବିଜୁଳି ଯୋଗାଣରେ ସୀମିତ ନୁହେଁ, ବରଂ ବିଶେଷ କରି ପ୍ରତିକୂଳ ପାଣିପାଗ ସମୟରେ ସେମାନଙ୍କ ସୁରକ୍ଷା ଓ ଶାନ୍ତି ସୁନିଶ୍ଚିତ କରିବା ଉପରେ ଆମେ ଗୁରୁତ୍ବ ଦେଉ। ଭିତ୍ତିଭୂମି, ମାନବ ସମ୍ବଳ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିବେଶ ସହିତ ଆମେ କାଳବୈଶାଖୀର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ। ଆମ ଟିମ୍ ହାଇ ଆଲର୍ଟରେ ଅଛନ୍ତି ଏବଂ ତୁରନ୍ତ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ଅଛନ୍ତି।” ଟିପିଏସ୍ଓଡିଏଲର ଏହି ବ୍ୟାପକ ପ୍ରସ୍ତୁତି ବିଶ୍ୱସନୀୟ ସେବା ଯୋଗାଣ ଏବଂ ଉପଭୋକ୍ତାଙ୍କ ସୁରକ୍ଷା ଦିଗରେ ଏହାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଏକ ମଜଭୁତ ଭିତ୍ତିଭୂମି ଏବଂ ଗ୍ରାଉଣ୍ଡ ଟିମ୍ ନିୟୋଜିତ ଥିବାରୁ ଦକ୍ଷିଣ ଓଡ଼ିଶାରେ ସୁରକ୍ଷିତ ବିଜୁଳି ଯୋଗାଣ ପାଇଁ କମ୍ପାନୀ ଆତ୍ମବିଶ୍ୱାସର ସହ କାଳବୈଶାଖୀର ମୁକାବିଲା କରିବାକୁ ପ୍ରସ୍ତୁତ ଅଛି।