ଗୁରୁଗ୍ରାମ, ୨୨ ।୨: ଗୁରୁଗ୍ରାମର ଫିରୋଜ ଗାନ୍ଧୀ କଲୋନୀରେ ସୋମବାର ଦିନ ଦ୍ୱିପ୍ରହରରେ କାରରେ ଥିବା ଜଣେ ଯୁବକଙ୍କୁ ଦୁର୍ବୃତ୍ତ ଆଖିବୁଜା ଗୁଳି କରି ହତ୍ୟା କରିଛନ୍ତି । ଘଟଣାସ୍ଥଳରେ ଯୁବକଙ୍କ ଉପରକୁ ଦୁର୍ବୃତ୍ତ ୨୦ରୁ ଅଧିକ ଗୁଳିମାଡ କରିଛନ୍ତି । ଏଥିରୁ ପ୍ରାୟ ୧୦ରୁ ଅଧିକ ଗୁଳି ମୃତକଙ୍କ ଶରୀରରେ ବାଜିଛି । ମୃତକଙ୍କ କୌଣସି ଅପରାଧିକ ରେକର୍ଡ ନଥିବା ବେଳେ ସେ କୌଣସି କେସ୍ର ସାକ୍ଷୀ ନଥିଲେ । ପୋଲିସ ବୁଝି ପାରୁନାହିଁ ଯେ, ଯୁବକଙ୍କୁ କଣ ପାଇଁ ଏତେ ନୃଶଂସ ଭାବେ ହତ୍ୟା କରାଯାଇଛି । ପୋଲିସ ମାମଲା ରୁଜୁ କରି ଅପରାଧୀଙ୍କ ସନ୍ଧାନରେ ଜୁଟିଯାଇଛି । ଆଖାପାଖର ସିସିଟିଭି ଫୁଟେଜ୍ର ତନ୍ନତନ୍ନ ଯାଞ୍ଚ କରାଯାଉଛି । ପୋଲିର ସୂଚନା ଅନୁଯାୟୀ ଫିରୋଜଗାନ୍ଧୀ କଲୋନୀର ନିବାସୀ ସୁରଜିତ ପୁରବ ବାବୁ ନାମକ ବ୍ୟକ୍ତିଙ୍କ ଭାଇ ଅଟୋ ଚଳାନ୍ତି । ତାଙ୍କ ପାଖରେ ବସଇର ବାସିନ୍ଦା ମନୀଷ (୨୫ ବର୍ଷ) କାମ କରୁଥିଲେ । ମନୀଷ ରେଲୱେ ରୋଡ୍ ଯାଇ ଟେମ୍ପୁ ଚଳାଉଥିବା ଲୋକଙ୍କଠୁ ଟଙ୍କା ମଧ୍ୟ ସଂଗ୍ରହ କରନ୍ତି । ହେଲେ ସୋମବାର ପୂର୍ବାହ୍ନ ୧୧ଟାରେ ସେ ନିଜ ବାଇକ୍ରେ ଫିରୋଜ ଗାନ୍ଧୀ କଲୋନୀ ଆସିଥିଲେ । ସେଠାରେ ନିଜ ବାଇକ୍ ରଖି ଭିତରକୁ ଯାଇଥିଲେ । କିଛି ସମୟ ପରେ ବାହାରକୁ ଆସି ମାଲିକଙ୍କ ଏସୟୁଭି ୫୦୦ କାରରେ ବସିଥିଲେ । ଯେମିତି ଗାଡି ଆଗକୁ ବଢିଲା, ସେହି ସମୟରେ ଅଚାନକ ୨ ଯୁବକ କାରକୁ ଘେରି ଯାଇଥିଲେ । ଦୁର୍ବୃତ୍ତ ମନୀଷଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ପ୍ରାୟ ୨୦ରୁ ଅଧିକ ଗୁଳି ଚଳାଯାଇଥିଲା । ଏଥିରୁ ୧୦ରୁ ଅଧିକ ଗୁଳି ମନୀଷଙ୍କ ଦେହରେ ବାଜିଥିଲା । କାର ସିଟ୍ରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା । ଘଟଣା ପରେ ଦୁର୍ବୃତ୍ତ ଦୌଡି ଦୌଡି ସେଠାରୁ ଫେରାର ମାରିଥିଲେ । ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ମନୀଷଙ୍କୁ ହସ୍ପିଟାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ପୋଲିସ ଅଧିକାରୀ ଘଟଣାସ୍ଥଳରେ ଥିବା ସିସିଟିଭି କ୍ୟାମେରା ଫୁଟେଜ୍ର ଯାଞ୍ଚ କରୁଛନ୍ତି । ଏହା ବ୍ୟତୀତ ପୋଲିସ ମନୀଷଙ୍କ କଲ୍ ଡିଟେଲ୍ ଓ ଅନ୍ୟ ସୂଚନା ସଂଗ୍ରହ କରୁଛି ।