ଭୁବନେଶ୍ୱର, ୭ା୧୦(ଡିକେ ନ୍ୟୁଜ): ବଙ୍ଗୋପସାଗରରେ ସୃଷ୍ଟ ଲଘୁ·ପ ଓ ଘୂର୍ଣ୍ଣିବଳୟ ଦୁର୍ଗା ପୂଜା ମଉଜକୁ ଫିକା କରି ଦେଇଛି । ଅଷ୍ଟମୀରୁ ଭସାଣି ପର୍ଯ୍ୟନ୍ତ ପ୍ରତି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିଲା । ଫଳରେ ଦୁର୍ଗାଙ୍କ ଆବାହନଠାରୁ ବିସର୍ଜନ ପର୍ଯ୍ୟନ୍ତ ଆୟୋଜକ ଓ ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥିଲା । ବିଶେଷକରି କଟକ ଓ ଭୁବନେଶ୍ୱରରେ ମହାଆଡ଼ମ୍ବରରେ ଦଶହରା ଆୟୋଜନ ହେଉଥିବା ବେଳେ ଚଳିତବର୍ଷ ବର୍ଷା ଏହାକୁ ଫିକା କରି ଦେଇଛି । ଲଘୁ·ପ ଯୋଗୁଁ
ନବମୀ ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିବା ବେଳେ ଘୂର୍ଣ୍ଣିବଳୟ ପ୍ରଭାବରେ ଦଶହରା ଓ ଭସାଣିରେ ଭାରୀ ବର୍ଷା ଅନୁଭୂତ ହୋଇଛି । ଏମିତି କି ଦଶହରାରେ ଆୟୋଜିତ ହୋଇଥିବା ରାବଣ ପୋଡ଼ି ଅଧିକାଂଶ ସ୍ଥାନରେ ଅସମ୍ପୂର୍ଣ୍ଣ ରହିଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଶୁକ୍ରବାରଠାରୁ ବର୍ଷାର ପ୍ରକୋପ କମିଲେ ମଧ୍ୟ କିଛି ଜିଲ୍ଲାରେ ବର୍ଷା ଜାରି ରହିବ । ମାତ୍ର ୯ ତାରିଖ ଅର୍ଥାତ କୁମାର ପୂର୍ଣ୍ଣିମାରେ ରାଜ୍ୟର କିଛି ସ୍ଥାନରେ ପୁଣି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୮ ତାରିଖରେ ଏହାର ପ୍ରଭାବରେ ଏକ ଲଘୁ·ପ ସୃଷ୍ଟି ହୋଇପାରେ । ପରବର୍ତ୍ତୀ ସମୟରେ ଏହା ଦକ୍ଷିଣ ଆନ୍ଧ୍ର ଉପକୂଳକୁ ମୁହାଁଇବ ଓ ୧୧ ତାରିଖ ପର୍ଯ୍ୟନ୍ତ ସେହି ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ରହିବ । ଏହାପରେ ପରେ ଆଉ ଏକ ଘୂର୍ଣ୍ଣିବଳୟ ସେହି ଦକ୍ଷିଣ ବଙ୍ଗୋପସାଗରରେ ହିଁ ସୃଷ୍ଟି ହେବ । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଉଣା ଅଧିକେ ବର୍ଷା ଲାଗି ରହିବ । ଏହି ସମୟରେ ଉପକୂଳରେ ଅଧିକ ବର୍ଷା ହେବାକୁ ଥିବା ବେଳେ କଟକ, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମରେ ବର୍ଷାର ପରିମାଣ ସବୁଠାରୁ ଅଧିକ ରହିବ । ଏହି ୩ଟି ଜିଲ୍ଲାରେ ସାଧାରଣତଃ ଭାବେ ସ୍ୱଳ୍ପ ଓ ୭,୧୧, ଏବଂ ୧୪ରେ ସ୍ଥାନେ ସ୍ଥାନେ ମଧ୍ୟମ ଧରଣର ବର୍ଷା ହେବ । ଅନ୍ୟାନ୍ୟ ସ୍ଥାନରେ ସାଧାରଣତଃ ହାଲୁକା ଓ ସ୍ଥାନେ ସ୍ଥାନେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ । ଆସନ୍ତା ୨୫ ପର୍ଯ୍ୟନ୍ତ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ନ ଥିବା ବେଳେ ଉତ୍ତର ପୂର୍ବ ମୌସୁମୀ ଆସିବାରେ ବିଳମ୍ବ ହେବ । ଏହାସହିତ ଉତ୍ତରା ପବନ ନ ଆସିବାରୁ ୨୫ ପର୍ଯ୍ୟନ୍ତ ତାପମାତ୍ରାରେ କମିବ ନାହିଁ ବୋଲି ଶ୍ରୀ ପଶୁପାଳକ କହିଛନ୍ତି । ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଗତ ୩୬ ଘଣ୍ଟାରେ କଟକରେ ୬୫ ମିମି ବର୍ଷା ହୋଇଥିବା ବେଳେ ଭୁବନେଶ୍ୱରରେ ୬୬ ମିମି ବର୍ଷା ହୋଇଛି । ସେହିପରି ବାଲେଶ୍ୱରରେ ୫୪ ମିମି. ବର୍ଷା ହୋଇଥିବା ବେଳେ ନୟାଗଡ଼ରେ ୪୧, ଭଦ୍ରକରେ ୮୫, ଢେଙ୍କାନାଳରେ ୫୨, ଯାଜପୁରରେ ୩୭ ମିମି ବର୍ଷା ହୋଇଛି । ଏହା ବାଦ୍ ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷା ଅନୁଭୂତ ହୋଇଛି । ସେହିପରି ୯ ତାରିଖରେ ପ୍ରବଳ ବର୍ଷା ଆଶଙ୍କା କରି ଗଜପତି, ଗଞ୍ଜାମ, କୋରାପୁଟ, ରାୟଗଡ଼ା ଓ ପୁରୀ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି । ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ପୂର୍ବ ଦିଗରୁ ରାଜ୍ୟକୁ ଶକ୍ତିଶାଳୀ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି । ଏହା ପ୍ରଭାବରେ ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ଏହାର ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ବର୍ଷାର ପ୍ରକୋପ ଅଧିକ ରହୁଛି । ଅନ୍ୟପଟେ ଚଳିତ ଅକ୍ଟୋବରରେ ପାଣିପାଗଜନିତ ସ୍ଥିତି ଯୋଗୁଁ ସାମୁଦ୍ରିକ ପରିବେଶ ଅନୁକୂଳ ଥିବାରୁ ବଙ୍ଗୋପସାଗର ଅଶାନ୍ତ ରହିବ ବୋଲି ଜଣାପଡ଼ିଛି ।
୯ରୁ ବଢ଼ିବ ବର୍ଷା ଭିଜିବ କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା
Prev Post
Next Post