ଭୁବନେଶ୍ୱର, ୮ା୧୦ (ଡିକେ ନ୍ୟୁଜ୍): ଧାମନଗର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ସେଠାରେ ରାଜନୈତିକ ପାଣିପାଗ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି । ବାଜି ଜିତିବା ପାଇଁ ୩ ପ୍ରମୁଖ ଦଳ ଜୋରସୋରରେ ଲାଗିପଡ଼ିଛନ୍ତି । ୧୪ ତାରିଖ ପ୍ରାର୍ôଥପତ୍ର ଦାଖଲର ଶେଷ ଦିନ ଥିବାରୁ ସବୁ ଦଳ ପ୍ରାର୍ଥୀ ଖୋଜିବାରେ ବ୍ୟସ୍ତ । ଧାମନଗରରେ ବିଜୟ ଧ୍ୱଜା ଉଡ଼ାଇବା ପାଇଁ ବିଜେଡି ତୃଣମୂଳସ୍ତରରେ ସଂଗଠନକୁ ଅଧିକ ଚଳଚଞ୍ଚଳ କରିଛି । ୨୪ ଫାଇନାଲ ପୂର୍ବରୁ ଧାମନଗର ସେମିଫାଇନାଲରେ ଜିତାପଟ ଆଣିବା ପାଇଁ ଲାଗିପଡ଼ିଛି ଦଳ । ବିଜେଡିରୁ କିଏ ହେବେ ପ୍ରାର୍ଥୀ ତାକୁ ନେଇ ଏବେ କସରତ ଚାଲିଛି । ପୁଣିଥରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚକ୍ମା ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ଅନୁମାନ କରୁଛନ୍ତି । ବଡ଼ ବ୍ୟବଧାନରେ ବିଜୟଲାଭ ପାଇଁ ସମରସଜ୍ଜା ଆରମ୍ଭ କରିଛି ବିଜେଡି । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା, ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ ଲକ୍ଷ୍ୟ ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ଥିବା ଲୋକଙ୍କ ବିଶ୍ୱାସ ଧାମନଗରରେ ଦଳକୁ ବଡ଼ ବିଜୟ ଦେବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ତେବେ ଧାମନଗର ମୈଦାନକୁ ବିଜେଡି ସୁପ୍ରିମୋ ପୁରୁଣା ନା ନୂଆ ମୁହଁକୁ ଆଣିବେ ତା’କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚାରେ ଅଛନ୍ତି ବିଜେଡି ନେତା ଶରତ ଦାସ, ଡାକ୍ତର ସଞ୍ଜୟ ଦାସ ଓ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । କିନ୍ତୁ ନୂଆ ମୁହଁ ଉପରେ ଭରସା କରିପାରନ୍ତି ବିଜେଡି ସୁପ୍ରିମୋ । ଏହା ପୂର୍ବରୁ ଦଳ ଉପନିର୍ବାଚନରେ ବାଜିମାତ୍ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଯାଜପୁର, ଭଦ୍ରକ ଜିଲ୍ଲାର ତୁଙ୍ଗ ନେତାଙ୍କୁ ଏହି ଉପନିର୍ବାଚନରେ ଗୁରୁଦାୟିତ୍ୱ ମିଳିପାରେ । ବିଜେଡି ସୁପ୍ରିମୋ ଯାହାକୁ ପ୍ରାର୍ଥୀ କରିବେ ତାଙ୍କୁ ସମସ୍ତେ ମାନିବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଧାମନଗରରେ ବିଜେପି ଅନୁକମ୍ପା ଭୋଟ ହାତେଇବା ପାଇଁ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିବା ପାଇଁ ଏକରକମର ଚୂଡ଼ାନ୍ତ କରିଛି । ସେହିପରି କଂଗ୍ରେସର ବରିଷ୍ଠ ନେତା ଅନନ୍ତ ସେଠୀ ଧାମନଗର ଉପନିର୍ବାଚନ ଜିତିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏଥିନେଇ ଦଳ ମୁଖିଆଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ହେବ । ୨୦୨୪ ଫାଇନାଲ ଲଢେ଼ଇ ପୂର୍ବରୁ ଏହି ଉପନିର୍ବାଚନ ମାଧ୍ୟମରେ ସବୁ ଦଳ ଏକ ବାର୍ତ୍ତା ଦେବାକୁ ପ୍ରୟାସ ଜାରି ରଖିଛନ୍ତି । ଧାମନଗରରେ ବାଲେଶ୍ୱର ଉପନିର୍ବାଚନର ପୁନରାବୃତ୍ତି କରିବା ପାଇଁ ବିଜେଡି ଜୋରଦାର ଉଦ୍ୟମ ଜାରି ରଖିଛି । ୨୦୧୯ରେ ବିଜେପି ବାଲେଶ୍ୱର ଆସନ ଜିତିଥିବା ବେଳେ ତା ହାତରୁ ବିଜେଡି ଏହି ଆସନକୁ ଛଡ଼ାଇ ଆଣିଥିଲା । ସେହିପରି ଧାମନଗର ଆସନକୁ ଛଡ଼ାଇବା ପାଇଁ ଦଳ ପକ୍ଷରୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଛି ।