ମନେ ରଖିବ ଇତିହାସ: ଜାତୀୟ ଗଣମାଧ୍ୟମରେ ପ୍ରଶଂସା : କରୋନା ସଂକଟରେ ନବୀନ ତ୍ରାଣକର୍ତ୍ତା

194

ଭୁବନେଶ୍ୱର : କରୋନା ସଂକଟ କାଳରେ ଦେଶ ସହ ଛିଡ଼ା ହୋଇଛି ଓଡ଼ିଶା । ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ଆତଙ୍କ ସୃଷ୍ଟି କରିଛି । ଅନେକ ରାଜ୍ୟ ବେଡ୍ ସହ ଅକ୍ସିଜେନ୍ ଅଭାବକୁ ନେଇ ଚିନ୍ତାରେ ଅଛନ୍ତି । ଅମ୍ଳଜାନ ନିଅଣ୍ଟ ପଡ଼ୁଥିବାରୁ ରୋଗୀଙ୍କ ମୃତ୍ୟୁ ହେଉଛି । ଦେଶର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ତ୍ରାଣକର୍ତ୍ତା ସାଜିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ରାଜ୍ୟକୁ ମେଡିକାଲ୍ ଅକ୍ସିଜେନ୍ ପଠାଇ ସାଉଣ୍ଟିଛନ୍ତି ପ୍ରଶଂସା । ଅନେକ ରାଜ୍ୟରେ ଅକ୍ସିଜେନ୍ ଅଭାବ ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ଜାତୀୟ ଗଣମାଧ୍ୟମରେ ପ୍ରଶଂସା କରାଯାଉଛି ।

ଇଣ୍ଡିଆ ଟୁ଼ଡ୍ ଗ୍ରୁପ୍ ଦ୍ୱାରା ପରିଚାଳିତ ‘ଦି ଲଲନଟପ୍’ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛି । କରୋନା ସଂକଟ କାଳରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇତିହାସ ମନେ ରଖିବ ବୋଲି ‘ଦି ଲଲନଟପ୍’ ଲେଖିଛି । ଦେଶରେ ଅକ୍ସିଜେନ୍ ଅଭାବ ଦେଖା ଦେଇଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ୍ କରି ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ । ଦେଶରେ କରୋନା ସ୍ଥିତି ନେଇ ଆଲୋଚନା କରିବା ସହ ସ୍ଥିତିକୁ ଯୁଦ୍ଧକାଳୀନ କହିଥିଲେ । ଅକ୍ସିଜେନ୍ ଅଭାବ ସ୍ଥିତିରେ ଓଡ଼ିଶା ଦେଶ ସହ ଅନ୍ୟ ରାଜ୍ୟକୁ ସହାୟତା କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ । ରାଜ୍ୟରେ ଅକ୍ସିଜେନ୍ ଉତ୍ପାଦନକୁ ବୃଦ୍ଧି କରାଯିବ ବୋଲି ସୂଚନା ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅକ୍ସିଜେନ୍ ଟ୍ୟାଙ୍କର ପରିବହନ ଲାଗି ଏଡିଜି ଆଇନ୍ ଓ ଶୃଙ୍ଖଳା ଜେଠୱାଙ୍କୁ ସ୍ୱତନ୍ତ୍ର ଅଧିକାରୀ ଭାବେ ନିଯୁକ୍ତ କରିଥିଲେ ଡିଜିପି । ଏଥିସହ ପୋଲିସ ପକ୍ଷରୁ ଅକ୍ସିଜେନ୍ ଟ୍ୟାଙ୍କରକୁ ଗ୍ରୀନ୍ କରିଡରରେ ଏସ୍କର୍ଟ କରି ନେଉଛି । ଓଡ଼ିଶାର ଏଭଳି ପଦକ୍ଷେପ ପରେ ମହାରାଷ୍ଟ୍ର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୧୫ଟି ଟ୍ୟାଙ୍କରରେ ୨୫୦ ଟନ୍ ମେଡିକାଲ ଅକ୍ସିଜେନ୍ ପଠାଯାଇଛି । ରାଜ୍ୟର ଯାଜପୁର, ଅନୁଗୁଳ ଓ ରାଉରକେଲାରୁ ଏହି ମେଡିକାଲ ଅକ୍ସିଜେନକୁ ଆନ୍ଧ୍ରପ୍ରଦେଶର ବିଶାଖପାଟଣା, ତେଲେଙ୍ଗାନାର ହାଇଦ୍ରାବାଦ୍, ମଧ୍ୟପ୍ରଦେଶର ଇନ୍ଦୋର ଓ ମହାରାଷ୍ଟ୍ରର ମୁମ୍ବାଇ, ପୁନେ ଓ ନାଗପୁରକୁ ପଠାଯାଇଛି । ଆଉ ଅବାଧରେ ଏହି ଅକ୍ସିଜେନ୍ ଟ୍ରାନ୍ସପୋର୍ଟ ପାଇଁ ଓଡ଼ିଶା ପୋଲିସ ନେତ୍ୱତ୍ୱରେ ଏକ ନିର୍ଦ୍ଦିଷ୍ଟ କରିଡର ଚିହ୍ନଟ କରିବା ସହ ଅକ୍ସିଜେନ୍ ପଠାଯାଇଛି ।

୭ ରାଜ୍ୟକୁ ଗଲା ସଞ୍ଜିବନୀ :

ବିଗତ ଦୁଇ ଦିନ ଧରି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟ ଜାରି ରହିଛି । ଅଦ୍ୟାବଧି ୨୯ଟି ଟ୍ୟାଙ୍କ ଯୋଗେ ୫୧୦ ଟନ୍ରୁ ଅଧିକ ଅକ୍ସିଜେନ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି । ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା,ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ହରିୟାନା, ଦିଲ୍ଲୀ, ଉତ୍ତରପ୍ରଦେଶ ସମେତ ଅନ୍ୟ ସ୍ଥାନକୁ ଅକ୍ସିଜେନ୍ ପଠାଯାଇଛି । ଢେଙ୍କାନାଳ, ଅନୁଗୁଳ ଏବଂ ରାଉରକେଲାରୁ ଆଜି ଆହୁରି ୧୫ଟି ଅକ୍ସିଜେନ୍ ଟ୍ୟାଙ୍କର୍ ପଠାଯିବ ।

ଅକ୍ସିଜେନ୍ ନେଇ ଯାଉଥିବା ଟ୍ୟାଙ୍କଗୁଡ଼ିକର ସହଜ ଯାତାୟାତ ନିମନ୍ତେ ସ୍ୱତନ୍ତ୍ର ଗ୍ରୀନ୍ କରିଡ଼ର୍ ପ୍ରସ୍ତୁତ କରାଯାଇଛି । ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅକ୍ସିଜେନ୍ ନେଇଯାଉଥିବା ଟ୍ୟାଙ୍କଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧା ନ ହୁଏ ସେନେଇ ରାଜ୍ୟ ପୋଲିସ୍ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ପୋଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି ।

ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଓ ଶୃଙ୍ଖଳା) ଯଶୋୱନ୍ତ ଜେଠୱାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅକ୍ସିଜେନ୍ ଯୋଗାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି । ଜିଲ୍ଲାର ସମସ୍ତ ଏସ୍ପି, ଡିସିପି, ରେଞ୍ଜ ଡିଆଇଜି, ଆଇଜି ଏବଂ ପୋଲିସ୍ କମିଶନର ନିଜ ନିଜ ଅଞ୍ଚଳରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.