ପ୍ରତିଟି ଜୀବନର ସୁରକ୍ଷା ଆମ ପାଇଁ ମୂଲ୍ୟବାନ

178

-ସମୟାନୁସାରେ ଔଷଧ ଓ ଅକ୍ସିଜେନ ଯୋଗାଣ ଉପରେ ଗୁରୁତ୍ୱ
-ଯୋଜନାବଦ୍ଧ ଭାବେ କାମ କରିବାକୁ ଜିଲ୍ଲାପାଳ-ଏସ୍ପିଙ୍କୁ ନିର୍ଦ୍ଦେଶ
-ମାସ୍କ ଓ ସାମାଜିକ ଦୂରତ୍ୱ ପାଇଁ ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୃଢ଼ ମୁକାବିଲା ପାଇଁ ଯୋଜନାବଦ୍ଧ ଭାବେ କାମ କରିବାକୁ ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ନିର୍ଦ୍ଦେଶ । ମୁଖ୍ୟ ଶାସନ ସଚିବ ଏସବୁ କାର୍ଯ୍ୟର ତଦାରଖ କରି ପରବର୍ତ୍ତୀ ବୈଠକରେ ଜଣାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସ୍ଥିତିରେ କିଛି ବ୍ୟବସାୟୀ ସଙ୍ଗଠନ ବାଣିଜ୍ୟ ସମୟସୀମା ହ୍ରାସ କରି କୋଭିଡ ପରିଚାଳନାରେ ସହଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି ।

ଏହିଭଳି ସଂଗଠନଗୁଡ଼ିକୁ କୋଭିଡ ପରିଚାଳନାରେ ଅଂଶୀଦାର କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଲୋକଙ୍କ ଜୀବନରକ୍ଷା ପାଇଁ ପର୍ଯ୍ୟାପ୍ତ ଔଷଧ,ଅମ୍ଳଜାନ ଠିକ୍ ସମୟରେ ଯୋଗାଇଦେବା ସହ ଏହାର ସୁବନ୍ଦୋବସ୍ତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । କରୋନାର ଦ୍ୱିତୀୟ ଲହରୀକୁ ପ୍ରତିହତ କରିବାକୁ କୋଭିଡ ନିୟମର କଡ଼ା ଅନୁପାଳନ ସହ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପ୍ରତିଟି ବହୁମୂଲ୍ୟ ଜୀବନର ସୁରକ୍ଷା ପାଇଁ ଆମ ଡାକ୍ତର,ମେଡ଼ିକାଲ କର୍ମଚାରୀମାନେ ଉତ୍ସର୍ଗୀକୃତ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ନିଷ୍ଠାପର ସେବାକୁ ସମ୍ମାନ ଜଣାଇବା ସହ କୋଭିଡ ଯୁଦ୍ଧକୁ ଆହୁରି ଦୃଢ଼ କରିବାକୁ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ସହ ଏକ ସଚେତନ ନାଗରିକର ଦାୟିତ୍ୱ ତୁଲାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଯେପରି ଚାପ କମ୍ ରହିବ, ସେଥିପାଇଁ ଆମକୁ ଦାୟିତ୍ୱପୂର୍ଣ୍ଣ ଭାବରେ କାମ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସଂକ୍ରମଣ ସଂଖ୍ୟା ବୃଦ୍ଧି ସତ୍ତେ୍ୱ ଆମେ ନିରନ୍ତର ଭାବେ ସେବା କରିଚାଲିଛୁ । କିନ୍ତୁ କେତେକ ଜିଲ୍ଲାରେ ସଂକ୍ରମଣର ସ୍ଥିତି ଆମ ପାଇଁ ଉଦ୍ବେଗ ସୃଷ୍ଟି କରିଛି । ଭାଇରସ୍ର ଡବଲ ଓ ଟ୍ରିପଲ ମ୍ୟୁଟାଣ୍ଟ ଦ୍ରୁତ ଗତିରେ ବ୍ୟାପୁଛି । ଏହି ଦ୍ୱିତୀୟ ଲହରରେ ଆମର ଯୁବଗୋଷ୍ଠୀ ବିଶେଷ ଭାବରେ ସଂକ୍ରମିତ ହେଉଛନ୍ତି । କେତେକ କ୍ଷେତ୍ରରେ ସେମାନଙ୍କ ସ୍ୱାସ୍ଥ୍ୟ ଜଟିଳତା ଦେଖାଦେଉଛି ବୋଲି ମୁଖ୍ୟମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିଛନ୍ତି । ଏପରି ସ୍ଥିତିରେ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ପରି ସବୁଠାରୁ ଖରାପ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଆମେ ପ୍ରସ୍ତୁତ ରହିବା ଦରକାର ବୋଲି ନବୀନ ଅପିଲ କରିଛନ୍ତି ।

ଏଥିପାଇଁ ତ୍ରୁଟିଶୂନ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ ନିୟମାବଳୀକୁ ଠିକ୍ ଭାବରେ ପାଳନ କରିବା, ତେବେ କୋଭିଡ୍ର ପରାଜୟ ସୁନିଶ୍ଚିତ । ସବୁବେଳେ ଠିକ୍ ଭାବରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ହାତ ଧୋଇବା ଆଦି କୋଭିଡ ନିୟମାବଳୀର ସଠିକ୍ ଅନୁପାଳନ ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ୩୦ ପ୍ରତିଶତ ଶଯ୍ୟାରେ ଅକ୍ସିଜେନ ବ୍ୟବସ୍ଥା କରାଯାଇଛି ଏବଂ ଏହାକୁ ୩୫ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ବେଡ୍ ପରିଚାଳନା ଲାଗି ଅନ୍ଲାଇନ୍ ରିଅଲ୍ ଟାଇମ୍ ମେଡ୍ ମ୍ୟାନେଜମେଣ୍ଟ ସାଇଟ କାର୍ଯ୍ୟକାରୀ କରାଯିବା ନେଇ ସେ ଗୁରୁତ୍ୱ ଦେଇଛନ୍ତି ।

ପଶ୍ଚିମ ଓଡ଼ିଶା ଗଲେ ୧୨ ଅଧିକାରୀ :

କରୋନା ମୁକାବିଲା ପାଇଁ ପଶ୍ଚିମ ଓଡ଼ିଶାକୁ ଗଲେ ୧୨ ଓଏଏସ୍ ଅଧିକାରୀ । ଏହି ଅଧିକାରୀମାନେ କରୋନା ମୁକାବିଲା ଓ ପରି·ଳନାରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ । ନୂଆପଡ଼ା ପାଇଁ ଗଲେ ବିବେକାନନ୍ଦ ସାହୁ, ହେମନ୍ତ ସିଂହ ଓ ଶ୍ୱେତ କୁମାର ଦାସ । ବଲାଙ୍ଗିର ଜିଲ୍ଲା ଗଲେ ଅଯୋଧ୍ୟାକାନ୍ତ ଶତପଥୀ ଓ ଦିଲ୍ଲୀପ ମହାପାତ୍ର । ବରଗଡ଼ ଜିଲ୍ଲାକୁ ଗଲେ ଦୁର୍ଗା ପ୍ରସାଦ ମହାପାତ୍ର ଓ ଧିରେନ୍ଦ୍ରନାଥ କର । ସମ୍ବଲପୁର ଜିଲ୍ଲାକୁ ଗଲେ ମଧୁସୂଦନ ବେହେରା, ପ୍ରଭାତ ସାହୁ ଓ ସନ୍ତୋଷ ଦାସ । ସୁନ୍ଦରଗଡ଼ ଜିଲ୍ଲାକୁ ଗଲେ ଆଶିଷ ଜେନା ଏବଂ ଦେବାଶିଷ ପଟ୍ଟନାୟକ ।

ତୁରନ୍ତ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରିପୋର୍ଟ କରିବାକୁ ଏମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶାର ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ କରୋନା ଭୟଙ୍କର ରୂପ ଧାରଣ କଲାଣି । ଯେଉଁଥିପାଇଁ ପଶ୍ଚିମ ଓଡ଼ିଶାରେ କରୋନା ବ୍ୟାପିବାରେ ଲାଗିଛି । ପ୍ରତିଦିନ ଶହଶହ ରୋଗୀ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ ରାଜ୍ୟ ସରକାର । ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ସୀମାକୁ ସିଲ୍ କରାଯାଇଥିଲା । ସେପଟେ ପଶ୍ଚିମ ଓଡ଼ିଶାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ କରିବାକୁ ଗୁରୁତ୍ୱ ଦିଆଯାଇଥିଲା । ଏଥିସହ ପର୍ଯ୍ୟାପ୍ତ ମେଡିସିନ୍ ଓ ଡାକ୍ତର ପଠାଯାଇଥିବା ଜଣାପଡ଼ିଛି ।

Comments are closed.