ଭୁବନେଶ୍ୱର : ସଂକ୍ରମଣକୁ ଚେକ୍ ଦେବାକୁ ସପ୍ତାହନ୍ତ ସଟ୍ଡାଉନ୍ । ଆଜିଠୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ୱିକେଣ୍ଡ ସଟ୍ଡାଉନ୍ ବା ସପ୍ତାହନ୍ତ ସଟ୍ଡାଉନ୍ ଲାଗୁ ହୋଇଛି । ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୬ହଜାର ଟପିଥିବା ବେଳେ ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ସହ ଶନିବାର ଓ ରବିବାର ସପ୍ତାହନ୍ତ ସଟ୍ଡାଉନ୍ ଲାଗୁ ହୋଇଛି । ସପ୍ତାହନ୍ତ ସଟ୍ଡାଉନ୍ ପାଇଁ କଟକ-ଭୁବନେଶ୍ୱର ଟ୍ୱିନ୍ସିଟିରେ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରଯାଇଛି ।
କଟକରେ ୨୫ ଓ ଭୁବନେଶ୍ୱରର ୪୩ଟି ସ୍ଥାନରେ ପୋଲିସ ନାକାବାନ୍ଦୀ କରିଛି । ଏହି ସମୟରେ କେବଳ ଜରୁରିକାଳୀନ ସେବାରେ ନିୟୋଜତି ବ୍ୟକ୍ତି ଘରୁ ବାହାରିପାରିବେ । ଯାଞ୍ଚ ସମୟରେ ଅନୁଷ୍ଠାନ ପ୍ରଦତ୍ତ ପରିଚୟପତ୍ର ଦେଖାଇବାକୁ ପଡ଼ିବ । ପାସ୍ର କୌଣସି ବ୍ୟବସ୍ଥା ନାହିଁ । ସେହିପରି ସପ୍ତାହନ୍ତ ସଟଡାଉନ୍ ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଖୋଲା ରହିବ । ଏହା ସହ ଜଡ଼ିତ ସମସ୍ତ କର୍ମଚାରୀ ପରିଚୟପତ୍ର ଦେଖାଇ ଯାତାୟତ କରିପାରିବେ । ଜିଲ୍ଲା,ମହାନଗର ନିଗମ, ପୋଲିସ ଓ ଅଗ୍ନିଶମ ବାହିନୀରେ କାର୍ଯ୍ୟରତ ବ୍ୟକ୍ତି ଯାତାୟାତ କରିପାରିବେ । ଜରୁରୀ ସେବାରେ ନିୟୋଜିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ।
ଟେଲିକମ୍ ସର୍ଭିସ୍,ପେଟ୍ରୋଲ ପମ୍ପ, ଏଲପିଜି ବିତରଣ ଉପରେ କଟକଣା ରହିବ ନାହିଁ । ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ଯାତାୟତ କରିପାରିବେ । ପାନୀୟ ଜଳଯୋଗାଣ, ସାନିଟାଇଜେସନ୍ ଓ ସ୍ୱେରେଜ୍ ୱାର୍କରଙ୍କୁ ଅନୁମତି । ବିଦ୍ୟୁତ୍ ବିତରଣ, ମାଲପରିବହନ ଉପରେ କଟକଣା ରହିବ ନାହିଁ । ଶିଳ୍ପ ଉଦ୍ୟୋଗ, ନିର୍ମାଣ କାର୍ଯ୍ୟ ଜାରି ରହିବ । କୃଷି, ପଶୁପାଳନ, ମଣ୍ଡିରେ ଫସଲ କ୍ରୟ ଜାରି ରହିବ । ରେଳ ଓ ବିମାନ ସେବା ଜାରି ରହିବ । ଯାତ୍ରୀଙ୍କୁ ଷ୍ଟେସନ୍ ଓ ବସ୍ଷ୍ଟାଣ୍ଡରୁ ଟିକେଟ୍ ଦେଖାଇ ନେବା ଆଣିବା କରିହେବ । ସ୍ଥାନୀୟ ପ୍ରଶାସନ ଅନୁମତିରେ ବିବାହ ଓ ଅନ୍ତ୍ୟେଷ୍ଟି କାର୍ଯ୍ୟ କରାଯାଇ ପାରିବ ।
ଆର୍ବିଆଇ ଓ ଅନ୍ୟ ଆର୍ଥିକ ସଂସ୍ଥା କାର୍ଯ୍ୟ ଜାରି ରହିବ । ଅନ୍ଲାଇନ୍ ଖାଦ୍ୟ ଯୋଗାଣ ଉପରେ କଟକଣା ରହିବ ନାହିଁ । ରାଜପଥ କଡ଼ରେ ଥିବା ହୋଟେଲ ଓ ଢାବା କେବଳ ପାର୍ସଲ ଦେଇପାରିବେ । କ୍ଷୀର ଦୋକାନ ଖୋଲା ରହିବ । ଫୁଡ୍ ଓ ଗ୍ରସରୀ ସାମଗ୍ରୀର ହୋମ୍ ଡେଲିଭରି ଦେଇ ହେବ । ସକାଳ ୫ଟାରୁ ୮ଟା ମଧ୍ୟରେ ଖବରକାଗଜ ବଣ୍ଟନ ଲାଗି ଅନୁମତି । ମର୍ଣ୍ଣିଂ ୱାକ୍ ଏବଂ ସାଇକେଲ୍ ଚାଳନା ପାଇଁ ସକାଳ ୫ଟାରୁ ୬ଟା ଯାଏ ଅନୁମତି । ସାଧାରଣ ବଣ୍ଟନ ବ୍ୟବସ୍ଥା ଜାରି ରହିବ । ଛଅ ଫୁଟ୍ ଦୂରତା ରକ୍ଷା କରିବେ ।