​କାକଟପୁର ବ୍ଲକ ପାଲଟିଛି ଦୁର୍ନୀତିର ଗନ୍ତାଘର: ଭିଜିଲାନ୍ସ ଅଭିଯୋଗ ପରେ ଚେତା ପଶିଲା

ରାତିାରାତି ତ୍ରୁଟି ସୁଧାରିବାକୁ ଯନ୍ତ୍ରୀ ଓ ପିଇଓଙ୍କ ଦୌଡ଼ାଦୌଡ଼
କାକଟପୁର :-ପୁରୀ ଜିଲ୍ଲା କାକଟପୁର ବ୍ଲକରେ ଚାଲିଥିବା ସଙ୍ଗଠିତ ଦୁର୍ନୀତି ଏବଂ ସରକାରୀ ଅର୍ଥ ହରିଲୁଟ୍‌ର ସୀମା ପାର ହୋଇଛି। କାମ ନ ଦେଖି ଏବଂ କାର୍ଯ୍ୟକ୍ଷେତ୍ରରେ କୌଣସି ପ୍ରକାରର ବାସ୍ତବ ମାପ ନ ନେଇ, କନିଷ୍ଠ ଯନ୍ତ୍ରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଆଖିବୁଜି ମିଥ୍ୟା ବିଲ୍ ପ୍ରସ୍ତୁତ କରୁଥିବା ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। କୁଣ୍ଢେଇ ପଞ୍ଚାୟତର ସିମେଣ୍ଟ ରାସ୍ତା ନିର୍ମାଣରେ ହୋଇଥିବା ମହାଘୋଟାଲା ବିରୁଦ୍ଧରେ ଗତକାଲି କୁଣ୍ଢେଇ ପଞ୍ଚାୟତ ବାସୀ ଙ୍କ ତରଫରୁ   ସିଧାସଳଖ ଭିଜିଲାନ୍ସ ବିଭାଗ ନିକଟରେ ଫେରାଦ ହେବା ପରେ, ସାରା ବ୍ଲକ ପ୍ରଶାସନରେ ହଲଚଲ ସୃଷ୍ଟି ହୋଇଛି। ଗିରଫଦାରୀ ଭୟରେ ଆଜି ସକାଳୁ ସକାଳୁ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ଯ୍ୟସ୍ଥଳୀକୁ ଦୌଡ଼ି ଆସି ତରବରିଆ ଭାବେ ରାସ୍ତାର ପୁନଃ-ମାପ ନେଉଥିବା ଦେଖିବାକୁ ମିଳିଛି।
         ଉପରିସ୍ଥ ଅଧିକାରୀ ଓ ସତର୍କତା ବିଭାଗର ଆକ୍ରୋଶରୁ ବଞ୍ଚିବା ପାଇଁ, ଅସମ୍ପୂର୍ଣ୍ଣ କାମକୁ ପୁନର୍ବାର କରାଯିବ ବୋଲି ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ସ୍ଥାନୀୟ ଲୋକଙ୍କ ଆଗରେ ସଫେଇ ଦେଉଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଯେ, ଯଦି ବାସ୍ତବରେ ରାସ୍ତା କାମ ସମ୍ପୂର୍ଣ୍ଣ ହୋଇନଥିଲା, ତେବେ କେଉଁ ନିୟମ ଆଧାରରେ କାଗଜପତ୍ରରେ ଏହାକୁ ସମ୍ପୂର୍ଣ୍ଣ ଦର୍ଶାଯାଇ ଚୂଡ଼ାନ୍ତ ବିଲ୍ ପାସ୍ କରାଗଲା? ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, କାକଟପୁର ବ୍ଲକରେ ଯନ୍ତ୍ରୀମାନେ କାର୍ଯ୍ୟକ୍ଷେତ୍ରକୁ ନଯାଇ, କେବଳ କାର୍ଯ୍ୟାଳୟରେ ବସି ନକଲି ମାପ ବହି ପ୍ରସ୍ତୁତ କରି ଲକ୍ଷ ଲକ୍ଷ ସରକାରୀ ଟଙ୍କା ଲୁଟ୍ କରିଚାଲିଛନ୍ତି।ଏହି  ସବୁ  ଭ୍ରଷ୍ଟାଚାର ପଛରେ କାକଟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ (ବି.ଡି.ଓ.) ଭୂମିକାକୁ ନେଇ ଏବେ ସନ୍ଦେହ ପ୍ରକାଶ ପାଇଛି।
         ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବ୍ଲକରେ ଯେତେବେଳେ ବି କୌଣସି ଦୁର୍ନୀତିର ଅଭିଯୋଗ ଆସୁଛି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାହାର ନିରପେକ୍ଷ ତଦନ୍ତ କରିବା ବଦଳରେ, କିଭଳି ଭାବେ ସେହି ଦୁର୍ନୀତିକୁ ଚାପି ଦିଆଯିବ ଏବଂ ଭ୍ରଷ୍ଟ ଅଧିକାରୀମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବ, ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି। ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଏଭଳି ଦୁର୍ନୀତି-ପ୍ରୀତି ଯୋଗୁଁ ହିଁ ବ୍ଲକର କନିଷ୍ଠ ଯନ୍ତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ନିର୍ଭୟରେ ସରକାରୀ ରାଜସ୍ୱ ଲୁଟ୍ କରୁଛନ୍ତି। ଏହି ସଙ୍ଗଠିତ ଚୋରିର ମୂଳୋତ୍ପାଟନ ପାଇଁ ଭିଜିଲାନ୍ସ କର୍ତ୍ତୃପକ୍ଷ ତୁରନ୍ତ କାକଟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଏବଂ ପିଇଓଙ୍କ ବିରୁଦ୍ଧରେ ମାମଲା ରୁଜୁ କରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦୃଢ଼ ଦାବିକରିଛନ୍ତି
#corruptionreport #crimereportupdate #kakatapur #puri #dumanikhabar
Comments (0)
Add Comment