‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ

କେନ୍ଦୁଝର :- ରାଜ୍ୟର ଗରିବ ଓ ନିଷ୍ପେଷିତ ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା ସରକାର ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଦରବାରହଲ୍‌ଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ ମେଗା କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା।
          ରାଜ୍ୟରେ କୌଣସି ବ୍ୟକ୍ତି ଯେପରି ଖାଦ୍ୟ ଅଭାବରୁ କଷ୍ଟ ନ ପାଆନ୍ତି, ସେଥିପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ କଲ୍ୟାଣକାରୀ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଗରିବ ପରିବାର ଗୁଡ଼ିକୁ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯିବ, ଯାହା ସେମାନଙ୍କ ଆର୍ଥିକ ବୋଝକୁ ଲାଘବ କରିବ। ଚାଷୀମାନେ ଯେପରି ବିନା ଦ୍ୱିଧାରେ ନିଜ ଧାନ ବିକ୍ରି କରିପାରିବେ, ସେଥିପାଇଁ ସରକାର ସିଧାସଳଖ ଧାନ କିଣୁଛନ୍ତି ଏବଂ ମଣ୍ଡିରୁ ମିଲ୍ ଦେଇ ସିଧାସଳଖ ହିତାଧିକାରୀଙ୍କ ପାଖରେ ଚାଉଳ ପହଞ୍ଚାଇବା ବ୍ୟବସ୍ଥା କରାଯାଇଛି। କୌଣସି ଶିଶୁ ଯେପରି ଅନ୍ନ ଅଭାବରୁ ଅପପୁଷ୍ଟିର ଶିକାର ନ ହୁଅନ୍ତି, ସେଥିପ୍ରତି ସରକାର ସମ୍ପୂର୍ଣ୍ଣ ସଜାଗ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ କୁହାଯାଇଛି ଯେ, ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ମାସିକ ୫ କିଲୋ ଚାଉଳ ମିଳୁଥିବାବେଳେ, ଏବେ ରାଜ୍ୟ ସରକାର ଅତିରିକ୍ତ ୫ କିଲୋ ପ୍ରଦାନ କରିବେ। ଫଳସ୍ୱରୂପ, ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ମାସିକ ମୋଟ ୧୦ କିଲୋ ଚାଉଳ ମାଗଣାରେ ପାଇବେ। କେନ୍ଦୁଝର ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ୪୧୪୫୦୭ ପରିବାରର ୧୪୪୯୫୦୭ଜଣ ହିତାଧିକାରୀ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୧୯୪୭୭ ପରିବାରର ୬୧୧୧ ହିତାଧିକାରୀଙ୍କୁ ମିଶାଇ ମୋଟ ୪୩୩୯୮୪ ପରିବାରର ୧୫୧୦୬୧୮ ଜଣ ହିତାଧିକାରୀ ଉପକୃତ ହେବେ। ଏଥିପାଇଁ ମାସିକ ୧୪,୧୦୦.୨୫ କୁଇଣ୍ଟାଲ ଚାଉଳ ଆବଣ୍ଟନ କରାଯାଇଛି।
          କେନ୍ଦୁଝର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଥିଲେ ଯେ, ରାଜ୍ୟର ପ୍ରତ୍ୟେକ ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ସରକାରଙ୍କ ମୂଳ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ମିଳିତ ସମନ୍ୱୟରେ ଓଡ଼ିଶାର ପ୍ରାୟ ୩ କୋଟି ୨୮ ଲକ୍ଷ ୫୨ ହଜାର ହିତାଧିକାରୀ ଏହି ଯୋଜନାରୁ ସିଧାସଳଖ ଉପକୃତ ହେବେ ବୋଲି ସେ ପ୍ରକାଶ କରିଛନ୍ତି।
          ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ନାଏକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମମିତା ନାଏକ, ବିଧାୟକ ଚମ୍ପୁଆଙ୍କ ପ୍ରତିନିଧି ସଞ୍ଜୀବ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ଏହି ଗରିବ କଲ୍ୟାଣକାରୀ ଯୋଜନାକୁ ଭୂୟସୀ ପ୍ରଶଂସା କରିଥିଲେ।
ପ୍ରଶାସନିକସ୍ତରରେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଓ ରବୀନ୍ଦ୍ର ପ୍ରଧାନ ଏବଂ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣଙ୍କ ସମେତ ଜିଲ୍ଲା ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
#socialservicereport #keonjhar #dumanikhabar
Comments (0)
Add Comment