ରୋଜଗାର ଯୋଗାଉଛି କେନ୍ଦୁପତ୍ର

ବୈପାରିଗୁଡା – କୋରାପୁଟ ଜିଲ୍ଲାର ଅଧିକାଂଶ ଆଦିବାସୀ ମୁଖ୍ୟତଃ ଚାଷ ଉପରେ ନିର୍ଭର କରନ୍ତି ।ଏହାଛଡ଼ା ଆଦିବାସୀ ପରିବାର ବର୍ଷସାରା ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବା ବେଳେ ସେଥିମଧ୍ୟରୁ କେନ୍ଦୁପତ୍ର ଅନ୍ୟତମ ।ଏହି କେନ୍ଦୁପତ୍ରକୁ ସଂଗ୍ରହ କରି ପ୍ରତ୍ୟେକ ଆଦିବାସୀ ପରିବାର ବାର୍ଷିକ ପ୍ରାୟ ୨୦ରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରିଥାନ୍ତି ।ତେବେ ବର୍ତ୍ତମାନ ଜିଲାର ସମସ୍ତ ଅଞ୍ଚଳରେ କେନ୍ଦୁପତ୍ର ତୋଳା କାର୍ଯ୍ୟ ଆରମ୍ଭ ହୋଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।ଏଥି ନିମନ୍ତେ ସମସ୍ତ ବର୍ଗର ମହିଳାପୁରୁଷ କେନ୍ଦୁପତ୍ର ତୋଳିବାରେ ବ୍ୟସ୍ତ ରହିଥିବା ଦେଖିବାକୁ ମିଳିଛି ।କିଛି ବର୍ଷତଳେ ଜଙ୍ଗଲ ଜାତ ଦ୍ରବ୍ୟର ବିକ୍ରି ମୂଲ୍ୟ ବହୁତ କମ୍‌ ରହିଥିବା ବେଳେ କେନ୍ଦୁପତ୍ର ବିଡ଼ା ପିଛା ୨୦ ପଇସା ରହିଥିଲା ।ଏବେ ଏହି ମୁଲ୍ୟ ବର୍ଦ୍ଧିତ ହୋଇ ବିଡ଼ା ପିଛା ୨ ଟଙ୍କା ୪୦ ପଇସା ରେ ପହଞ୍ଚିଛି ।ଦରବୃଦ୍ଧି ଯୋଗୁ ଏହି କାମରେ ଅଧିକରୁ ଅଧିକ ଲୋକ ନିୟୋଜିତ ହେଉଛନ୍ତି ।କେବଳ ଯେ ଆଦିବାସୀ ତାହା ନୁହେଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଅଣଆଦିବାସୀ ପରିବାର କେନ୍ଦୁପତ୍ର ତୋଳିବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି ।ବନବିଭାଗ ତରଫରୁ ଏହାକୁ କିଣିବା ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।ଏହାଛଡ଼ା କେତେକ ଘରୋଇ କମ୍ପାନୀ ଆସି କେନ୍ଦୁପତ୍ର କିଣୁଥିବାରୁ ଲୋକମାନେ ଅତି ସହଜରେ ବିକ୍ରି କରି ବେଶ ଲାଭବାନ ହୋଇପାରୁଛନ୍ତି ।ମୋଟାମୋଟି ଭାବେ କହିବାକୁ ଗଲେ କେନ୍ଦୁପତ୍ର ଉପରେ ନିର୍ଭରଶୀଳ ଆଦିବାସୀ ପରିବାରକୁ କେନ୍ଦୁପତ୍ର ରୋଜଗାର ଯୋଗାଉଛି ।

Comments (0)
Add Comment