ରାଜ୍ୟ ସରକାର-କେନ୍ଦ୍ର ମନ୍ତ୍ରାଳୟକୁ ନିର୍ଦ୍ଦେଶ ଏଣିକି ପ୍ରସାର ଭାରତୀ ମାଧ୍ୟମରେ ହିଁ ପ୍ରସାରଣ

ନୂଆଦିଲ୍ଲୀ, ୨୨ା୧୦: କେନ୍ଦ୍ର ସରକାର ଏକ ନିର୍ଦ୍ଦେଶନାମା ଜାରି କେନ୍ଦ୍ରୀୟ ମନ୍ତ୍ରାଳୟ, ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ପ୍ରଦେଶର ସିଧାପ୍ରସାରଣ ଗତିବିଧିର ଯେକୌଣସି ପ୍ରସାରଣ ଏବଂ ବିତରଣ ଉପରେ ରୋକ ଲଗାଇଛନ୍ତି । ନୂଆ ନିର୍ଦ୍ଦେଶନାମାରେ, ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ନିଜର ସାମଗ୍ରୀ ପ୍ରସାରିତ କରୁଥିବା ସଂସ୍ଥାକୁ ପ୍ରସାର ଭାରତୀ ମାଧ୍ୟରେ ପ୍ରସାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶନାମା ଅନୁସାରେ ପୂର୍ବରୁ ପ୍ରସାରଣ କରୁଥିବା ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଗୁଡିକୁ ୨୦୨୩ ଡିସେମ୍ବର ୩୧ ଯାଏ ସମୟ ଦିଆଯାଇଛି । ଏହି ନୂଆ ନିର୍ଦ୍ଦେଶନାମା ପରେ ତାମିଲନାଡୁ ସରକାର ଦ୍ୱାରା ଆରମ୍ଭ କରାଯାଇଥିବା ଚ୍ୟାନେଲ କାଲଭୀ ଟିଭି ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ଆଇପିଟିଭି ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏହି ପ୍ରସାରଣ ଡିଟିଏଚ୍‌ ପ୍ଲାଟଫର୍ମରେ ଉପଲବ୍ଧ ରହିଛି । ନୂଆ ନିର୍ଦ୍ଦେଶ ଅନୁସାରେ, କେନ୍ଦ୍ର ସରକାରଙ୍କ କୌଣସି ମନ୍ତ୍ରାଳୟ, ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ସରକାର ଭବିଷ୍ୟତରେ ପ୍ରସାରଣ ଗତିବିଧିରେ ସାମିଲ ହେବେ ନାହିଁ । ଯଦି ସେମାନଙ୍କ ଦ୍ୱାରା ପୂର୍ବରୁ ନିଜର ସାମଗ୍ରୀ ପ୍ରସାରଣ କରାଯାଉଛି, ତେବେ ଏହା ଏବେ ସାର୍ବଜନୀନ ପ୍ରସାରକ ପ୍ରସାର ପ୍ରଭାତୀ ମାଧ୍ୟମରେ କରାଯିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି ଯେ ସମ୍ବିଧାନର ଧାରା ୨୪୬ ଅନୁସାରେ କେବଳ କେନ୍ଦ୍ର ସରକାର ହିଁ ଏହିପରି ବିଷୟରେ ଆଇନ ଆଣିପାରିବେ । ଏହାଛଡା ଭାରତୀୟ ଦୂରସଂ·ର ନିୟାମକ ପ୍ରାଧିକରଣ (ଟ୍ରାଇ) ମଧ୍ୟ କେନ୍ଦ୍ରୀୟ ମନ୍ତ୍ରାଳୟ ଏବଂ ରାଜ୍ୟ ସରକାରଙ୍କ ଘରୋଇ ଉଦ୍ୟୋଗ ସହ ମିଳିତ ପ୍ରସାରଣର ବ୍ୟବସାୟରେ ପ୍ରବେଶକୁ ରୋକିବା ପାଇଁ କେନ୍ଦ୍ର ନିକଟରେ ଅପିଲ କରିଥିଲା ।

Comments (0)
Add Comment