ବନ ବିଭାଗ ଶୋଇଛି; ପୋଲିସ କରୁଛି ବନ ବିଭାଗର କାମ

ପାରଳାଖେମୁଣ୍ଡି, ୨୯ା୪ : ଗଜପତି ଜିଲ୍ଲାର କାଶୀନଗର ରେଞ୍ଜ ଅଞ୍ଚଳରେ ବନ ବିଭାଗ ଚେଇଁ ଶୋଇବା ନୀତିରେ ରହିଛି । ଯଦ୍ୱାରାକି ବନ ବିଭାଗର କାମ ପୋଲିସ ସମାପନ କରୁଥିବା ଲକ୍ଷ୍ୟ କରାଯାଇଛି । ଘଟଣାରୁ ପ୍ରକାଶ, କାଶୀନଗର ଥାନାଧିକାରୀ ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ଗତ ୨ଦିନ ତଳେ ପୋଲିସ ରାତ୍ରି ପେଟ୍ରୋଲିଂ କରୁଥିବା ବେଳେ ରାଜପୁର ଆର୍ଏମ୍ସି ଗୋଦାମ ନିକଟ ଠାକୁରାଣୀ ମନ୍ଦିର ଠାରେ ୧୮ ଖଣ୍ଡ ମୂଲ୍ୟବାନ କାଠଗଣ୍ଡି ଗୋଟିଏ ଶଗଡରେ ଯାଉଥିବା ବେଳେ ପୋଲିସର ଆଖିରେ ପଡିଥିଲା । ବିଳମ୍ବିତ ରାତ୍ରରେ ଏଭଳି କାଠ ଚାଲାଣର ସନ୍ଦେହ କରି ପୋଲିସ ଶଗଡକୁ ଅଟକାଇ ତଦନ୍ତ କରିବା ଉଦ୍ୟମ ବେଳେ ଶଗଡିଆ କାଠ ଛାଡି ଫେରାର ହୋଇଯାଇଥିଲା । ପରେ ଗତକାଲି ଏହି କାଠକୁ ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟର ଫରେଷ୍ଟରଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ,କାଶୀନଗର ରେଞ୍ଜ୍ ବନ ବିଭାଗ ଅଧୀନରେ ବହୁ ମୂଲ୍ୟବାନ ଗଛ ଓ ଜଙ୍ଗଲ ସମ୍ପଦ ରହିଛି । ହେଲେ କାଶୀନଗର ରେଞ୍ଜ ବନ ବିଭାଗଟି ଆନ୍ଧ୍ର ସୀମାନ୍ତରେ ଅଞ୍ଚଳରେ ରହିଛି । ବିଭାଗୀୟ କର୍ମଚାରୀଙ୍କ ନିଷ୍କ୍ରିୟତା ଯୋଗୁଁ ଏଭଳି ଭାବେ ବହୁ ମୂଲ୍ୟବାନ ଗଛ ଓ ଜଙ୍ଗଲ ସମ୍ପଦ ଆନ୍ଧ୍ରକୁ ଚୋରା ଚାଲାଣ ହେବାରେ ଲାଗିଛି । ପାରଳାଖେମୁଣ୍ଡି ଡି ଏଫ ଓ ଏନେଇ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Comments (0)
Add Comment