କୋଭିଡ୍ ଟିକା ଗ୍ଲୋବାଲ ଟେଣ୍ଡର : ହଟିଲା ସବୁ ଆର୍ଥିକ ସର୍ତ୍ତ

-ରାଜ୍ୟ କ୍ୟାବିନେଟ୍ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
-ବୈଷୟିକ କମିଟି ସୁପାରିସ୍ ଆଧାରରେ ସଂଶୋଧକୁ ମଞ୍ଜୁରି
-ରେଙ୍ଗାଲି ଲେଫ୍ଟ କେନାଲ ସମ୍ପ୍ରସାରଣକୁ ଅନୁମୋଦନ
-ଓଡ଼ିଶା ଲିଗାଲ୍ ସର୍ଭିସ୍ ରୁଲ୍ ଓ ମଦକୋନାନ ଲାଇସେନ୍ସ ଫି ଛାଡ଼କୁ ମଞ୍ଜୁରି

ଭୁବନେଶ୍ୱର : ରାଜ୍ୟରେ ସାମୁହିକ କୋଭିଡ୍ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ କୋଭିଡ୍ ଟିକା କ୍ରୟ ପାଇଁ ରାଜ୍ୟ ସରକାର କରିଥିବା ଗ୍ଲୋବାଲ ଟେଣ୍ଡରର ଅନେକ ଆର୍ଥିକ ସର୍ତ୍ତାବଳୀକୁ କୋହଳ ନିମନ୍ତେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରିମଣ୍ଡଳ ବୈଠକରେ ଅନୁମତି ମିଳିଛି । କୋଭିଡ୍ ଟିକା କ୍ରୟ ପାଇଁ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡରରେ ଭାଗ ନେବାକୁ ଥିବା ଉତ୍ପାଦନକାରୀ କମ୍ପାନୀମାନଙ୍କୁ ୩% ପରଫରମାନ୍ସ ସିକ୍ୟୁରିଟି, ଇଏମ୍ଡି, ବିଡ୍ ସିକ୍ୟୁରିଟି ଓ ଲିକ୍ୟୁଡିଟି ଡ୍ୟାମେଜ୍ ଭଳି ସର୍ତ୍ତାବଳୀରୁ ସରକାର ଆଶ୍ୱସ୍ତି ଦେଇଛନ୍ତି ।

ଯେକୌଣସି ଟେଣ୍ଡରରେ ଏସବୁ ଆର୍ଥିକ ସର୍ତ୍ତାବଳୀ ରହୁଥିଲେ ମଧ୍ୟ କୋଭିଡ୍ ଟିକା କ୍ରୟ ନିମନ୍ତେ କ୍ୟାବିନେଟ୍ ଏସବୁ ଟେଣ୍ଡର ସର୍ତ୍ତକୁ ବାଦ୍ ଦେଇଛନ୍ତି ଓ ଏଥିପାଇଁ ଓଜିଏଫଆର ଓ ଡିଏଫଡିଆରରେ ସଂଶୋଧନକୁ ମଧ୍ୟ ମଞ୍ଜୁରି ଦେଇଛନ୍ତି ବୋଲି ଜଣାପଡ଼ିଛି । ରାଜ୍ୟ କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ବୈଠକରେ ମୋଟ ୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ସମସ୍ତଙ୍କ ଟିକାକରଣ ମାଧ୍ୟମରେ କରୋନାକୁ ନିୟନ୍ତ୍ରଣକୁ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ କରିଛନ୍ତି । ଏଥିପାଇଁ ରାଜ୍ୟ ଔଷଧ ନିଗମ ଗତ ୧୪ତାରିଖରେ କୋଭିଡ୍ ଟିକା କ୍ରୟ ନିମନ୍ତେ ଗ୍ଲୋବାଲ ଟେଣ୍ଡର ଡାକିଛନ୍ତି । ୧୯ତାରିଖରେ ଏହି ଗ୍ଲୋବାଲ ଟେଣ୍ଡରରେ ସାମିଲ ହେବାକୁ ଥିବା ଟିକା ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ସହ ପ୍ରି-ବିଡ୍ ଆଲୋଚନା ହୋଇଛି ।

ତେବେ କୋଭିଡ୍ ଟିକା କ୍ରୟ ପ୍ରକ୍ରିୟାରେ ସମସ୍ତ ଉତ୍ପାଦନକାରୀ ଅବା ଯୋଗାଣକାରୀଙ୍କ ଅଂଶଗ୍ରହଣକୁ ଅଧିକ ସରଳୀକୃତ କରିବା ନିମନ୍ତେ ଟେକନିକାଲ କମିଟିର ପରାମର୍ଶରେ ଟେଣ୍ଡର ଦସ୍ତାବିଜ ସଂଶୋଧନର ଆବଶ୍ୟକତା ଅନୁଭବ ହୋଇଥିଲା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଏନେଇ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଧ୍ୟ ଅନୁମୋଦନ କରିଛନ୍ତି । ଆସନ୍ତା ୪ମାସ ମଧ୍ୟରେ ରାଜ୍ୟର ସମସ୍ତଙ୍କୁ ଟିକାକରଣ କରିବା ପାଇଁ ଓ ଟିକା ଉତ୍ପାଦନକାରୀଙ୍କ ମଧ୍ୟରେ ଏକ ସକାରାତ୍ମକ ସନ୍ଦେଶ ଦେଇ ସେମାନଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଟେଣ୍ଡର ଇଏମ୍ଡି, ବିଡ୍ ସିକ୍ୟୁରିଟି, ଲିକ୍ୟୁଡିଟି ଡ୍ୟାମେଜ୍ ଆଦି ସର୍ତ୍ତକୁ ଛାଡ଼୍ କରାଯାଇଛି ।

ସେହିପରି -୨୦ ଡିଗ୍ରୀ ସେଲସିୟସ୍ ତାପମାତ୍ରରେ ରହି ପାରୁଥିବା ଟିକାଗୁଡ଼ିକ ୨ଡିଗ୍ରୀରୁ ୮ଡିଗ୍ରୀ ତାପମାତ୍ରରେ ୧୨ଘଣ୍ଟା ପର୍ଯ୍ୟନ୍ତ ନିଜର ଗୁଣବତ୍ତା ଅପରିବର୍ତ୍ତନ କରି ରହୁଥବ । ସେହି ଟିକା ଉତ୍ପାଦନକାରୀଙ୍କୁ ମଧ୍ୟ ଏହି ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବାକୁ ସମ୍ମତି ମିଳିଛି । ଏହା ସହିତ ରେଙ୍ଗାଲି ଲେଫ୍ଟ କେନାଲରେ ୧୦୦.୪୯କିମିରୁ ୧୦୭.୫୦କିମି ପର୍ଯ୍ୟନ୍ତ କାମ ପାଇଁ ୨୪୭ କୋଟି ଟଙ୍କାର ଚୂଡ଼ାନ୍ତ ଟେଣ୍ଡର ଏବଂ ଓଡ଼ିଶା ଲିଗାଲ ସର୍ଭିସ ମେଥଡ୍ ଓ ରିକ୍ୟୁଟମେଣ୍ଟ ରୁଲ-୨୦୧୬ରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ସେହିପରି ଗତବର୍ଷ କରୋନା ସମୟରେ ଆର୍ଥିକ ବୋଝ ସହିଥିବା ହୋଟେଲ,ରେଷ୍ଟୁରାଣ୍ଟ ଗୁଡ଼ିକ ଲାଇସେନ୍ସ ଫି’ ଛାଡ଼ କରିବାକୁ ସରକାରଙ୍କୁ ନିବେଦନ କରିଥିଲେ । ଯାହାକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ସେହିପରି ରେଙ୍ଗାଲି ଲେଫ୍ଟ କେନାଲର ସମ୍ପ୍ରସାରଣକୁ ମଞ୍ଜୁରି ଦିଆଯାଇଛି । ରେଙ୍ଗାଲି ବାମପାଶ୍ୱର୍ କେନାଲ ୧୦୦.୪୯୦ କିମିଠାରୁ ୧୦୭.୫୦୦ କିମି ପର୍ଯ୍ୟନ୍ତ ମୁଖ୍ୟ କେନାଲ ଏବଂ ଏହାର ସମସ୍ତ ଷ୍ଟ୍ରକ୍ଚର ନିର୍ମାଣ ପାଇଁ ୨୪୭.୧୪କୋଟିର ଗୃହିତ ଟେଣ୍ଡରକୁ ଅନୁମୋଦିତ କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା
ଢେଙ୍କାନାଳ, ଯାଜପୁର ଏବଂ କେନ୍ଦୁଝର ଜିଲ୍ଲାର ୩୯୪୧୫.୯୪ ହେକ୍ଟର ଜମିକୁ ଜଳସେଚନ କରାଯାଇପାରିବ । ସେହିପରି ମଦଦୋକାନରେ ଲାଇସେନ୍ସ ଫି ଛାଡ଼କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରି ଦେଇଛି । ଓଡ଼ିଶା ଲିଗାଲ ସର୍ଭିସ୍ ରୁଲ୍ରେ ସଂଶୋଧନକୁ ଅନୁମୋଦନ ଦିଆଯାଇଥିବା ବେଳେ ବୈଷୟିକ କମିଟି ସୁପାରିସ ଆଧାରରେ ସଂଶୋଧକୁ ମଧ୍ୟ ମଞ୍ଜୁରି ମିଳିଛି ।

Comments (0)
Add Comment