ଫୁଲୁଛି ବୈତରଣୀ : ଆନନ୍ଦପୁର ଓ ଆଖୁଆପଦାରେ ବିପଦ ସଙ୍କେତ ଟପିଲା

ଭୁବନେଶ୍ୱର : ବାତ୍ୟା ପରେ ଚାଲିଛି ତ୍ୱରିତ ପୁନରୁଦ୍ଧାର କାର୍ଯ୍ୟ । ଆବଶ୍ୟକ ସେବା ଯୋଗାଇବାରେ ନ୍ୟସ୍ତ କର୍ମଚାରୀ । ବାତ୍ୟା ପରେ କ’ଣ ରହିଛି ସ୍ଥିତି, ସରକାରଙ୍କ ଆଗାମୀ ପଦକ୍ଷେପ କ’ଣ ? ସେନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା । ବାତ୍ୟା ପରେ ବୈତରଣୀରେ ଆସୁଛି ମଧ୍ୟମ ଧରଣର ବନ୍ୟା । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀରେ ବନ୍ୟାଜଳ । ଆନନ୍ଦପୁର ଓ ଆଖୁଆପଦାରେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ତେଣୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହୋଇଛି । ବୁଢାବଳଙ୍ଗରେ ଫ୍ଲାସ୍ ଫ୍ଲଡ୍ ସମ୍ଭାବନା ଥିଲା, କିନ୍ତୁ ବନ୍ୟା ସ୍ଥିତି ଟଳିଯାଇଛି ବୋଲି କହିଛନ୍ତି ଏସଆରସି । ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗରେ ବନ୍ୟା ସ୍ଥିତି ନାହିଁ ।

କେନ୍ଦୁଝର ଜିଲ୍ଲାରେ ୨୭ ମିମି ବର୍ଷା ହୋଇଛି । ସୁନ୍ଦରଗଡ଼ରେ ୧୧୩ ମିମି, ଅନୁଗୁଳରେ ୫୮ମିମି, କେନ୍ଦୁଝର ଯୋଡାରେ ୨୬୯ମିମି ବର୍ଷା ହୋଇଛି । ୮ଟି ବ୍ଲକରେ ୨ଶହ ମିମି ବର୍ଷା ହୋଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ସାଢେ ୬ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସୁନ୍ଦରଗଡ଼ ଜିଲ୍ଲାରୁ ୩ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି ଏସଆରସି । ବାଲେଶ୍ୱରରୁ ସର୍ବାଧିକ ଲକ୍ଷେ ୯୦ହଜାର ଲୋକ ସ୍ଥାନାନ୍ତର ହୋଇଥିଲେ । ତେବେ ବାତ୍ୟା ସମୟରେ କିଛି ସ୍ଥାନରେ ଲୋକେ ରାସ୍ତା କାଟି ଦେଇଛନ୍ତି । ଏହି ରାସ୍ତାକୁ ସନ୍ଧ୍ୟା ସୁଦ୍ଧା ମରାମତି କରାଯିବ । ପାଣି ଛାଡିଲା ପରେ ଆବଶ୍ୟକତା ଅନୁସାରେ ମରାମତି ହେବ । ପାଣି ସମସ୍ୟା ନହେବା ପାଇଁ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଅତିରିକ୍ତ ପାଣି ଟ୍ୟାଙ୍କର ପଠାଯାଉଛି । ପ୍ରଭାବିତ ଅଞ୍ଚଳରେ ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ୍ ମିଳିବ ବୋଲି କହିଛନ୍ତି ଏସ୍ଆର୍ସି ।