ଭୁବନେଶ୍ୱର, ୧୧ା୬(ଡିକେ ନ୍ୟୁଜ): ପୂର୍ବ ଭାରତରେ ଓଡ଼ିଶାକୁ ପ୍ରମୁଖ ଆଇଟି ହବ୍ ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଚଳାଇଥିବା ବେଳେ ସଫ୍ଟୱେର ରପ୍ତାନୀରେ ରାଜ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶାରୁ ସଫ୍ଟୱେର ରପ୍ତାନୀ ୧୦ ଗୁଣା ବୃଦ୍ଧି ପାଇଛି । ୨୦୦୧ ଆର୍ଥିକ ବର୍ଷରେ ଓଡ଼ିଶାରୁ ମାତ୍ର ୨୦୦ କୋଟି ଟଙ୍କା ମୂଲ୍ୟର ସଫ୍ଟୱେର ରପ୍ତାନୀ ହୋଇଥିଲା ।ତେବେ ୨୦୨୦-୨୧ ବେଳକୁ ଏହା ୨୪୦୧.୩୨ କୋଟିରେ ପହଞ୍ଚିଛି ।ଓଡ଼ିଶାରେ ଥିବା ସଫ୍ଟୱେର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସ୍ଟିପିଆଇ),ଭୁବନେଶ୍ୱର ନିକଟରେ ପଞ୍ଜିକୃତ ସଫ୍ଟୱେର ସଂସ୍ଥା ଏହି ମୂଲ୍ୟର ସଫ୍ଟୱେର ବିଦେଶକୁ ରପ୍ତାନୀ କରିଛନ୍ତି । ଏହି ସଫଳତା ସତ୍ତ୍ୱେ ଆଇଟି କ୍ଷେତ୍ରରେ ଓଡ଼ିଶା ଆହୁରି ବହୁତ ଦୂରତା ଅତିକ୍ରମ କରିବା ବାକି ଅଛି । ୯୦ ଦଶକ ବେଳକୁ
ଓଡ଼ିଶାରେ ଆଇଟ ସଂସ୍ଥା କାମ ଆରମ୍ଭ କରିଥିଲେ । ଧୀରେ ଧୀରେ କିଛି ପ୍ରମୁଖ ଆଇଟି ସଂସ୍ଥା ଭୁବନେଶ୍ୱରରେ କାର୍ଯ୍ୟାରମ୍ଭ କଲେ ।ଇନଫୋସିସ୍, ୱିପ୍ରୋ, ସତ୍ୟମ, ଟିସିଏସ୍, ଆଇବିଏମ୍, ଟେକ୍ ମହିନ୍ଦ୍ରା, ମାଇଣ୍ଡ ଟ୍ରି ଭଳି କମ୍ପାନୀ ସଫ୍ଟୱେର ପ୍ରସ୍ତୁତ କରୁଛନ୍ତି । ନିକଟ ଭବିଷ୍ୟତରେ ଡେଲଏଟ୍ ଭଳି ବିଶ୍ୱସ୍ତରୀୟ କମ୍ପାନୀ ଓଡ଼ିଶାରେ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ନେଇ ସୂଚନିଳିଛି । ଏହା ଶୁଭ ଖବର । କିନ୍ତୁ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାକୁ ଆହୁରି ବହୁତ କିଛି କରିବାର ଅଛି । ଆଇଟି ବିଶେଷଜ୍ଞ ପ୍ରଶାନ୍ତସାହୁ କହିଛନ୍ତି, ଆମ ରାଜ୍ୟରେ ସ୍ଥିର ସରକାର ଥିବା ବେଳେ ମାନବସମ୍ବଳ ଓ ଭିତ୍ତିଭୂମିର ଅଭାବ ନାହିଁ । କୌଣସି ବଡ଼ କମ୍ପାନୀ ପାଇଁ ରାଜ୍ୟରେ ଏକ ସ୍ଥିର ସରକାର ବହୁତ ଗୁରୁତ୍ୱପୂର୍ଣ୍ଣ । ସେହିପରି ଓଡ଼ିଶାରୁ ବହୁ ସଂଖ୍ୟକ ସଫ୍ଟୱେର ଇଞ୍ଜିନିୟର ଏବେ ହାଇଦ୍ରବାଦ,ବେଙ୍ଗାଲୁରୁ,ପୁଣେରେ ଥିବା କମ୍ପାନୀ କିମ୍ବା ବିଦେଶରେ ରହି କାମ କରୁଛନ୍ତି । ଓଡ଼ିଶାକୁ ଯଦି ବଡ଼ ବଡ଼ ସଫ୍ଟୱେର କମ୍ପାନୀ ଆସନ୍ତି ତା ହେଲେ ସେମାନେ ଓଡ଼ିଶାରେ କାମ କରିବା ପାଇଁ ନିଶ୍ଚିତ ଭାବେ ଆଗ୍ରହ ପ୍ରକାଶ କରିବେ । ବାହାରେ କାମ କରି ଯେତିକି ଦରମା ପାଉଛନ୍ତି ନିଜ ଘର ପାଖରେ ରହିଲେ ତା ଠାରୁ କମ୍ ଦରମାରେ ସେମାନେ କାମ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । କମ୍ପାନୀ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କରିଥିବା ସିଙ୍ଗଲ୍ ୱିଣ୍ଡୋ ଜରିଆରେ ପ୍ରକଳ୍ପ ଅନୁମୋଦନ ବ୍ୟବସ୍ଥା ଅତ୍ୟନ୍ତ ଉପାଦେୟ ହେବ । ରାଜ୍ୟ ସରକାର ମଧ୍ୟ ମାଗଣାରେ ଜମି ଯୋଗାଇ ଦେବା ସହିତ ଆନୁସଙ୍ଗିକ ବ୍ୟବସ୍ଥା କରୁଛନ୍ତି । ଏପରିସ୍ଥଳେ କେବଳ ପ୍ରମୁଖ ଆଇଟି କମ୍ପାନୀଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଠ କରିବାର ଆବଶ୍ୟକତା ରହିଛି । ସବୁ ଦୃଷ୍ଟିରୁ ଓଡ଼ିଶାରେ ଆଇଟି ଶିଳ୍ପ ପାଇଁ ଭରପୂର ସୁଯୋଗ ରହିଛି ।ଏସ୍ଟିପିଆଇ ଏବଂ ଆଇଟି ବିଭାଗ ମିଳିତ ଭାବେ ଏ ଦିଗରେ ଉଦ୍ୟମ କଲେ କମ୍ ସମୟରେ ବଡ଼ ସଫଳତା ମିଳିପାରିବ ବୋଲି ଶ୍ରୀସାହୁ ମତବ୍ୟକ୍ତ କରିଛନ୍ତି । ପ୍ରମୁଖ ଆଇଟି କମ୍ପାନୀ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛନ୍ତି । ସେମାନେ ବହୁ କର୍ମଚାରୀଙ୍କୁ ନିଯୁକ୍ତି ଦେଉଥିବା ବେଳେ ସଫ୍ଟୱେର ପ୍ରସ୍ତୁତି ପାଇଁ ଛୋଟ ଛୋଟ କମ୍ପାନୀକୁ କାମ ଦେଉଛନ୍ତି । ବ୍ରହ୍ମପୁର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁର,ରାଉରକେଲା, କଟକ ଆଦି ସହରରେ ଅନେକ ଛୋଟ ଛୋଟ ସଫ୍ଟୱେର କମ୍ପାନୀ କାମ କରୁଛନ୍ତି । ଓଡ଼ିଶାରେ ଆଇଟି ଶିଳ୍ପର ସମୃଦ୍ଧି ଲାଗି ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ୨୫୦ ଏକର ଜମିରେ ଦ୍ୱିତୀୟ ଇନଫୋସିଟି ନିର୍ମାଣ କରାଯାଉ ଥିବା ବେଳେଆଚାର୍ଯ୍ୟ ବିହାର ଛକରେ ୨.୩୦ ଲକ୍ଷ ବର୍ଗ ଫୁଟ୍ର ଓକାକ୍ ଟାୱାର ନିର୍ମାଣ କରାଯାଇଛି । ୪୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅଟ୍ଟାଳିକାରେ ବିଭିନ୍ନ ଆଇଟି କମ୍ପାନୀ କାମ କରୁଛନ୍ତି । ଏଠାରେ ଇନ୍କ୍ୟୁବେସନ୍ ସେଣ୍ଟର ମଧ୍ୟ ରହିଛି । ୨୦୨୫ ସୁଦ୍ଧା ଓଡ଼ିଶାକୁ ଡାଟା ହବ୍ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଷ୍ଟାର୍ଟଅପ୍ ସଂସ୍ଥାଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଗତ ବର୍ଷ”ଓ-ହବ୍’ ଉଦ୍ଘାଟିତ ହୋଇଛି । ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ କୋଭିଡ୍ ପରେ ପରେ ବହୁ ସଂଖ୍ୟକ ଆଇଟିକମ୍ପାନୀ ଚୀନ୍ ଛାଡ଼ି ଅନ୍ୟ ଦେଶ ମୁହାଁ ହୋଇଛନ୍ତି । ସେମାନଙ୍କ ସହ ଆଲୋଚନା କରି ଓଡ଼ିଶା ଆଣିବା ପାଇଁ ଆମେ ଉଦ୍ୟମ କରୁଛୁ ।ସେହିପରି ନିକଟରେ ଆମେ ପୁଣେ ଯାଇ କିଛି ପ୍ରମୁଖ ଆଇଟି କମ୍ପାନୀ ସହ ଆଲୋଚନା କରି ଓଡ଼ିଶାରେ କାରବାର ଆରମ୍ଭ ପାଇଁ ପ୍ରସ୍ତାବ ଦେଇଛୁ ଏବଂ ଅଧିକାଂଶ କମ୍ପାନୀ ଓଡ଼ିଶାରେ କାମ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।