ପୁରୀ, : ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ସରକାର ଧାଡ଼ି ଦର୍ଶନ ବ୍ୟବସ୍ଥା କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଏହି ନୂଆ ଦର୍ଶନ ବ୍ୟବସ୍ଥା ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଯେତିକି ଉତ୍କଣ୍ଠା ରହିଛି, କାର୍ଯ୍ୟକାରୀ କରିବା ପ୍ରଶାସନ ପାଇଁ ସେତିକି ଆହ୍ୱାନଭରା ରହିଛି । କାହିଁକିନା ଆମ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି ଭିତରେ ବାରମ୍ବାର ଏହି ଧାଡ଼ି ଦର୍ଶନ ର୍ୟାମ୍ପକୁ ଖୋଲିବା ଆଉ ଯୋଡ଼ିବା ସବୁଠାରୁ ବଡ଼ ଚାଲେଞ୍ଜ ହେବ । ଏହି ର୍ୟାମ୍ପକୁ ଥରେ କାଢିବାକୁ ୧୫ ମିନିଟ୍ ଓ ପୁନଃ ଲଗାଇବାକୁ ୨୦ ମିନିଟ୍ ସମୟ ଲାଗିବ । ତେଣୁ ବିଶେଷ ନୀତି ଦର୍ଶନ ବନ୍ଦ ବାଦ୍ଅ ଧଘଣ୍ଟାରୁ ଅଧିକ ସମୟ ଭକ୍ତଙ୍କ ଦର୍ଶନରେ କଟକଣା ରହିବ । ତେଣୁ ଏହାକୁ ନିୟନ୍ତ୍ରଣ କରିବା କଠିନ ହେବ । ପ୍ରତିଦିନ ପ୍ରଥମ ଓ ଦ୍ୱିତୀୟ ଭୋଗମଣ୍ଡପ ନୀତି ନିମନ୍ତେ ର୍ୟାମ୍ପ ବାହାର କରିବାକୁ ପଡ଼ିବ । ଏହାଛଡ଼ା ଠାକୁରଙ୍କ ଚଳନ୍ତି ପ୍ରତିମାମାନେ ବାହାରକୁ ବିଜେ କରିଲେ ର୍ୟାମ୍ପ୍ ବାହାର କରିବାକୁ ହେବ । ଅମାବାସ୍ୟା ଠାକୁର ବିଜେ, ଗୁରୁବାର ଏକାନ୍ତ ନୀତି, ଏକାଦଶୀ ଠାକୁର ବିଜେ, ସୁଦର୍ଶନ ବିଜେ, ଚନ୍ଦନଯାତ୍ରା ୪୨ ଦିନ, ଷୋହଳ ପୂଜାର ୧୬ ଦିନ, ରାମଜନ୍ମ, କୃଷ୍ଣ ଜନ୍ମ, ବାମନ ଜନ୍ମ, ପ୍ରଳମ୍ବାସୁର ବଧ ରଥଯାତ୍ରା, ସ୍ନାନ ଯାତ୍ରା ଆଦି ୧୨ ମାସରେ ଅନେକ ନୀତିକାନ୍ତି ନିମନ୍ତେ ଠାକୁରମାନେ ବାହାରକୁ ବିଜେ କରିବା ଓ ବାହୁଡ଼ିବା ବେଳେ ର୍ୟାମ୍ପ୍ ବାହାର କରିବାକୁ ପଡ଼ିବ । ନାଟମଣ୍ଡପର ସୀମିତ ସ୍ଥାନରେ ର୍ୟାମ୍ପ୍କୁ ଖୋଲି ରଖିବା ମଧ୍ୟ କାଠିକର ପାଠ ହେବ । ଏହାକୁ ପକାଇବା ଓ ଯୋଡ଼ିବା ନିମନ୍ତେ ଅତିରିକ୍ତ ୧୦ରୁ ଅଧିକ ଶ୍ରମିକ ନିୟୋଜିତ କରିବାକୁ ପଡ଼ିବ । ମହାପ୍ରଭୁଙ୍କ ବନକଲାଗି, ପଇତାଲାଗି ସମେତ ବିଭିନ୍ନ ସ୍ୱତନ୍ତ୍ର ବେଶ ଓ ଗୁପ୍ତ ନୀତି ନିମନ୍ତେ ୪ରୁ ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରୁହେ । ଭିଭିଆଇପି ଆସିଲେ ସାଧାରଣ ଭକ୍ତଙ୍କୁ ରୋକି ସେମାନଙ୍କ ଠାକୁର ଦର୍ଶନ କରିବା ନିମନ୍ତେ ବ୍ୟବସ୍ଥା କରାଯାଏ । ର୍ୟାମ୍ପ୍ ନିର୍ମାଣ କରିଥିବା ଦିଲ୍ଲୀପ କନ୍ଷ୍ଟ୍ରକସନର ମାଲିକ ଦିଲ୍ଲୀପ ଖଟେଇ କହିଛନ୍ତି, ପ୍ରାୟ ୧ କୋଟି ୬ ଲକ୍ଷ ଟଙ୍କାରେ ଏହି ର୍ୟାମ୍ପ୍ ହେଉଛି । ର୍ୟାମ୍ପ୍ରେ ୬ଟି ଧାଡ଼ି ରହିଛି । ପ୍ରତି ଧାଡ଼ିର ଲମ୍ବା ୧୬ ଫୁଟ ଓ ଓସାର ୪ ଫୁଟ । ନିର୍ମାଣ ସରିଥିଲେ ହେଁ ୯ ମାସ ହେବ ଏହି ର୍ୟାମ୍ପ୍ କନ୍ଷ୍ଟ୍ରକସନ୍ ଫାର୍ମରେ ପଡ଼ିଛି । ବର୍ମାଟିକ୍ କାଠରେ ତିଆରି ପରେ ର୍ୟାମ୍ପ୍ର ଦର୍ଶନ ବ୍ୟବସ୍ଥାକୁ ସଂସ୍ଥା ପକ୍ଷରୁ ପରୀକ୍ଷା କରାଯାଇଥିଲା । ଏକକାଳୀନ ପ୍ରାୟ ୨୦୦ ଶ୍ରଦ୍ଧାଳୁ ର୍ୟାମ୍ପ୍ରେ ଦର୍ଶନ କରିପାରିବେ । ନୀତି ବହୁଳତା ଭିତରେ ପ୍ରତିଦିନ ଏହାକୁ ଖୋଲିବା ଓ ପକାଇବା ନିମନ୍ତେ ଅଧଘଣ୍ଟାରୁ ଘଣ୍ଟାଏ ସମୟ ଲାଗିବ । ୧୫ ତାରିଖ ସୁଦ୍ଧା ଧାଡ଼ିଦର୍ଶନ ବ୍ୟବସ୍ଥା ହେବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି । ହେଲେ ଏପର୍ଯ୍ୟନ୍ତ ର୍ୟାମ୍ପ୍ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଆସିନି । ଆସିଲେ ଦିନକ ଭିତରେ ପଲିସ୍ କରି ଦିଆଯିବ । ଏହା ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଠାକୁର ଦର୍ଶନ ସହଜ ହେବ । ରାମମନ୍ଦିର, ତିରୁପତିମନ୍ଦିର, ବୈଷ୍ଣୋଦେବୀ ମନ୍ଦିରରେ ଦିନକୁ ୨ ଘଣ୍ଟା ନୀତି ଓ ବାକି ସମୟ ଠାକୁର ଦର୍ଶନ ସୁବିଧା ରହିଛି । ତେଣୁ ସେଠାରେ ଧାଡ଼ି ଦର୍ଶନ ବ୍ୟବସ୍ଥା ସଫଳ ହୋଇଛି । ହେଲେ ଶ୍ରୀମନ୍ଦିରରେ ଦିନକୁ ୧୮ ଘଣ୍ଟା ନୀତି, ୬ ଘଣ୍ଟା ଦର୍ଶନ ସୁବିଧା ରହିଛି । ତେଣୁ ନୀତି ବହୁଳତା ଭିତରେ ସମସ୍ତଙ୍କୁ ଶୃଙ୍ଖଳିତ ଠାକୁର ଦର୍ଶନ ସୁବିଧା ଦେବା ପାଇଁ ଏହି ଧାଡ଼ି ଦର୍ଶନ ବ୍ୟବସ୍ଥା କେତେ ସଫଳ ହେବ ତାହା ପ୍ରାଶାସନିକ କାର୍ଯ୍ୟ ଉପରେ ନିର୍ଭର କରିବ ବୋଲି ଶ୍ରୀ ଖଟେଇ କହିଛନ୍ତି । ସୂଚନାଥାଉକି, ରଥଯାତ୍ରା ବେଳେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନିମନ୍ତେ ଅନୁରୂପ ର୍ୟାମ୍ପ୍ ବ୍ୟବସ୍ଥା ହୋଇଥିଲା । ହେଲେ ଏହା ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାରେ ବିଶେଷ ସୁଧାର ଆଣି ପାରିନଥିଲା । ଭିଡ଼ ଭିତରେ ସଂଘର୍ଷ କରି ଶ୍ରଦ୍ଧାଳୁ ଠାକୁର ଦର୍ଶନ କରିଥିଲେ । ଗୁଣ୍ଡିଚା ଘରେ ପଡ଼ିଥିବା ର୍ୟାମ୍ପ୍ରେ ବ୍ୟାରିକେଡ୍ କିମ୍ବା ଧାଡ଼ି ବ୍ୟବସ୍ଥା ନଥିଲା । ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ହେଲେ ଘଣ୍ଟାକରେ ପ୍ରାୟ ହଜାରେରୁ ଦେଢ ହଜାର ଶ୍ରଦ୍ଧାଳୁ ଦର୍ଶନ କରିବେ । ମାତ୍ର ଶନିବାର, ରବିବାର, ମହାପ୍ରଭୁଙ୍କ ବିଶେଷ ପାର୍ବଣ ଓ ଉତ୍ସବ ଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାରୁ ଧାଡ଼ି ଦର୍ଶନ ବ୍ୟବସ୍ଥାରେ ସମସ୍ତଙ୍କୁ ଦର୍ଶନ ମିଳିବା କଷ୍ଟକର ହୋଇପାରେ । ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଡ. ସିଦ୍ଧେଶ୍ୱର ମହାପାତ୍ର କହନ୍ତି, ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି । ତେଣୁ ଦର୍ଶନ ଶୃଙ୍ଖଳାକୁ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେଉଛି । ନୂଆ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ପରେ ଏ ବାବଦରେ ଭଲମନ୍ଦ ଜଣାପଡ଼ିବ ।