ନୂଆଦିଲ୍ଲୀ, : ମହିଳା ଦିନିକିଆ ବିଶ୍ୱକପରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ଚୀର ପ୍ରତିଦ୍ୱ-ନ୍ଦ୍ୱୀ ଭାରତ ଓ ପାକିସ୍ତାନ । ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ମହିଳା ଦିନିକିଆ ବିଶ୍ୱକପର ଆୟୋଜନ କରୁଛନ୍ତି । ଭାରତୀୟ ମହିଳା ଦଳ ବିଶ୍ୱକପରେ ପାକିସ୍ତାନକୁ ଅକ୍ଟୋବର ୫ରେ ଭେଟିବ । ଏହି ମ୍ୟାଚ୍ ଶ୍ରୀଲଙ୍କାର କଲମ୍ବୋରେ ଖେଳାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ୨୦୨୫ ପୁରୁଷ ଚାମ୍ପିୟନ୍ସ ଟ୍ରଫି ବେଳେ ଭାରତୀୟ ଟିମ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ଯାଇ ନଥିଲା । ଏହାପରେ ଆଇସିସି ୨୦୨୭ ଯାଏ ଭାରତ ଓ ପାକିସ୍ତାନ ପରସ୍ପର ସହ ନିରପେକ୍ଷ ଭେନ୍ୟୁରେ ମ୍ୟାଚ୍ ଖେଳିବେ ବୋଲି ନିଷ୍ପତ୍ତି ନେଇଥିଲା । ଉକ୍ତ ନିଷ୍ପତ୍ତି ଅନୁଯାୟୀ ଏବେ ମହିଳା ଦିନିକିଆ ବିଶ୍ୱକପରେ ଦୁଇ ଦେଶ କଲମ୍ବୋରେ ପରସ୍ପର ସହ ଲଢେଇ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । କିନ୍ତୁ ଏନେଇ ଆଇସିସି କିମ୍ବା ବିସିସିଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ । ସେହିପରି ପହଲଗାମ ଆତଙ୍କବାଦୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଭୟଙ୍କର ଯୁଦ୍ଧ ପରିସ୍ଥିତି ଦେଖାଯାଇଥିଲା । ପ୍ରାୟ ୧୦୦ ଘଣ୍ଟାର ଛକା ପଞ୍ଝା ଓ ଲଢେଇ ପରେ ଦୁଇ ଦେଶ ଯୁଦ୍ଧ ବିରତି ଲାଗୁ କରିଛନ୍ତି । ଭୟଙ୍କର ତିକ୍ତତା ପରେ ଦୁଇ ଦେଶ ପ୍ରଥମଥର ପାଇଁ କ୍ରିକେଟ ମୈଦାନରେ ମୁହାଁମୁହିଁ ହେବେ । ତେଣୁ ଅକ୍ଟୋବର ୫ ଭାରତ-ପାକିସ୍ତାନ ମହିଳା ଦିନିକିଆ ବିଶ୍ୱକପ ମ୍ୟାଚର ଏହି ମ୍ୟାଚରୁ ଗୁରୁତ୍ୱକୁ ଆହୁରି ବଢାଇ ଦେଇଛି । ଆଇସିସି ମହିଳା ଦିନିକିଆ ବିଶ୍ୱକପର ୧୩ତମ ସଂସ୍କରଣର ଆସନ୍ତା ସେପ୍ଟେମ୍ବର ୩୦ରୁ ଆରମ୍ଭ ହୋଇ ନଭେମ୍ବର ୨ ଯାଏ ଚାଲିବ । ଦୀର୍ଘ ଗୋଟିଏ ଦଶନ୍ଧି ପରେ ମହିଳା ଦିନିକିଆ ବିଶ୍ୱକପର ଆୟୋଜନ ଏସିଆ ମହାଦେଶରେ ହେବାକୁ ଯାଉଛି । ମହିଳା ଦିନିକିଆ ବିଶ୍ୱକପର ସମସ୍ତ ମ୍ୟାଚ୍ ୫ଟି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଭାରତର ୪ଟି ଷ୍ଟାଡିୟମ ଓ ଶ୍ରୀଲଙ୍କାର ଗୋଟିଏ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ । ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ, ଗୁହାଟୀର ଏସିଏ ଷ୍ଟାଡିୟମ, ଇନ୍ଦୋରର ହୋଲକର ଷ୍ଟାଡିୟମ, ବିଶାଖାପଟନମର ଏସିଏ-ଭିଡିସିଏ ଷ୍ଟାଡିମୟ ଓ ଶ୍ରୀଲଙ୍କାର କଲମ୍ବୋରେ ଥିବା ଆର ପ୍ରେମଦାସା ଷ୍ଟାଡିୟମରେ ବିଶ୍ୱକପର ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ । ପାକିସ୍ତାନ ମହିଳା ଟିମ ବିଶ୍ୱକପ ଖେଳିବାକୁ ଭାରତ ଆସିବ ନାହିଁ । ତେଣୁ ପାକିସ୍ତାନ ତା\’ର ମ୍ୟାଚ୍ ଗୁଡ଼ିକ ଶ୍ରୀଲଙ୍କାରେ ଖେଳିବ । ମହିଳା ଦିନିକିଆ ବିଶ୍ୱକପ ବେଙ୍ଗାଲୁରୁରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ଭାରତ ଖେଳିବ । ହେଲେ ଭାରତ କାହା ବିରୋଧରେ ଖେଳିବ, ତା\’ର ନିଷ୍ପତ୍ତି ଆଇସିସି ଏଯାଏ ନେଇ ନାହିଁ । ଆଇସିସି କହିଛି ଯେ ବିଶ୍ୱକପର ପ୍ରଥମ ସେମି ଫାଇନାଲ ଅକ୍ଟୋବର ୨୯ରେ ଗୁହାଟୀ କିମ୍ବା କଲମ୍ବୋରେ ଖେଳାଯିବ । ଦ୍ୱିତୀୟ ସେମି ଫାଇନାଲ ଅକ୍ଟୋବର ୩୦ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ । ସେହିପରି ନଭେମ୍ବର ୨ରେ ବେଙ୍ଗାଲୁରୁ କିମ୍ବା କଲମ୍ବୋରେ ଫାଇନାଲ ମ୍ୟାଚ୍ ଆୟୋଜନ ହେବ । ପାକିସ୍ତାନ ଯଦି ସେମି କିମ୍ବା ଫାଇନାଲକୁ ଯାଉଛି, ତା\’ହେଲେ ସେହି ଅନୁସାରେ ଭେନ୍ୟୁ ସ୍ଥିର କରାଯିବ । ମହିଳା ଦିନିକିଆ ବିଶ୍ୱକପରେ ମୋଟ ୮ଟି ଟିମ ଭାଗ ନେବେ । ସେମାନେ ହେଲେ-ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ବାଂଲାଦେଶ ଓ ପାକିସ୍ତାନ । ୨୦୨୨ରେ ନ୍ୟୁଜିଲ୍ୟାଣ୍ଡ ମହିଳା ଦିନିକିଆ ବିଶ୍ୱକପର ଆୟୋଜନ କରିଥିଲା । ଏହି ମେଗା ଇଭେଣ୍ଟର ଫାଇନାଲରେ ଇଂଲଣ୍ଡକୁ ଅଷ୍ଟ୍ରେଲିଆ ହରାଇ ଚାମ୍ପିୟନ ହୋଇଥିଲା । ଅଷ୍ଟ୍ରେଲିଆ ସର୍ବାଧିକ ୭ ଥର ମହିଳା ଦିନିକିଆ ବିଶ୍ୱକପ ଜିତିଛି । ୨୦୨୨ ଭଳି ୨୦୨୫ରେ ମଧ୍ୟ ରାଉଣ୍ଡ ରବିନ ଫର୍ମାଟରେ ମ୍ୟାଚଗୁଡ଼ିକ ଅନୁଷ୍ଠିତ ହେବ । ସବୁ ଦଳ ପରସ୍ପର ସହ ଗୋଟିଏ ଲେଖାଏ ମ୍ୟାଚ୍ ଖେଳିବେ । ଗ୍ରୁପ ପର୍ଯ୍ୟାୟର ଟପ ୪ ଟିମ ସେମି ଫାଇନାଲ ଓ ଏହାପରେ ଦୁଇ ବିଜୟୀ ଦଳ ଫାଇନାଲରେ ଟ୍ରଫି ପାଇଁ ଲଢେଇ କରିବେ ।