ୟୁକ୍ରେନ୍‌ର ପ୍ରଚଣ୍ଡ ଆକ୍ରମଣ : ଋଷର ୨ ପ୍ରମୁଖ ବାୟୁସେନା ଘାଟି ଛାରଖାର

0 80

ନୂଆଦିଲ୍ଲୀ,: ୟୁକ୍ରେନ୍ ଆଜି ଋଷ୍‌ର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବାୟୁସେନା ଘାଟି ଓଲେନିଆ ଓ ବେଲିଆ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି । ଏହି ଆକ୍ରମଣରେ ୟୁକ୍ରେନ୍ ସେନା ଶକ୍ତିଶାଳୀ ଡ୍ରୋନ୍ ବ୍ୟବହାର କରି ଉଭୟ ବାୟୁସେନା ଘାଟିକୁ ଛାରଖାର କରିଦେଇଛି । ଏଥିରେ ଋଷର ୪୦ଟି ଯୁଦ୍ଧ ବିମାନ ନଷ୍ଟ ହୋଇଥିବା ୟୁକ୍ରେନ୍ ଦାବି କରିଛି । ଚଳିତ ଯୁଦ୍ଧରେ ଏହି ଆକ୍ରମଣ ୟୁକ୍ରେନ୍ ସେନାର ଏ ପର୍ଯ୍ୟନ୍ତ ସବୁଠାରୁ ବଡ଼ ଡ୍ରୋନ୍‌ ଆକ୍ରମଣ ବୋଲି କୁହାଯାଉଛି । ରଣନୀତିକ ଦୃଷ୍ଟିରୁ ଉଭୟ ଘାଟି ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ୟୁକ୍ରେନ୍ ଉପରେ ବୋମା ମାଡ଼ କରିବା ପାଇଁ ଏହାର ସର୍ବାଧିକ ବ୍ୟବହାର ହେଉଥିଲା । ଗତରାତିରେ ଋଷ୍ ୟୁକ୍ରେନ୍‌ର ପ୍ରମୁଖ ସହରଗୁଡ଼ିକୁ ଟାର୍ଗେଟ୍ କରି ୪ ଶହରୁ ଅଧିକ ଡ୍ରୋନ୍ ଓ ୭ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା ଏବଂ ଏଥିରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାର ଜବାବରେ ଆଜି ୟୁକ୍ରେନ୍ ଋଷ୍‌ର ୪ଟି ବାୟୁସେନା ଘାଟିକୁ ଟାର୍ଗେଟ୍ କରି ଆକ୍ରମଣ କରିଥିଲା ଏବଂ ଏଥିରେ ୨ଟି ଘାଟି ଛାରଖାର ହୋଇଛି । ଆସନ୍ତାକାଲି ଇସ୍ତାନବୁଲରେ ଶାନ୍ତି ଆଲୋଚନା ଥିବା ବେଳେ ଏହା ପୂର୍ବରୁ ଏଭଳି ଆକ୍ରମଣ ସମଗ୍ର ପ୍ରୟାସକୁ ଭଣ୍ଡୁର କରିଦେବା ଆଶଙ୍କା ପ୍ରକାଶ ପାଇଛି । ୟୁକ୍ରେନ୍ ସୁରକ୍ଷା ସେବା (ଏସ୍ୱିୟୁ)ର ଜଣେ ଅଧିକାରୀ କହିଛନ୍ତି ଯେ ସେମାନଙ୍କ ଡ୍ରୋନ୍ ରୁଷୀୟ ଅଞ୍ଚଳର ବହୁତ ଭିତରକୁ ଯାଇ ଟିୟୁ-୯୫, ଟିୟୁ୨୨ ଏବଂ ଏ-୫୦ ଗୁପ୍ତଚର ବିମାନ ଭଳି ବଡ଼ ବୋମାବର୍ଷୀ ବିମାନକୁ କ୍ଷତି ପହଞ୍ଚାଇବାରେ ସକ୍ଷମ ହୋଇଛି । ୪୦ରୁ ଅଧିକ ବିମାନ ନଷ୍ଟ କରାଯିବା ଆମ ପାଇଁ ବହୁତ ବଡ଼ ସଫଳତା ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି । ରୁଷ୍ ଉପରେ ଏଭଳି ଭୟାନକ ଆକ୍ରମଣ ପାଇଁ ୟୁକ୍ରେନ୍‌ର ଏହି ଜଟିଳ ଅପରେସନ ଅତ୍ୟନ୍ତ ଗୁପ୍ତ ଥିଲା ଏବଂ ଏହାର ନାମ ରଖାଯାଇଥିଲା \”ଅପରେସନ୍ ସ୍ପାଇଡର୍ ୱେବ୍‌\’ । ରୁଷ୍‌ର ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ୪ଟି ଏୟାରବେସ୍‌କୁ ଟାର୍ଗେଟ କରିବା ପାଇଁ ଶତାଧିକ ଡ୍ରୋନ୍‌କୁ ଟ୍ରକ୍ ମାଧ୍ୟମରେ ପଠାଯାଇଥିଲା ଏବଂ ରୁଷୀୟ ଗୁଇନ୍ଦା ସଂସ୍ଥା ଏହାର ଟେର୍ ପାଇନଥିଲା । ଡ୍ରୋନ୍‌ ବାହକ ଟ୍ରକଗୁଡ଼ିକୁ ଟାର୍ଗେଟ୍‌ କରାଯାଇଥିବା ବାୟୁସେନା ଘାଟିର ଅତି ନିକଟରେ ପହଞ୍ଚାଇବାକୁ ୟୁକ୍ରେନ୍ ସକ୍ଷମ ହୋଇଥିଲା । ପରେ ରିମୋଟ୍‌ରେ ଏହାକୁ ସକ୍ରିୟ କରାଯାଇ ବିଭିନ୍ନ ବାୟୁସେନା ଘାଟିରେ ଆକ୍ରମଣ କରାଯାଇଥିଲା । ଏହି କାରଣରୁ ଋଷ୍‌ର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏହାକୁ ଠାବ କରିପାରି ନଥିଲା । ଏହି ଆକ୍ରମଣକୁ ରୁଷ୍ ସ୍ୱୀକାର କରିଛି ଏବଂ ମୋଟ ୫ଟି ଅଞ୍ଚଳରେ ୪ଟି ଏୟାରବେସ୍‌ କ୍ଷତିଗ୍ରସ୍ତ ହୋଇଥିବା କହିଛି । ସୂଚନାଯୋଗ୍ୟ, ଟିୟୁ-୯୫ ହେଉଛି ୧୯୫୦ ଦଶକର ଏକ ପୁରୁଣା ବିମାନ ଏବଂ ଏହା ଅନେକ କ୍ରୁଜ୍ କ୍ଷେପଣାସ୍ତ୍ର ବହନ କରିବାରେ ସକ୍ଷମ । ଦୂର ସହରଗୁଡିକୁ ଟାର୍ଗେଟ୍ କରିବା ପାଇଁ ରୁଷ୍‌ ଏହି ବିମାନ ବ୍ୟବହାର କରୁଥିଲା । ଏଥିରେ ଜେଟ୍ ଇଞ୍ଜିନ୍ ପରିବର୍ତ୍ତେ ବଡ଼ ରୋଟେଟିଂ ପ୍ରୋପେଲର୍ ରହିଛି ଏବଂ ଏହା ଦୀର୍ଘ ଦୂରତା ଅତିକ୍ରମ କରିପାରିବାର ସାମର୍ଥ୍ୟ ରଖୁଛି । ଟିୟୁ-୨୨ ହେଉଛି ଏକ ହାଇସ୍ପିଡ୍ ଯୁଦ୍ଧ ବିମାନ ଯାହା ଶକ୍ତିଶାଳୀ କ୍ଷେପଣାସ୍ତ୍ର ବହନ କରିପାରିବ । ଆମେରିକା କିମ୍ବା ୟୁରୋପର ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଉପଲବ୍ଧ ନ ହେଲେ ଏହି ବିମାନଗୁଡ଼ିକର ଆକ୍ରମଣ ବନ୍ଦ କରିବା ୟୁକ୍ରେନ୍ ପାଇଁ ସହଜ ନୁହେଁ । ଅନ୍ୟପକ୍ଷରେ ଏ-୫୦ ଏକ ବିରଳ ଓ ବ୍ୟୟବହୁଳ ବିମାନ ଏବଂ ରୁଷ୍ ପାଖରେ ଏଭଳି ପ୍ରାୟ ୧୦ଟି ବିମାନ ରହିଛି । ଯାହାର ମୂଲ୍ୟ ବିମାନ ପିଛା ପ୍ରାୟ ୩୫୦ ନିୟୁତ ଡଲାର । ବିଶ୍ୱର ସର୍ବବୃହତ ବୋମାବର୍ଷୀ ଟିୟୁ-୧୬୦ ୧୯୮୦ ଦଶକରେ ନିର୍ମିତ ହୋଇଥିଲେ ମଧ୍ୟ ରୁଷ୍ ବାୟୁସେନାର ସବୁଠାରୁ ମାରାତ୍ମକ ବିମାନ ଭାବେ ପରିଗଣିତ ହେଉଛି । ଏହା ଅନେକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ବହନ କରିବାରେ ସକ୍ଷମ । ୟୁକ୍ରେନ୍ କହିଛି ଯେ ପ୍ରତ୍ୟେକ ରାତିରେ ୟୁକ୍ରେନ୍‌ର ବିଭିନ୍ନ ସହରରେ ବୋମା ମାଡ଼ କରାଯାଉଥିବାରୁ ଏହି ବିମାନଗୁଡ଼ିକୁ ଟାର୍ଗେଟ୍ କରି ଆକ୍ରମଣ କରାଯାଇଥିଲା । ଅନ୍ୟପକ୍ଷରେ ଡ୍ରୋନ୍‌ ଅଟକାଇବାରେ ରୁଷ୍‌ର ବିଫଳତା ଯୋଗୁଁ ଭୀଷଣ କ୍ଷୟକ୍ଷତି ସାମନା କରିବାକୁ ପଡ଼ିଛି ।

Leave A Reply

Your email address will not be published.