ଚଣ୍ଡିଗଡ, : ପାକିସ୍ତାନ ପ୍ରାୟ ୨୧ ଦିନ ପରେ ବିଏସଏଫ ଯବାନଙ୍କୁ ଆଜି ଭାରତୀୟ ସେନାକୁ ହସ୍ତାନ୍ତର କରିଛି । ଅନେକ ଥର ଫ୍ଲାଗ ମିଟିଂ ପରେ ଆଜି ପାକିସ୍ତାନ ବିଏସଏଫ ଯବାନଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲା । ପଶ୍ଚିମବଙ୍ଗର ଯବାନ ପୂରନମ କୁମାର ସା ଏପ୍ରିଲ ୨୩ରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଗସ୍ତ କରୁଥିବାବେଳେ ଅଜାଣତରେ ସୀମା ଅତିକ୍ରମ କରିଥିଲେ । ଏହି ଘଟଣା ପଞ୍ଜାବର ଫିରୋଜପୁର ସେକ୍ଟର ନିକଟରେ ଘଟିଥିଲା । ସେ ବିଏସଏଫର ୭୩ତମ ବଟାଲିଅନରେ ନିଯୁକ୍ତ ଥିଲେ । ସୀମା ପାର କରିବା ମାତ୍ରେ ପାକିସ୍ତାନ ରେଞ୍ଜରମାନେ ତାଙ୍କୁ ଗିରଫ କରିଥିଲେ ଏବଂ ପଚରାଉଚରା ପାଇଁ ନିଜ ହେପାଜତକୁ ନେଇଥିଲେ । ଯବାନ ନିଖୋଜ ହେବା ପରେ ବିଏସଏଫ ପାକିସ୍ତାନ ଞ୍ଜରମାନଙ୍କ ସହ ସମ୍ପର୍କ କରିଥିଲା । ଏବଂ ଯବାନ ପାକିସ୍ତାନ ହେପାଜତରେ ଥିବା ସ୍ପଷ୍ଟ ହୋଇଥିଲା । ପୁରନମ କୁମାର ସାଙ୍କ ମୁକ୍ତି ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଅନେକଥର ଫ୍ଲାଗ୍ ମିଟିଂ ହୋଇଛି । ଏକ ବୈଠକରେ ପାକିସ୍ତାନ ପକ୍ଷରୁ କୌଣସି ପ୍ରତିନିଧି ଉପସ୍ଥିତ ହୋଇନଥିଲେ । ଏହି ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଯାଇଥିଲା ଏବଂ ପାକିସ୍ତାନ ପକ୍ଷରୁ ପ୍ରବଳ ଗୁଳିବର୍ଷଣ ହୋଇଥିଲା । ପରେ ଦୁଇ ଦେଶ ମଧ୍ୟରେ ସିଜ଼ଫାୟର୍ ହେବା ପରେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହୋଇଛି । ଅନେକ ବୈଠକ ଓ ଭାରତୀୟ ଧିକାରୀମାନଙ୍କ ହସ୍ତକ୍ଷେପ ପରେ ବୁଧବାର ସକାଳେ ଅମୃତସର ସ୍ଥିତ ଅଟାରୀର ଯୁଗ୍ମ ଚେକ୍ ପୋଷ୍ଟ ରିଆରେ ପୁରନମ କୁମାର ସାଙ୍କୁ ଭାରତକୁ ହସ୍ତାନ୍ତର କରାଯାଇଛି । ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଓ ନିର୍ଦ୍ଧାରିତ ପ୍ରୋଟୋକଲ ଅନୁଯାୟୀ ସମ୍ପନ୍ନ ହୋଇଛି । ଅଧିକାରୀମାନେ କହିଛନ୍ତି ଯେ, ଦୁଇ ଦେଶର ସୀମା ଉପରେ ସୁରକ୍ଷା ଏଜେନ୍ସିମାନଙ୍କ ମଧ୍ୟରେ ଥିବା ସମନ୍ୱୟ ଦ୍ୱାରା ଏହି କାମ ସମ୍ଭବ ହୋଇପାରିଛି ।