ନୂଆଦିଲ୍ଲୀ,: ଭାରତ- ପାକିସ୍ତାନ ଯୁଦ୍ଧବିରତି ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ଏକ ସାମ୍ବାଦିକ ସମ୍ମିଳନୀ କରିଛି । ଏହି ସମୟରେ ଯୁଦ୍ଧବିରତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଆମେ କାଶ୍ମୀର ଉପରେ ମଧ୍ୟସ୍ଥତା ଗ୍ରହଣ କରୁନାହୁଁ । ପାକିସ୍ତାନକୁ ପିଓକେ ଖାଲି କରିବାକୁ ପଡିବ । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ, ଜମ୍ମୁକାଶ୍ମୀର ସହ ଜଡିତ ଯେକୌଣସି ପ୍ରସଙ୍ଗ ଭାରତ ଏବଂ ପାକିସ୍ତାନ ଦ୍ୱାରା ଦ୍ୱିପାକ୍ଷିକ ଭାବରେ ସମାଧାନ କରାଯିବା ଉଚିତ । ଏହି ନୀତି ପରିବର୍ତ୍ତନ ହୋଇନାହିଁ । ସେ କହିଛନ୍ତି ଯେ, ବୈଦେଶିକ ସଚିବ ବିକ୍ରମ ମିଶ୍ରିଙ୍କ ଦ୍ୱାରା ଦିଆଯାଇଥିବା ପୂର୍ବ ସୂଚନା ଅନୁଯାୟୀ, ମେ ୧୦ ଅପରାହ୍ଣ ୩.୩୫ରେ ଉଭୟ ଦେଶର ଡିଜିଏମଓ ସ୍ତରରେ ଯୁଦ୍ଧବିରତି ଉପରେ ଆଲୋଚନା ହୋଇଥିଲା । ପାକିସ୍ତାନ ହାଇକମିଶନ ମାଧ୍ୟମରେ ବୈଦେଶିକ ମନ୍ତ୍ରଣାଳୟକୁ ଏହି ଆଲୋଚନା ବିଷୟରେ ଅପରାହ୍ନ ୧୨.୩୭ରେ ସୂଚନା ଦିଆଯାଇଥିଲା । ପାକିସ୍ତାନରେ ଆଭ୍ୟନ୍ତରୀଣ ବୈଷୟିକ ସମସ୍ୟା ଯୋଗୁଁ ହଟଲାଇନ୍ ସଂଯୋଗ କରିବାରେ ବିଳମ୍ବ ହୋଇଥିଲା । ରଣଧୀର ଜୟସୱାଲ କହିଛନ୍ତି ଯେ, ମେ\’ ୧୦ ତାରିଖ ସକାଳେ ଭାରତୀୟ ସେନା ପାକିସ୍ତାନ ଏୟାରବେସକୁ ଧ୍ୱଂସ କରିଦେଇଥିଲା । ଏହା ପରେ ପାକିସ୍ତାନର ସ୍ୱର ବଦଳିଥିଲା । ପାକିସ୍ତାନ ଗୁଳିବର୍ଷା ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା । ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନକୁ ଗୁଳିମାଡ଼ ବନ୍ଦ କରିବାକୁ ବାଧ୍ୟ କରିଥିଲା । ଅନ୍ୟ ଦେଶଗୁଡ଼ିକ ପରି, ଭାରତ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି । ଦେଶବାସୀଙ୍କୁ ଜଣାଇ ଦେଇଛି ଯେ, ଭାରତ ଏପ୍ରିଲ ୨୨ ଆତଙ୍କବାଦୀ ଆକ୍ରମଣର ଜବାବ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରି ଦେଇଛି । ଏହା ପରେ ଯେତେବେଳେ ପାକିସ୍ତାନୀ ସଶସ୍ତ୍ର ସେନା ଗୁଳିବର୍ଷା କଲା, ଭାରତୀୟ ସେନା ଏହାର ଉଚିତ ଜବାବ ଦେଇଥିଲା ବୋଲି ବେଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି । ସେ କହିଛନ୍ତି ଯେ, ମେ\’ ୭ରେ ଅପରେସନ ସିନ୍ଦୂର ଆରମ୍ଭ ହେବାଠାରୁ ମେ\’୧୦ରେ ଗୁଳିମାଡ଼ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ଚୁକ୍ତି ପର୍ଯ୍ୟନ୍ତ, ଭାରତ ଏବଂ ଆମେରିକୀୟ ନେତାମାନଙ୍କ ମଧ୍ୟରେ ସାମରିକ ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ବାଣିଜ୍ୟ ପ୍ରସଙ୍ଗ ଉଠି ନଥିଲା । ଏହା ସହ ସେ ଆହୁରି କହିଛନ୍ତି ଯେ, ସିସିଏସ୍ (ସୁରକ୍ଷା ଉପରେ କ୍ୟାବିନେଟ୍ କମିଟି) ନିଷ୍ପତ୍ତି ପରେ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖାଯାଇଛି । ନିଷ୍ପତ୍ତି ଅନୁଯାୟୀ ଯେପର୍ଯ୍ୟନ୍ତ ପାକିସ୍ତାନ ବିଶ୍ୱସନୀୟ ଭାବରେ ସୀମାପାର ଆତଙ୍କବାଦକୁ ସମର୍ଥନ କରିବ ସେପର୍ଯ୍ୟନ୍ତ ଭାରତ ଚୁକ୍ତିକୁ ସ୍ଥଗିତ ରଖିବ । ଆମେ ପାକିସ୍ତାନୀ ପକ୍ଷ ଦ୍ୱାରା ଦିଆଯାଇଥିବା ବିବୃତ୍ତି ଦେଖିଛୁ । ଯେଉଁ ଦେଶ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି ଏବଂ ଯଦି ସେହି ଦେଶ ଭାବୁଥାଏ ଏହାର ପରିଣାମରୁ ରକ୍ଷା ପାଇପାରିବ, ତେବେ ସେ ନିଜକୁ ମୂର୍ଖ ବନାଉଛି । ଭାରତ ସମେତ ବିଶ୍ୱର ଅନେକ ନିରୀହ ଲୋକଙ୍କ ହତ୍ୟାର ପ୍ରତିଶୋଧ ସ୍ୱରୂପ ପାକିସ୍ତାନରେ ଥିବା ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରାଯାଇଛି । ଏବେ ଏକ ନୂତନ ସ୍ୱାଭାବିକତା ଆସିଛି । ପାକିସ୍ତାନ ଯେତେ ଶୀଘ୍ର ଏହା ବୁଝିବ, ସେତେ ଭଲ ବୋଲି କହିଛନ୍ତି ରଣଧୀର ଜୟସୱାଲ ।