ପୁରୀ, : ଗୁରୁବାର ରଥ ନିର୍ମାଣର ଅଷ୍ଟମ ଦିବସର କାର୍ଯ୍ୟ ଶେଷ ସୁଦ୍ଧା ତିନିରଥର ମୋଟ ୪୨ଟି ତୁମ୍ବର ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ଏଥିସହ ତିନିରଥର ଏକ ନମ୍ୱର ନାହାକା ତୁମ୍ବ ପାଇଁ ଆବଶ୍ୟକ ୨୦ଟି ପନ୍ଦାରି ବଳା ନିର୍ମାଣ ମଧ୍ୟ ଶେଷ ହୋଇଛି । ଗୁରୁବାର ତିନି ରଥର ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ରଥ ଚାଳିରେ ସାଥୀମହାରଣା ବିନ୍ଧ କାର୍ଯ୍ୟ କରିଥିଲେ । ଏଥିସହିତ ବିନ୍ଧ ହୋଇଥିବା ତୁମ୍ବ ଗୁଡ଼ିକର ସଂଶୋଧନ କାର୍ଯ୍ୟ ଆରମ୍ଭ ହୋଇଛି । ବିନ୍ଧ ଗୁଡ଼ିକର ଆବଶ୍ୟକତାକୁ ପରଖା ଯାଇ ନିହାଣ ମାରା କାର୍ଯ୍ୟ ଜାରୀ ରହିଛି । ଏଥିସହ ତୁମ୍ବରେ ଅର ସଂଯୋଗ ପାଇଁ ହୋଇଥିବା ଅର ବିନ୍ଧ ନିକଟରେ କଣ୍ଟା ବସିବା ପାଇଁ ଅଗର ବିନ୍ଧ ହୋଇଛି । ଏଥିପାଇଁ କରତୀ ମହାରଣାମାନେ ତୁମ୍ବ ଗୁଡ଼ିକର ବଳକା ଅଂଶକୁ ବାଦ ଦେବା ପାଇଁ ତୁମ୍ବର ଘେରକଟା କାର୍ଯ୍ୟ ଜାରି ରଖିଛନ୍ତି । ଆଜିର କାର୍ଯ୍ୟ ଶେଷ ସୁଦ୍ଧା ୧୭ଟି ତୁମ୍ବର ଘେରକଟା କାର୍ଯ୍ୟ ଶେଷ ହୋଇଛି । ମୁଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ତିନି ରଥର ଘେର କଟା ଯାଇଥିବା ତୁମ୍ବ ଗୁଡ଼ିକର ଦୁଇ ପାଶ୍ୱର୍ରେ ଅଖ ବିନ୍ଧ ପାଇଁ ସୂତା ମାପ ଚିହ୍ନ ଜାରୀ ରହିଛି । ଯେଉଁ ତୁମ୍ବ ଗୁଡ଼ିକ ଆବଶ୍ୟକତା ଠାରୁ ଅଧିକ ମୋଟେଇ ରହିଛି, ସେହି ନାହାକା ତୁମ୍ବ ଗୁଡ଼ିକରେ ପୁନଃ ମାପ ଚିହ୍ନ ଦିଆଯାଇ ବାରିସୀରେ ଚାଞ୍ଚି ସମତୁଲ କାର୍ଯ୍ୟ ଜାରି ରହିଛି । ସେହିପରି ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ତିନିରଥର ଓଝା ସେବକମାନେ ଆବଶ୍ୟକ ଅନୁଯାୟୀ ଅର କଣ୍ଟା ପ୍ରସ୍ତୁତି ଜାରି ରଖିଛନ୍ତି । ଆଜିସୁଦ୍ଧା ତିନିରଥର ଏକ ନମ୍ୱର ନାହାକା ତୁମ୍ବ ପାଇଁ ଆବଶ୍ୟକ ୨୦ଟି ପନ୍ଦାରି ବଳା ନିର୍ମାଣ ଶେଷ ହୋଇଛି । ଏଥିସହିତ ତିନିରଥର ଦୁଇ ନମ୍ୱର ଚକା ପାଇଁ ଆବଶ୍ୟକ ୨୪ଟି ପନ୍ଦାରି ବଳାର ନିର୍ମାଣ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।