ମୁମ୍ବାଇ,: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୦୨୪- ୨୫ ବର୍ଡର-ଗାଭାସ୍କର ଟ୍ରଫି ପରେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି, ଯେଉଁଠାରେ ତାଙ୍କର ପ୍ରଦର୍ଶନ ନିରାଶାଜନକ ଥିଲା । ତିନୋଟି ଟେଷ୍ଟରେ ମାତ୍ର ୩୧ ରନ୍ ସଂଗ୍ରହ କରିଥିବା ରୋହିତଙ୍କ ଫର୍ମ ଏବଂ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠିଥିଲା । ରୋହିତ ସିଡନୀରେ ଚଳିତ ବର୍ଷର ପଞ୍ଚମ ଟେଷ୍ଟରେ ଖେଳି ନଥିଲେ, ଯେଉଁ ନିଷ୍ପତ୍ତି ସେ ଫର୍ମରେ ନ ଥିବା କାରଣରୁ ନେଇଥିଲେ । ସେ ଷ୍ଟାର ସ୍ପୋର୍ଟସକୁ ଦେଇଥିବା ଏକ ସାକ୍ଷାତକାରରେ ସ୍ପଷ୍ଟ କରିଥିଲେ ଯେ ଏହା ଅବସର ନୁହେଁ, ବରଂ ଦଳର ଆବଶ୍ୟକତା ଅନୁଯାୟୀ ଏକ ମ୍ୟାଚ ପାଇଁ ଏହି ନିଷ୍ପତ୍ତି । ସେ କହିଥିଲେ, ମୁଁ ଅବସର ନେଇ ନାହିଁ । ମୁଁ ଏହି ମ୍ୟାଚରୁ ବାହାରେ ଅଛି କାରଣ ମୋ ବ୍ୟାଟ୍ ଚାଲୁ ନାହିଁ । ଦଳକୁ ଫର୍ମରେ ଥିବା ଖେଳାଳି ଦରକାର । ମେଲବର୍ନ ଟେଷ୍ଟରେ ଭାରତର ୧୮୪ ରନରେ ପରାଜୟ ପରେ ରୋହିତ ଅବସର ନେବାକୁ ମନସ୍ଥ କରିଥିଲେ । କିନ୍ତୁ ତାଙ୍କର ଘନିଷ୍ଠ ବ୍ୟକ୍ତିମାନଙ୍କ ପରାମର୍ଶରେ ସେ ଏହି ନିଷ୍ପତ୍ତି ସ୍ଥଗିତ ରଖିଥିଲେ । ଏହି ପରିବର୍ତ୍ତନ ଭାରତୀୟ କୋଚ ଗୌତମ ଗମ୍ଭୀରଙ୍କୁ ସନ୍ତୁଷ୍ଟ କରି ନଥିଲା ବୋଲି ରିପୋର୍ଟରେ ଦାବି କରାଯାଇଛି । ୩୭ ବର୍ଷୀୟ ରୋହିତ ୨୦୧୩ରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ । ସେ ୫୯ ଟେଷ୍ଟରେ ୪,୧୩୭ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୧୨ଟି ଶତକ ଓ ୧୭ଟି ଅର୍ଦ୍ଧଶତକ ରହିଛି । ତାଙ୍କର ସର୍ବୋତ୍ତମ ସ୍କୋର ୨୧୨ୟ ଅଧିନାୟକ ଭାବେ ସେ ଭାରତକୁ ୨୦୨୪ ଟି-୨୦ ବିଶ୍ୱକପ ଓ ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ବିଜୟୀ କରାଇଛନ୍ତି । ତେବେ, ୨୦୨୪ରେ ତାଙ୍କର ଟେଷ୍ଟ ପ୍ରଦର୍ଶନ ମାତ୍ର ୨୪.୭୬ ହାରାହାରିରେ ୬୧୯ ରନ୍ ଥିଲା । ରୋହିତ ପୂର୍ବରୁ ୨୦୨୪ ଟି-୨୦ ବିଶ୍ୱକପ ପରେ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ସେ ଏବେ ଦିନିକିଆ ଫର୍ମାଟରେ ଖେଳିବା ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ୨୦୨୫ ଚାମ୍ପିୟନ୍ସ ଟ୍ରଫି ବିଜୟ ପରେ ସେ କହିଥିଲେ, ମୁଁ ଏହି ଫର୍ମାଟରୁ ଅବସର ନେଉ ନାହିଁ । ତାଙ୍କର ଫୋକସ ଏବେ ଆଗାମୀ ଦିନିକିଆ ବିଶ୍ୱକପ ୨୦୨୭ ଉପରେ ରହିପାରେ ।