ଭାରତ-ବ୍ରିଟେନ୍ ମୁକ୍ତ ବାଣିଜ୍ୟ ରାଜ୍‌ିନାମା ଏବଂ ଦ୍ୱୈତ ଯୋଗଦାନ ଚୁକ୍ତି ଚୂଡ଼ାନ୍ତ ହେବାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ ଷ୍ଟାରମର

0 60

ନୂଆଦିଲ୍ଲୀ,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁକେ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର୍ ଆଜି ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି । ଦୁଇ ଦେଶ ମଧ୍ୟରେ ମହତ୍ତ୍ୱାକାଂକ୍ଷୀ ଏବଂ ପାରସ୍ପରିକ ଲାଭଦାୟକ ମୁକ୍ତ ବାଣିଜ୍ୟ ରାଜିନାମା ଏବଂ ଦ୍ୱୈତ ଯୋଗଦାନ ଚୁକ୍ତି ଚୂଡ଼ାନ୍ତ ହୋଇଥିବାରୁ ତାହାକୁ ଦୁଇ ନେତା ସ୍ୱାଗତ କରିଥିଲେ । ଉଭୟ ନେତା ଏହାକୁ ଦ୍ୱିପାକ୍ଷିକ ବ୍ୟାପକ ରଣନୈତିକ ସହଭାଗୀତାରେ ଏକ ଐତିହାସିକ ସଫଳତା ଭାବରେ ବର୍ଣ୍ଣନା କରିଛନ୍ତି । ଏହା ଉଭୟ ଦେଶର ଅର୍ଥନୀତିରେ ବାଣିଜ୍ୟ, ନିବେଶ, ନବସୃଜନ ଏବଂ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବ । ଦୁଇ ପ୍ରଧାନମନ୍ତ୍ରୀ ସହମତ ହୋଇଥିଲେ ଯେ ବିଶ୍ୱର ଦୁଇଟି ବୃହତ୍ ଏବଂ ମୁକ୍ତ ବଜାର ଅର୍ଥନୀତି ମଧ୍ୟରେ ଏହି ଐତିହାସିକ ଚୁକ୍ତି ବ୍ୟବସାୟ ପାଇଁ ନୂତନ ସୁଯୋଗ ଖୋଲିବ, ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ଘନିଷ୍ଠ କରିବ । ପ୍ରଧାନମନ୍ତ୍ରୀ ଷ୍ଟାରମର୍ କହିଛନ୍ତି ଯେ ସମଗ୍ର ବିଶ୍ୱର ଅର୍ଥନୀତି ସହିତ ମେଣ୍ଟକୁ ସୁଦୃଢ଼ କରିବା ଏବଂ ବାଣିଜ୍ୟ ପ୍ରତିବନ୍ଧକ ହ୍ରାସ କରି ଏକ ଶକ୍ତିଶାଳୀ ଏବଂ ଅଧିକ ସୁରକ୍ଷିତ ଅର୍ଥନୀତି ପ୍ରଦାନ କରିବା ପାଇଁ ସେମାନଙ୍କ ପରିବର୍ତ୍ତନ ଯୋଜନାର ଏକ ଅଂଶ ଅଟେ । ଭାରତ ଏବଂ ବ୍ରିଟେନ ମଧ୍ୟରେ ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କବୃଦ୍ଧି କ୍ରମଶଃ ସୁଦୃଢ଼ ଏବଂ ବହୁମୁଖୀ ଭାଗିଦାରୀର ମୂଳଦୁଆ ହୋଇ ରହିବ ବୋଲି ଦୁଇ ନେତା ସହମତ ହୋଇଥିଲେ । ଦ୍ରବ୍ୟ ଓ
ସେବା ବାଣିଜ୍ୟକୁ ଅନ୍ତର୍ଭୁକ୍ତ କରି ଏକ ସନ୍ତୁଳିତ, ସମାନ ଏବଂ ଉଚ୍ଚାକାଂକ୍ଷୀ ଏଫଟିଏ ପ୍ରଣୟନ ଦ୍ୱିପାକ୍ଷିକ ବାଣିଜ୍ୟକୁ ଯଥେଷ୍ଟ ବୃଦ୍ଧି କରିବ, ନିଯୁକ୍ତି ପାଇଁ ନୂତନ ମାର୍ଗ ସୃଷ୍ଟି କରିବ, ଜୀବନଧାରଣମାନ ବୃଦ୍ଧି କରିବ ଏବଂ ଉଭୟ ଦେଶର ନାଗରିକଙ୍କ ସାମଗ୍ରିକ କଲ୍ୟାଣରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି । ଏହା ଉଭୟ ଦେଶକୁ ବିଶ୍ୱ ବଜାର ପାଇଁ ମିଳିତ ଭାବରେ ଉତ୍ପାଦ ଏବଂ ସେବା ବିକାଶ କରିବା ପାଇଁ ନୂତନ କ୍ଷମତା ପ୍ରଦାନ କରିବ । ଏହି ଚୁକ୍ତିନାମା ଭାରତୟୁକେ ବ୍ୟାପକ ରଣନୈତିକ ସହଭାଗୀର ଦୃଢ଼ ଭିତ୍ତିଭୂମିକୁ ସୁଦୃଢ଼ କରିବ ଏବଂ ସହଯୋଗ ଏବଂ ସମୃଦ୍ଧିର ଏକ ନୂତନ ଯୁଗ ପାଇଁ ପଥ ପ୍ରଶସ୍ତ କରିବ । ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ । ଉଭୟ ପ୍ରଧାନମନ୍ତ୍ରୀ ପରସ୍ପର ସହ ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ ।

Leave A Reply

Your email address will not be published.