ନୂଆଦିଲ୍ଲୀ,: ଆଗକୁ ଏଟିଏମ୍ଗୁଡ଼ିକରେ ଅଧିକ ଛୋଟ ନୋଟ୍ ମିଳିବ । ୧୦୦ ଏବଂ ୨୦୦ ଟଙ୍କିଆ ନୋଟ୍ ଅଧିକ ମାତ୍ରାରେ ଉପଲବ୍ଧ କରାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ସମସ୍ତ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛି । ଆରବିଆଇ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି ଯେ, ଏଟିଏମ୍ରେ ଅଧିକରୁ ଅଧିକ ଛୋଟ ମୂଲ୍ୟାଙ୍କ ନୋଟ୍ ରଖାଯାଉ, ଯାହାଦ୍ୱାରା ଗ୍ରାହକଙ୍କ ଚିନ୍ତା ଦୂର ହେବ । ଏବେ ଏଟିଏମ୍ରୁ ଅଧିକ ମାତ୍ରାରେ ୫୦୦ ଟଙ୍କିଆ ନୋଟ୍ ବାହାରୁଛି । ଏଭଳି ସ୍ଥିତିରେ ଲୋକେ ଅସନ୍ତୁଷ୍ଟ । କାରଣ ଅଧିକାଂଶ ଲୋକଙ୍କୁ ଲୋଡ଼ା ୧୦୦ ଏବଂ ୨୦୦ ଟଙ୍କିଆ ନୋଟ୍ । ଅଧିକ ଛୋଟ ମୂଲ୍ୟ ନୋଟ୍ ଉପଲବ୍ଧ କରାଇବା ପାଇଁ ଆରବିଆଇ ପକ୍ଷରୁ ସମସ୍ତ ବ୍ୟାଙ୍କ ଏବଂ ହ୍ୱାଇଟ୍ ଲେବଲ୍ ଏଟିଏମ୍ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଆରବିଆଇ ଡେଡ୍ଲାଇନ୍ ବି ଜାରି କରିଛି । ରିଜର୍ଭ ବ୍ୟାଙ୍କ୍ର ନିର୍ଦ୍ଦେଶାନୁସାରେ, ୨୦୨୫ ସେପ୍ଟେମ୍ବର ୩୦ ସୁଦ୍ଧା ୭୫% ଏଟିଏମ୍ରେ ଅନ୍ୟୁନ ଗୋଟିଏ କ୍ୟାସେଟ୍ରେର ଏଭଳି ନୋଟ୍ ରହିବା ଦରକାର । ଅର୍ଥାତ୍ ଅଧିକାଂଶ ଏଟିଏମେ୍ର ଏହି ନୋଟ୍ ମିଳିବ । ସେହିଭଳି ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ୯୦% ଏଟିଏମ୍ରେ ଛୋଟ ମୂଲ୍ୟାଙ୍କ ନୋଟ୍ ବଡ଼ ମାତ୍ରାରେ ମିଳିବା ଦରକାର ବୋଲି ଆରବିଆଇ ନିର୍ଦ୍ଦେଶ ଦେଇଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିୟମ ମେ\’ ୧ରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ଯଦି ଜଣେ ଏଟିଏମ୍ରୁ ଅଧିକ ଟଙ୍କା ଉଠାଉଥାଆନ୍ତି । ଏହା ତାଙ୍କୁ ମହଙ୍ଗା ପଡ଼ିବ । ଏଟିଏମ୍ରୁ ଟଙ୍କା ଉଠାଣ ନିୟମ ବଦଳିବାକୁ ଯାଉଛି । ଅଧିକ ଥର ଟଙ୍କା ଉଠାଣ ଉପରେ ଅତିରିକ୍ତ ଶୁଳ୍କ ଲାଗୁ ହେବ । ପ୍ରତ୍ୟେକ ବ୍ୟାଙ୍କ ନିଜ ନିଜର ଫ୍ରି ଲିମିଟ୍ ଧାର୍ଯ୍ୟ କରିଛନ୍ତି । ଏହି ସୀମା ପରେ ଜଣେ ଟଙ୍କା ଉଠାଇଲେ ସେଥିପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼ିବ । ମାଗଣା ସୀମା ପରେ ପ୍ରତି ଏଟିଏମ୍ ଟ୍ରାଞ୍ଜାକ୍ସନ ପିଛା ୨୩ ଟଙ୍କା ଶୁଳ୍କ ଦେବାକୁ ହେବ, ଯାହା ଏବେ ୨୧ ଟଙ୍କା ରହିଛି ।