ଭୁବନେଶ୍ୱର, : ଓଡ଼ିଶା ଜଳବାୟୁ ସହନଶୀଳ କୃଷି ପାଇଁ ସମନ୍ୱିତ ଜଳସେଚନ ପ୍ରକଳ୍ପ (ଓଆଇଆଇପିସିଆର୍ଏ) ଅଧୀନରେ ୨୮ ଜଣିଆ କୃଷକ ଏବଂ ଅଧିକାରୀଙ୍କ ପ୍ରଶିକ୍ଷଣ ଭିତ୍ତିକ ମାଲେସିଆ ଗସ୍ତକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି, ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଶୁକ୍ରବାର ପୂର୍ବାହ୍ନ ୧୧ ଘଟିକାରେ କୃଷି ଭବନ ଅଡିଟୋରିଅମ୍ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୪ ଜଣ କୃଷକଙ୍କ ସମେତ ୧୪ ଜଣ ଅଧିକାରୀଙ୍କୁ ନେଇ ଗଠିତ ଏହି ୨୮ ଜଣିଆ ଟିମ କାଲିଠାରୁ ସପ୍ତାହବ୍ୟାପୀ ଲେସିଆ ଗସ୍ତରେ ଯାଇ କୃଷିଭିତ୍ତିକ ପ୍ରଶିକ୍ଷଣ ନେବେ । ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା, ଲକ୍ଷ୍ନୌ ସ୍ଥିତ ବ୍ୟାଙ୍କର୍ସ ଇନଷ୍ଟିଚ୍ୟୁଟ ଅଫ୍ ରୁରାଲ ଭଲପମେଣ୍ଟ (ବିଆଇଆର୍ଡି) ଏବଂ ନାବାର୍ଡର ମିଳିତ ଆୟୋଜନରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହେଉଛି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଭୟ କୃଷକ ଓ ଅଧିକାରୀଙ୍କୁ ମାଲେସିଆ ଗସ୍ତ ନିମନ୍ତେ ଶୁଭେଚ୍ଛା ପ୍ରଦାନ କରି ପାରମ୍ପରିକ କୃଷି ସହିତ ବୈଜ୍ଞାନିକ ପଦ୍ଧତି ତଥା ଯନ୍ତ୍ରପାତିର ବ୍ୟବହାର ଇତ୍ୟାଦି ସମ୍ବନ୍ଧରେ ଶିଖିବା ପାଇଁ ଉତ୍ସାହିତ କରିଥିଲେ । ଶ୍ରୀ ସିଂହଦେଓ କହିଥିଲେ ଯେ, ଆଜିର ସମୟରେ ବିଦେଶକୁ ଫଳ ଓ ପନିପରିବା ରପ୍ତାନୀରେ ଓଡ଼ିଶା ସମ୍ମାନଜନକ ସ୍ଥିତିରେ ରହିଛି । ପ୍ରଶିକ୍ଷାର୍ଥୀମାନେ ଗସ୍ତରୁ ଯାହା ଶିଖିବେ ତାହାକୁ ପ୍ରତିଦିନ
ରିପୋର୍ଟ ଆକାରରେ ଲିପିବଦ୍ଧ କରି ବିଭାଗକୁ ପ୍ରଦାନ କରନ୍ତୁ । ଉନ୍ନତ କୌଶଳକୁ ଶିଖି ନିଜ ଅଞ୍ଚଳରେ ତାହାକୁ କାର୍ଯ୍ୟକାରୀ କରନ୍ତୁ । ଏହା ଆମ ଚାଷୀ ଭଉଣୀଙ୍କ ଆୟକୁ ଦୁଇଗୁଣା କରିବାରେ ସହାୟକ ହେବ । କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ.ଅରବିନ୍ଦ କୁମାର ପାଢ଼ୀ ପ୍ରଶିକ୍ଷାର୍ଥୀଙ୍କୁ ମାର୍ଗଦର୍ଶନ କରିବା ସହିତ ଓଡ଼ିଶାରେ କୃଷିର କ୍ରମବିକାଶ ଉପରେ ଆଲୋକପାତ କରିଥିଲେ । ଆଜିର ସମୟରେ ଓଡ଼ିଶା ଦେଶର ୪ର୍ଥ ସର୍ବବୃହତ ରାଜ୍ୟ ଭାବେ ଏଫସିଆଇକୁ ଚାଉଳ ଯୋଗାଉଛି । ଗତବର୍ଷ ୧୪.୩ ମିଲିୟନ ଟନ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିଲା । ସେହିପରି, ୧୪.୪୮ ମିଲିୟନ୍ ଟନର କେବଳ ଫଳ ଓ ପନିପରିବା (ଉଦ୍ୟାନ ଫସଲ) ଉତ୍ପାଦିତ ହୋଇଛି । ଏତଦବ୍ୟତୀତ, ଓଡ଼ିଶା ଆଜି ପୋଟଳ, ଭେଣ୍ଡି, ସଜନା ଛୁଇଁ, ଅମୃତଭଣ୍ଡା, ଆମ୍ବ ଆଦିର ରପ୍ତାନୀ ଦୁବାଇ ଓ ଅନ୍ୟାନ୍ୟ ଦେଶକୁ କରିବାରେ ସକ୍ଷମ ହୋଇଛି । କେବଳ ଅଧିକାରୀ ନୁହଁନ୍ତି, ଏଥର ଚାଷୀମାନେ ବି ବିଦେଶ ଯାତ୍ରା କରିପାରିବେ । ଏହି ପ୍ରଶିକ୍ଷଣ ସେମାନଙ୍କ ବିଦେଶ ଯାତ୍ରାର ସ୍ୱପ୍ନକୁ ସାକାର କରିବା ସହିତ ଜ୍ଞାନ ଆହରଣର ଅବସର ଆଣି ପାରିଛି । ଡ.ପାଢ଼ୀ ପ୍ରଶିକ୍ଷାର୍ଥୀଙ୍କୁ ସମ୍ବୋଧିତ କରି ଚାଷୀମାନେ ହେଉଛନ୍ତି ଆମର ପ୍ରକୃତ ବ୍ରାଣ୍ଡ ଆମ୍ବାସାଡ଼ର୍ ବୋଲି କହିଥିଲେ । ଉଦ୍ୟାନ କୃଷି ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ, କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା, ବାର୍ଡ (ବିଆଇଆର୍ଡି) ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ନିରୂପମ ମେହ୍ରୋତ୍ରା, ନାବାର୍ଡ ସିଜିଏମ୍ ଡ଼.ସୁଧାଂଶୁ ମିଶ୍ର, ଓପିକ୍ରା ପ୍ରକଳ୍ପ ନିର୍ଦ୍ଦେଶକ ରଶ୍ମିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହି କୃଷକ ଏବଂ ଅଧିକାରୀଙ୍କୁ ଉତ୍ସାହିତ କରିଥିଲେ ।