ୱାକଫ୍ ବିଲ୍ ପରେ ୟୁନିଫର୍ମ ସିଭିଲ୍ କୋଡ୍ ପାଇଁ ପ୍ରସ୍ତୁତ ହେଉଛନ୍ତି ମୋଦି ସରକାର

0 118

ନୂଆଦିଲ୍ଲୀ, : ୱାକଫ୍‌ ସଂଶୋଧନ ବିଲ୍‌ରେ ସଂସଦରେ ସମର୍ଥନ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବେ ୟୁନିଫର୍ମ ସିଭିଲ୍‌ କୋଡ୍ (ୟୁସିସି) ପ୍ରଣୟନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସୂଚନା ଅନୁଯାୟୀ, ଏହା ସରକାରଙ୍କ ପ୍ରାଥମିକତା ତାଲିକାରେ ରହିଛି ଏବଂ ୨୩ତମ ନିୟମ କମିଶନକୁ ଏହାର ଖସଡ଼ା ପ୍ରସ୍ତୁତ କରିବା ଦାୟିତ୍ୱ ଦିଆଯାଇଛି । ୟୁସିସି ହେଉଛି ଏକ ଏଭଳି ଆଇନ୍‌, ଯାହା ଧର୍ମ ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ବିବାହ, ବିଚ୍ଛେଦ, ଉତ୍ତରାଧିକାର ଓ ଦାନ ଗ୍ରହଣ ଭଳି ବ୍ୟକ୍ତିଗତ ବିଷୟରେ ଏକ ସମାନ ଆଇନ୍ ପ୍ରଣୟନ କରିବ । ଏହା ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୪୪ରେ ଉଲ୍ଲେଖ ହୋଇଛି, ଯାହା ରାଷ୍ଟ୍ରକୁ ଏକ ସମାନ ନାଗରିକ ସଂହିତା ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଇଛି । ବିଜେପି ନିର୍ବାଚନୀ ଇସ୍ତାହାରରେ ମଧ୍ୟ ୟୁସିସିକୁ ପ୍ରାଧାନ୍ୟ ଦେଇଛି, ଯାହାକୁ ମହିଳା ସଶକ୍ତିକରଣ ଓ ଜାତୀୟ ଏକତାର ମାଧ୍ୟମ ଭାବେ ଦେଖାଯାଉଛି । ଗତ କିଛି ବର୍ଷ ଧରି ୟୁସିସି ଏକ ବିବାଦୀୟ ବିଷୟ ହୋଇ ରହିଛି । ଏହାର ସମର୍ଥକମାନେ ଏହାକୁ ସାମାଜିକ ସମାନତା ଓ ଆଧୁନିକତାର ପ୍ରତୀକ ଭାବେ ଦେଖୁଛନ୍ତି, ଯେଉଁଠାରେ ବିଭିନ୍ନ ଧାର୍ମିକ ବ୍ୟକ୍ତିଗତ ଆଇନ୍ରେ ଥିବା ଅସମାନତା ଦୂର ହେବ । ଅନ୍ୟପକ୍ଷରେ, ବିରୋଧୀମାନେ କହୁଛନ୍ତି ଯେ ଏହା ଧାର୍ମିକ ସ୍ୱାଧୀନତା ଓ ସାଂସ୍କୃତିକ ବିବିଧତା ଉପରେ ଆଘାତ ହେବ । ବିଶେଷତଃ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ଏହାକୁ ନେଇ ଆଶଙ୍କା ରହିଛି । ଉତ୍ତରାଖଣ୍ଡରେ ସମ୍ପ୍ରତି ୟୁସିସି କାର୍ଯ୍ୟକାରୀ ହୋଇଛି, ଯାହା ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ମଡେଲ୍ ଭାବେ ଦେଖାଯାଉଛି । ଏହା ବିବାହ ନିବନ୍ଧନ, ବହୁବିବାହ ଉପରେ ନିଷେଧ ଓ ସମାନ ଉତ୍ତରାଧିକାର ଅଧିକାର ଭଳି ବିଷୟକୁ ଗୁରୁତ୍ୱ ଦେଇଛି । କେନ୍ଦ୍ର ସରକାର ଏହାକୁ ଜାତୀୟ ସ୍ତରରେ ଲାଗୁ କରିବା ପାଇଁ ସମସ୍ତ ହିତାଧିକାରୀଙ୍କ ସହ ଆଲୋଚନା କରିବା ଆବଶ୍ୟକୟ ନିୟମ କମିଶନର ରିପୋର୍ଟ ଏହାର ଖସଡ଼ା ପ୍ରସ୍ତୁତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ସରକାରଙ୍କ ଏହି ପଦକ୍ଷେପ ରାଜନୈତିକ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ୱାକଫ୍ ବିଲ୍‌ରେ ବିଜେଡି ଓ ୱାଇଏସଆର୍ସିପି ଭଳି ଦଳମାନଙ୍କ ସମର୍ଥନ ସରକାରଙ୍କୁ ଆତ୍ମବିଶ୍ୱାସ ଯୋଗାଇଛି । ତେବେ, ୟୁସିସିର ସଫଳ କାର୍ଯ୍ୟକାରୀତା ନିର୍ଭର କରିବ ସମାଜରେ ଏହାର ଗ୍ରହଣୀୟତା ଓ ଆଇନଗତ ସନ୍ତୁଳନ ଉପରେ ।

Leave A Reply

Your email address will not be published.