ମା’ ମଙ୍ଗଳାଙ୍କ ଅନନ୍ୟ ଝାମୁଯାତ୍ରା

0 58

କାକଟପୁର,: ରାଜ୍ୟର ବିଭିନ୍ନ ଦେବଦେବୀ ପୀଠ ଏବଂ ଗାଁ ଠାକୁରାଣୀଙ୍କ ନିକଟରେ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଦିନ ପାରମ୍ପରିକ ପ୍ରଥାନୁସାରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଆସୁଛି । କିନ୍ତୁ ରାଜ୍ୟର ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ସ୍ଥାନ ପାଇଥିବା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା ଙ୍କ ମନ୍ଦିରରେ ଏକମାତ୍ର ଚୈତ୍ର ମାସର ପଞ୍ଚମ ମଙ୍ଗଳବାର ଅବା ବୈଶାଖ ମାସର ପ୍ରଥମ ମଙ୍ଗଳବାରରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ । ଏଥିପାଇଁ ମା\’ ମଙ୍ଗଳାଙ୍କ ଝାମୁଯାତ୍ରା ଅନନ୍ୟ ଓ ପ୍ରସିଦ୍ଧ ଅଟେ । ମଙ୍ଗଳବାର ଦିନ ଅନୁଷ୍ଠିତ ହେଉଛି ଏହି ଅନନ୍ୟ ଝାମୁଯାତ୍ରା । ମା’ ମଙ୍ଗଳାଙ୍କୁ ଆଦ୍ୟାଶକ୍ତି, ଯୋଗମାୟା ଭାବେ ବିବେଚନା କରାଯାଉଥିବା ବେଳେ ସେ ହିଁ ଦୁର୍ଗା, ସେ ହିଁ କାଳୀ ବୋଲି ବିଭିନ୍ନ ପୁରାଣରେ ବର୍ଣ୍ଣିତ ହୋଇଛି । ଏଥିପାଇଁ ଝାମୁଯାତ୍ରାର ତୃତୀୟ, ଚତୁର୍ଥ ଓ ପଞ୍ଚମ ମଙ୍ଗଳବାର ବିଳମ୍ବିତ ରାତିରେ ଅନୁଷ୍ଠିତ ହୋଇଥାଏ କାଳିକା ନୃତ୍ୟ । ଯାହା ମା’ ମଙ୍ଗଳାଙ୍କ ମନ୍ଦିରର ଆଉ ଏକ ଅନନ୍ୟ ପରମ୍ପରା । ଏଥିପାଇଁ ମା’ ମଙ୍ଗଳାଙ୍କ ଜଣେ ଖମାରେଇ ସେବକ ଦୋଳପୂର୍ଣ୍ଣିମା ଠାରୁ ଶୁଦ୍ଧପୂତ ଭାବେ ହବିଷାନ୍ନ ଭୋଜନ କରି ନିଷ୍ଠାରେ ରହିଥାନ୍ତି । ମଙ୍ଗଳବାର ବିଳମ୍ବିତ ରାତ୍ରିରେ ନିଜକୁ କାଳି ବେଶରେ ସଜ୍ଜିତ କରି ମନ୍ଦିରକୁ ଯାଇ ମା\’ଙ୍କୁସ୍ତୃତି କରିବା ପରେ ପୂଜାପଣ୍ଡା ତାଙ୍କୁ ମା\’ଙ୍କଠାରେ ପୂର୍ବରୁ ଲାଗି ହୋଇଥିବା ଖଡ୍ଗ (ଖଣ୍ଡା)ଏବଂ ଲାଗିମାଳ ଦେଇଥାନ୍ତି । ଏହାପରେ ସେବକ ଜଣକ କାଳିକା ନୃତ୍ୟ ପ୍ରଦର୍ଶନ କରିଥାନ୍ତି । ମନ୍ଦିର ବେଢା ଓ ସେବକ ସାହି ଦାଣ୍ଡରେ କାଳିକା ନୃତ୍ୟ ଅନୁଷ୍ଠିତ ହୋଇଥାଏ । ଏହି ନୃତ୍ୟ ମଙ୍ଗଳାଙ୍କ ଝାମୁଯାତ୍ରାର ଅନ୍ୟ ଏକ ଆକର୍ଷଣ ବୋଲି କହିଛନ୍ତି ପୂଜକ କମଳ ଲୋଚନ ଦୀକ୍ଷିତ । ପ୍ରାଚୀ ଉପତ୍ୟକାରେ ଥିବା ବିଭିନ୍ନ ବ୍ରାହ୍ମଣ ଶାସନ ଓ ଶ୍ରଦ୍ଧାଳୁ ପରିବାରଙ୍କ ପକ୍ଷରୁ ଗାଁ ଓ ପରିବାରର ମଙ୍ଗଳ କାମନା କରି ନିଜ ସେବକ ମାନଙ୍କ ସହାୟତାରେ ମା\’ଙ୍କ ନିକଟରେ ଚୁଡ଼ାଘଷା, ଦହି ଭୋଗ ଲାଗି କରିଥାନ୍ତି । ଏହି ପ୍ରସାଦକୁ ପରିବାରର ସଦସ୍ୟ ମାନେ ମନ୍ଦିର ବେଢାରେ ଏକତ୍ର ବସି ଖାଇଥାନ୍ତି । ଅପରପକ୍ଷେ କେତେଜଣ ଶ୍ରଦ୍ଧାଳୁ ମନସ୍କାମନା ପୂରଣ ହେବା ପରେ ଯାଚନା କରିଥିବା ଛାଗ,ମେଣ୍ଢା ବୋଦାକୁ ଧରି କାକଟପୁରରେ ପହଞ୍ଚି ମା\’ଙ୍କୁ ସମର୍ପଣ କରିଥାନ୍ତି । ଏହା ପରେ ବୋଦାମାନଙ୍କୁ ପ୍ରାଚୀ ନଦୀକୂଳରେ ପୂଜା ପାଉଥିବା ଦକ୍ଷିଣଚଣ୍ଡୀଙ୍କ ନିକଟରେ ବଳି ପକାଇ ସେଠାରେ ପରିବାର, ବନ୍ଧୁବାନ୍ଧବ, ଅତିଥିଙ୍କ ସହ ମିଶି ମାଂସ ଭୋଜି କରିଥାନ୍ତି । ଏଥିପାଇଁ ପ୍ରାଚୀ ନଦୀକୂଳ ଲୋକାରଣ୍ୟ ହୋଇପଡ଼େ । ଜଗତଜନନୀ ମଙ୍ଗଳମୟୀ ମା\’ମଙ୍ଗଳାଙ୍କ କୃପା ମିଳିଲେ ନିଜର ପରିବାରର ମଙ୍ଗଳ ହୋଇଥାଏ ।

Leave A Reply

Your email address will not be published.