କୋଭିଡ୍ ପରବର୍ତ୍ତୀ ଅର୍ଥନୈତିକ ସୁଧାର : ସବୁଠୁ ଆଗରେ ଓଡ଼ିଶା

0 95

ଭୁବନେଶ୍ୱର,: ଦେଶରେ ୨୦୨୦ରେ କୋଭିଡ୍ ମହାମାରୀ ବ୍ୟାପିବା ପରେ ଅର୍ଥନେତିକ କାର୍ଯ୍ୟକଳାପ ଗୁରୁତର ପ୍ରଭାବିତ ହୋଇଥିଲା । ବର୍ଷକ ପରେ କୋଭିଡ୍ର ଦ୍ୱିତୀୟ ଲହର ସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଥିଲା । ମହାମାରୀ ପରବର୍ତ୍ତୀ ସମୟରେ ନିଜ ଅର୍ଥନୀତିରେ ସୁଧାର ଆଣିବାରେ ଓଡ଼ିଶା ଦେଶର ଅନ୍ୟ ସମସ୍ତ ରାଜ୍ୟକୁ ପଛରେ ଛାଡ଼ି ଦେଇଛି । ୨୦୨୦-୨୧ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ଓଡ଼ିଶା ୭.୨ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି ବୋଲି ଇଣ୍ଡିଆ ରେଟିଂସ୍ ଆଣ୍ଡ୍ ରିସର୍ଚ୍ଚର ଏକ ରିପୋର୍ଟରୁ ଜଣାପଡ଼ିଛି । ଭାରତ ୨୮ଟି ପ୍ରମୁଖ ରାଜ୍ୟକୁ ନେଇ ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟରେ କୁହାଯାଇଛି ଯେ ମହାମାରୀ ପରବର୍ତ୍ତୀ ସମୟରେ ହୋଇଥିବା ସୁଧାରରେ ଓଡ଼ିଶା, ଆସାମ, ତାମିଲନାଡ଼ୁ ଓ କର୍ଣ୍ଣାଟକର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଥିଲା । ସେଥିପାଇଁ ଏହି ରାଜ୍ୟଗୁଡ଼ିକୁ \”ଉଚ୍ଚ ସୁଧାର ରାଜ୍ୟ\’ର ମାନ୍ୟତା ଦିଆଯାଇଛି । ଆଲୋଚ୍ୟ ସମୟ ଖଣ୍ଡରେ ଭାରତର ହାରାହାରି ଅଭିବୃଦ୍ଧି ୫.୩ ପ୍ରତିଶତ ରହିଥିଲା । କିନ୍ତୁ ଓଡ଼ିଶା ତା\’ଠାରୁ ଯଥେଷ୍ଟ ଅଧିକ, ଅର୍ଥାତ ୭.୨ ପ୍ରତିଶତ ହାରରେ ଆଗକୁ ବଢ଼ିଥିଲା । ମହାମାରୀ ପରବର୍ତ୍ତୀ ସମୟରେ ନିଜ ଅର୍ଥନୀତିରେ ସୁଧାର ଆଣିବାରେ ପଛୁଆ ଥିବା ରାଜ୍ୟଗୁଡ଼ିକ ହେଉଛି ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ପଶ୍ଚିମବଙ୍ଗ, ପଞ୍ଜାବ ଓ ବିହାର । ଉତ୍ତରାଖଣ୍ଡର ଅଭିବୃଦ୍ଧି ହାର ସର୍ବନିମ୍ନ ୨.୮ ପ୍ରତିଶତ ରହିଛି । ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ଓଡ଼ିଶା ସମେତ ଦେଶର ଆଠଟି ରାଜ୍ୟରେ ବାସ୍ତବ ଗ୍ରସ୍ ଭାଲ୍ୟୁ ଆଡେଡ୍‌ (ଜିଭିଏ) ପ୍ରତି ମାନୁଫାକ୍‌ଚରିଂ (ବିନିର୍ମାଣ)ର ଅବଦାନ ବଢ଼ିଥିଲା । ୨୦୧୯-୨୦ରେ ବାସ୍ତବ ଜିଭିଏ ପ୍ରତି ବିନିର୍ମାଣର ଅବଦାନ ଓଡ଼ିଶାରେ ୨୨.୮ ପ୍ରତିଶତ ଥିଲା । ୨୦୨୩-୨୪ ସୁଦ୍ଧା ତାହା ୨୬.୭ ପ୍ରତିଶତକୁ ବୃଦ୍ଧି ପାଇଥିଲା । ପାରମ୍ପରିକ ଧାତବ ଓ ପେଟ୍ରୋଲିୟମ୍ ଉତ୍ପାଦ ଉତ୍ପାଦନ ବ୍ୟତୀତ ରାଜ୍ୟରେ ପୋଷାକ, ମେସିନ ଓ ଉପକରଣ, ରସାୟନ ଓ କାଗଜ ଉତ୍ପାଦନ ଯଥେଷ୍ଟ ବିଥିଲା ବୋଲି ଇଣ୍ଡିଆ ରେଟିଂସ୍ର ରିପୋର୍ଟରେ କୁହାଯାଇଛି । ରିପୋର୍ଟରେ କୁହାଯାଇଛି ଯେ ଉତ୍ତରପ୍ରଦେଶ ଓ ବିହାର ବ୍ୟତୀତ ଅନ୍ୟ କେଣସି ରାଜ୍ୟ ବାସ୍ତବ ଜିଭିଏ ପ୍ରତି କୃଷି କ୍ଷେତ୍ରର ଅବଦାନ ବାଇବାରେ ସଫଳ ହୋଇନାହାଁନ୍ତି । ସେବା କ୍ଷେତ୍ରରେ ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ଛତିଶଗଡ଼, କର୍ଣ୍ଣାଟକ ଓ ତେଲେଙ୍ଗାନାର ପ୍ରଦର୍ଶନ ଭଲ ରହିଛି ।

Leave A Reply

Your email address will not be published.